ପୃଷ୍ଠା:Hada bagicha.pdf/୧୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଗାରଟା ବେଳକୁ କୋର୍ଟଟି ଲୋକାରଣ୍ୟ । ଗୋଟିଏ ପଟ କାଠଗଡ଼ାରେ ପ୍ରେମଶୀଳା ଶୂନ୍ୟକୁ ଚାହିଁ ଠିଆ ହୋଇଛି । ତାକୁ ସବୁକିଛି ଝାପ୍ସା ଝାପ୍ସା କଳାକଳା ଦେଖାଯାଉଛି । କଳାକୋଟ, କଳାବାଳ ଓ କଳା ମୁହଁ ସବୁ କ୍ୱଚିତ୍ ଦେଖାଯାଉଛି । ଅନ୍ୟପଟ କାଠଗଡ଼ାରେ ଟ୍ରେକ୍ସୁଟ ଓ ଟୋପି ପିନ୍ଧା ଭଦ୍ରବ୍ୟକ୍ତି ଜଣକ ଠିଆ ହୋଇଛନ୍ତି । ସେ କାହାରି ଦୃଷ୍ଟି ଆକର୍ଷଣ କରିପାରି ନାହାନ୍ତି ବୋଧହୁଏ । ତାଙ୍କ ପଟକୁ କେହି ଦେଖୁ ନାହାନ୍ତି । ବିଚାରପତି ଆସିଲେ, ସମସ୍ତେ ଠିଆ ହେଲେ । ସେ ବସିଲେ, ସମସ୍ତେ ବସିଲେ । କୋର୍ଟଟି ନିରବ ନିଥର । ଏ ଭଦ୍ରବ୍ୟକ୍ତିଙ୍କ ଉପରେ ନଜର ପଡ଼ିବାକ୍ଷଣି ବିଚାରପତି ଓକିଲମାନଙ୍କ ମୁହଁକୁ ଦେଖି ପଚାରିଲେ, "ଏ ମହାଶୟ କାହାର ମହକିଲ, କିମ୍ବା ମୁଦାଲା କିମ୍ବା ସାକ୍ଷୀ କି?’ ସମସ୍ତେ ସମସ୍ତଙ୍କ ମୁହଁକୁ ଚାହିଁଲେ । ସମସ୍ତେ ଉକ୍ତ ବ୍ୟକ୍ତିଙ୍କୁ ଚାହିଁଲେ । ତାଙ୍କ ଟୋପି, ତାଙ୍କ ଦସ୍ତାନା, ତାଙ୍କ ପୋଷାକ, ଯୋତାକୁ ଚାହିଁଲେ । କିନ୍ତୁ କେହି କିଛି କହିଲେ ନାହିଁ । ବିଚାରପତି ପଚାରିଲେ, ଆପଣଙ୍କ ଓକିଲ କିଏ? - କେହି ନାହାନ୍ତି । - ଆପଣଙ୍କୁ ଏଇ କାଠଗଡ଼ାକୁ କିଏ ଡାକିଲା? - କେହି ନୁହେଁ ମୁଁ ନିଜେ ଆସିଲି । - ଆପଣଙ୍କ ପରିଚୟ? - ମୁଁ ଈଶ୍ୱର, ସ୍ୱର୍ଗରୁ ଆସିଛି । କୋର୍ଟ ରୁମରେ ପ୍ରବଳ କଳରବ ହେଲା । ବିଚାରପତି ଚୁପ୍ ରହିବାକୁ ନିର୍ଦେଶ ଦେଇ ପୁଣି କହିଲେ, - ଆପଣ ବାଜେ କଥା କହି କୋର୍ଟର ସମୟ ନଷ୍ଟ କରୁଛନ୍ତି । - ନା, ମୁଁ ସତ ହିଁ କହୁଛି । - ଆପଣ ଈଶ୍ୱର ବୋଲି ପ୍ରମାଣ କ’ଣ? - ଇଶ୍ୱରଙ୍କ ସ୍ଥିତିର କିଛି ପ୍ରମାଣ ଦିଆଯାଏ ନାହିଁ । ଏହା ବିଶ୍ୱାସର କଥା । ତା’ ବାହାରେ ଆପଣ ତ ମୋତେ ଦେଖୁଛନ୍ତି । ମୁଁ ଏଠି ଛିଡ଼ା ହୋଇଛି । - କୋର୍ଟ ସମସ୍ତଙ୍କ ପ୍ରମାଣ ଦରକାରକରେ । ଆପଣଙ୍କୁ ବି ପ୍ରମାଣ ଦେବାକୁ ପଡ଼ିବ । - କି ପ୍ରକାରର ପ୍ରମାଣ ଆପଣ ଚାହାନ୍ତି? - ଏଇ ଧରାଯାଉ, ଆପଣଙ୍କ ଠିକଣା, ବାପା, ମାଙ୍କ ନାମ, ଗାଁ, ସହର, ଜାତି, ଚାକିରି, ବ୍ୟବସାୟ, ରେସନ୍କାର୍ଡ଼, ଭୋଟ ପରିଚୟ ପତ୍ର ବା ଡ୍ରାଇଭିଂ ଲାଇସେନ୍ସ ଏପରି କିଛି । -ମୋ ଠିକଣା ତ ସ୍ୱର୍ଗ । ଏହା ବି ବିଶ୍ୱାସର କଥା । ବାକି ଯାହା କହିଲେ ମୋ ପାଖରେ କିଛି ନ ଥାଏ । - ଇଶ୍ୱରଙ୍କ ଏପରି ପୋଷାକ ଥାଏ? ଟ୍ରେକ୍ସୁଟ୍, ସ୍ପୋର୍ଟସ୍ ସୁ, ଗ୍ଲୋଭ୍ସ, ଟୋପି? ବିଚାରପତି ଓ ଅନ୍ୟ ସମସ୍ତେ ହସିଲେ । ପ୍ରେମଶୀଳା ବ୍ୟତୀତ । - ମୁଁ ଯେମିତି ପୋଷାକ ପିନ୍ଧିଲି, ସେଇଟା ମୋ ଇଚ୍ଛା ଅନିଚ୍ଛାର କଥା । ଇଶ୍ୱରଙ୍କ ୟୁନିଫର୍ମ ଥାଏ ନାହିଁ । ବିଚାରପତି ଏବେ ପ୍ରକାଶ୍ୟ ଭାବରେ ବିରକ୍ତ ହେଲେ । ଅପେକ୍ଷାକୃତ ଚଢ଼ାଗଳାରେ କହିଲେ, "ଆପଣ ଯାଆନ୍ତୁ, କୋର୍ଟର ସମୟ ଅପଚୟ ହେଉଛି ।’ - ପ୍ରେମଶୀଳା ବିଷୟରେ ମୁଁ ଏ ଯାଏଁ କିଛି କହିନାହିଁ, ଯିବି କେମିତି? ସେଇଥିପାଇଁ ତ ମୁଁ ଏଠାକୁ ଆସିଛି । ବିଚାରପତି ଦେଖିଲେ ଲୋକଟି ପାଗଳପରି ଉତ୍ତର ଦେଉଛି । ପୋଲିସ୍କୁ ହସ୍ତାଂତର କରିବା କଥା ଭାବିଲେ । ପୁଣି କ’ଣ ଭାବି କହିଲେ, "ଠିକ୍ ଅଛି ଦୁଇମିନିଟ୍ ମଧ୍ୟରେ ଯାହା କହିବାକଥା କୁହନ୍ତୁ । କିନ୍ତୁ ତା ପୂର୍ବରୁ ଇଶ୍ୱରଙ୍କ ନାଁରେ ଏକ ଶପଥ ପାଠ କରନ୍ତୁ ଯେ ଯାହାକହିବେ ସତକହିବେ, ସତ ଛଡ଼ା ଆଉ କିଛି କହିବେନାହିଁ ।’ -ଆଶ୍ଚର୍ଯ୍ୟ! ମୁଁ କେମିତି ମୋ ନାଁ ରେ ଶପଥ ପାଠ କରିବି? ଲୋକେ ସିନା ମୋ ନାଁ ରେ ଶପଥ ନିଅନ୍ତି । କିନ୍ତୁ ମୁଁ ସତ ହିଁ କହିବି ଏ ବିଶ୍ୱାସ ଆପଣ ରଖିପାରନ୍ତି । - ନା, କୋର୍ଟରେ ଏହା ଆପଣଙ୍କୁ କରିବାକୁ ପଡ଼ିବ ଏବଂ ନିଜ ନାଁ ଆଉ ଠିକଣାର ପ୍ରମାଣ ଦେବାକୁ ପଡ଼ିବ । - ପୁଣି ପ୍ରମାଣ? କି ପ୍ରକାରର ପ୍ରମାଣ ଆପଣ ଚାହାନ୍ତି? -ଗୋଟେ ଅଲୌକିକ ଶକ୍ତି ଦେଖାନ୍ତୁ । ଯେମିତି, ଧରାଯାଉ ଏଇ ପେପର ୱେଟ୍କୁ ଶୂନ୍ୟରେ ଝୁଲାଇ ରଖନ୍ତୁ । ସମସ୍ତେ ଦେଖିବେ ।