ପୃଷ୍ଠା:Hada bagicha.pdf/୧୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଇବେ: ବାବୁ ଶ୍ରୀମାନ୍ ରୁଦ୍ରନାରାୟଣ ମୁଣ୍ଡ ବାହାଦୁର ବଗିଚାପଡ଼ା, କଳାହାଣ୍ଡି ସାକ୍ଷୀଗୋପାଳ ଚୈତ୍ରମାସ ତା ୧ଠ ଅପ୍ରିଲ ୧୯୧୩ ମହାଶୟ, ଆପଣଙ୍କ ପତ୍ର ମୋତେ ଦଶଦିନ ତଳେ ମିଳିଛି । ନାନା କାରଣରୁ ଏ ଭିତରେ ପତ୍ର ଫେରାଇ ପାରିନାହିଁ । ଚିଠିଟି ସାତଥରରୁ ଅଧିକ ପଢ଼ିଲିଣି । ଆପଣଙ୍କ ପୁତ୍ର ବଂଶୀଧରକୁ ଆମେ ଆମନ୍ତ୍ରଣ କରୁଛୁ । ଏପରି ବିଜ୍ଞ ଛାତ୍ରକୁ ପାଇ ଆମ ଅନୁଷ୍ଠାନ ନିଶ୍ଚୟ ଗର୍ବାନୁଭବ କରିବ । ଏ ସତ୍ୟବାଦୀ ସ୍ଥାନଟି ପୁରୀ ଜିଲ୍ଲାର ଏକ ପ୍ରଧାନ କେନ୍ଦ୍ରସ୍ଥଳ । ସାକ୍ଷୀଗୋପାଳଙ୍କ ଅଧିଷ୍ଠାନ ହେତୁ ଏହା ଏକପ୍ରକାର ଭାରତବିଦିତ । ମଫସଲ ହେଲେ ସୁଦ୍ଧା ସହରର ଉପାଦାନ ଏଠି ଯଥେଷ୍ଟ ଅଛି । ଏଠାରେ ରେଳଷ୍ଟେସନ, ପୋଲିସ ଥାନା, ଡାକ୍ତରଖାନା, ଧର୍ମଶାଳା, ଡାକଘର ଓ ଟେଲିଗ୍ରାଫ୍ ଅଫିସ୍ ଅଛି । ପ୍ରତ୍ୟହ ଅନେକ ଦେଶୀବିଦେଶୀ ଲୋକଙ୍କ ସମାଗମ ହୋଇଥାଏ । ଏଠାକାର ପ୍ରାକୃତିକ ଦୃଶ୍ୟ ଅତି ରମଣୀୟ । ବକୁଳ ବନ ମଧ୍ୟରେ ଛୁରିଅନା ଗଛର ସୌନ୍ଦର୍ଯ୍ୟରେ ଭରପୂର ଏଠାକାର ଦୃଶ୍ୟରାଜି । ଉକ୍ରଳ ପ୍ରସିଦ୍ଧ ପୁରାତନ ବିସ୍ତିର୍ଣ୍ଣ ବ୍ରାହ୍ମଣ ଶାସନମାନ ଏହାର ଚତୁଃପାଶ୍ୱର୍ରେ ଅବସ୍ଥିତ । ମାତ୍ର ଚାରିବର୍ଷ ମଧ୍ୟରେ ଏଠାକାର ଛାତ୍ରସଂଖ୍ୟା ୧୮୫ ହେଲାଣି । ଆଶା କରାଯାଏ, ଅତିଶୀଘ୍ର ଦୁଇଶହ ପୂରା ହୋଇଯିବ । ଆପଣଙ୍କ ପୁତ୍ରରତ୍ନ ବାବୁ ବଂଶୀଧରର ମାତୃଭାଷା ଓ ଏଠାକାର ପରିବେଶର ଭାଷା ଭିନ୍ନ ହୋଇଥିବାରୁ ତା’ ଭାଷାର ଉନ୍ନତି ପାଇଁ ଆପଣ ସନ୍ଦେହ ପ୍ରକାଶ କରିଥିବା କଥା ଅମୂଳକ ନୁହେଁ । ମାତ୍ର ଆପଣ ଜାଣି ଖୁସିହେବେ ଯେ ଏଠି ଆମେ ପ୍ରତ୍ୟେକ ଛାତ୍ରର ବ୍ୟକ୍ତିଗତ ଅସୁବିଧାକୁ ପ୍ରତି ସ୍ତରେସ୍ତରେ ଜଗି ରହିଥାଉଁ । ଆପଣ ଆଦୌ ଚିନ୍ତା ନକରି ବଂଶୀଧରକୁ ଏଠାକୁ ପଠାଇବାର ବନ୍ଦୋବସ୍ତ କରନ୍ତୁ । ମାତୃଭାଷାର ବୋଲି ଓ ପରିବେଶର ବୋଲି ଭିନ୍ନ ହେଲେ ସୁଦ୍ଧା ବିଚକ୍ଷଣ ବୁଦ୍ଧିମାନ ଛାତ୍ରପକ୍ଷରେ ତାହା ଏକ ସମସ୍ୟା ରୂପେ ରହେ ନାହିଁ । ବରଂ ଭିନ୍ନତା ଥାଏ ବୋଲି ସେ ଗଭୀର ଭାବରେ ଆୟତ୍ତ କରିପାରେ ଓ ତାହା ତା’ ପାଇଁ ସହାୟକ ହୋଇଥାଏ । ମହାରାଜା ଶ୍ରୀ ଶ୍ରୀ ସୁରପ୍ରତାପ ଦେଓ ସମୀପେଷୁଙ୍କୁ ମୋର ଭକ୍ତିପୂତ ବିନମ୍ର ପ୍ରଣାମ ଜଣାଇଦେବେ ଏବଂ ଭବିଷ୍ୟତରେ ସମୟ ଓ ସୁବିଧାକରି ଆମ ସତ୍ୟବାଦୀ ବନ ବିଦ୍ୟାଳୟରେ ତାଙ୍କ ପଦଧୂଳି ପକାଇବାପାଇଁ କହିବେ । ଆମେ ସମ୍ମାନର ସହିତ ନିମନ୍ତ୍ରଣ କରୁଛୁଁ । ଅନ୍ୟ ଏକ ଖୁସିର କଥା ଏଠି ଉଲ୍ଲେଖ ନ କରି ମୁଁ ରହିପାରୁନାହିଁ । ଆଉ ଆଠଦଶଦିନ ମଧ୍ୟରେ ଜଣେ ବିଦ୍ୱାନ ଯୁବକ ଏମ୍.ଏ. ପାଠସାରି କଲିକତାରୁ ଆସି ଏଠାରେ ଶିକ୍ଷକ ଭାବରେ ଯୋଗଦାନ କରୁଛନ୍ତି । ସେ ହେଉଛନ୍ତି ଶ୍ରୀମାନ୍ ଗୋଦାବରୀଶ ମିଶ୍ର । ଶେଷରେ ଆପଣଙ୍କୁ ଓ ଆପଣଙ୍କ ପରିବାରର ସମସ୍ତଙ୍କୁ ମୋର ଅନ୍ତରର ଶୁଭେଚ୍ଛା ଜଣାଇ ରହୁଛି । ଇତି ଆପଣଙ୍କ ବିନୟାବନତ ନୀଳକଣ୍ଠ ଦାସ ପ୍ରଧାନ ଶିକ୍ଷକ ସତ୍ୟବାଦୀ ବନ ବିଦ୍ୟାଳୟ, ସାକ୍ଷୀଗୋପାଳ, ଜିଲ୍ଲା-ପୁରୀ ଉକ୍ତ ଚିଠିକୁ ରାଜାଙ୍କୁ ମଧ୍ୟ ଦେଖାଯାଇଥିଲା । ମହାରାଜା ଚିଠି ପଢ଼ି ଅତ୍ୟନ୍ତ ଆନନ୍ଦିତ ହେଲେ, ଏବଂ କହିଲେ, "ଯଥା ଶୀଘ୍ର ପିଲାଟାକୁ ସତ୍ୟବାଦୀକୁ ପଠାଯାଉ, ଖର୍ଚ ପାଇଁ ଆପଣ କିଛି ଚିନ୍ତା କରିବେ ନାହିଁ । ଆମ୍ଭେ ସେ ଚିନ୍ତା କରିବୁ ।’ ତା’ ପରଦିନ ମହାରାଜା ରୁଦ୍ରନାରାୟଣ ବାବୁଙ୍କୁ ନିଜ ଉଆସକୁ ଡାକି କହିଲେ, "ଏଇ ଚାଦର ଦି’ଖଣ୍ଡ ନିଅନ୍ତୁ, ପୁଅକୁ ଦେବେ ଏବଂ ଏଇ ହେଉଛି ଦୁଇଶତ ଟଙ୍କା, ତା’ର ଏକ ବର୍ଷର ଖର୍ଚ । ଆମ୍ଭେ ଦେୱାନବାବୁଙ୍କୁ କହିଛୁ, ସେ ଦୁଇଟି ହାତୀ ସଜ କରୁଛନ୍ତି, ସେମାନେ ସୁବର୍ଣପୁର ଯାଏ ଯାଇ ସେଠି କଟକ ଯିବାପାଇଁ ନୌକାରେ ବସାଇ ଫେରିବେ । ଯୁବରାଜଙ୍କ ଶିକ୍ଷକ ବାବୁ ଶ୍ରୀମାନ୍ ରୋହିଣୀକାନ୍ତ ମୁଖର୍ଜି ଆପଣଙ୍କ ପୁତ୍ର ସାଙ୍ଗରେ ସାକ୍ଷୀ ଗୋପାଳ ଯାଏ ଯିବେ । ସେ ମହାଶୟ ପୂର୍ବରୁ ଦୁଇଥର ପୁରୀ ଯାଇଛନ୍ତି । ତାଙ୍କର ଅନୁଭୂତି ଅଛି । ସାଙ୍ଗରେ ଆଉଜଣେ ବିଶ୍ୱସ୍ତ ଚାକର ମଧ୍ୟ ଯିବ ଏବଂ ଜଣେ ରାନ୍ଧୁଣିଆ ବି ଯିବ । ସବୁ ବନ୍ଦୋବସ୍ତ ଆମ୍ଭେ କରିସାରିଛୁ । ଆପଣ କିଛି ଚିନ୍ତା କରନ୍ତୁ ନାହିଁ ।’