ପୃଷ୍ଠା:Typical selections from Oriya literature.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବଇଶାଖ ଖରା ଚାହିଁ । ବାହାରକୁ ନୋହେ ଯାଇ ।
କେଉଁ ବୃକ୍ଷମୂଳେ ଜୀବନବିକଳେ ଥିବ ମୋର ପୁତ୍ର ରହି ଲୋ ।
କୋଇଲି ଶୁଣ ଲୋ ।

ଜ୍ୟେଷ୍ଠେ ମୋ ଜ୍ୟେଷ୍ଠନନ୍ଦନ । ଜାନ‌କୀ ସ‌ହ ଲକ୍ଷ୍ମଣ ।
ନାନା ପକ୍ୱଫଳ ଖୋଜି ବୁଲୁଥିବେ ବିଧିର ଏ ବିଡ଼ମ୍ବନ ଲୋ ।
କୋଇଲି ଶୁଣ ଲୋ ।

ଆଷାଢ଼ମାସରେ ମେଘ । ଗ‌ରଜଇ ଯେହ୍ନେ ବାଘ ।
ବେଳେ ବେଳେ ଦିଶ ହୁଅଇ ଅଦୃଶ୍ୟ ଘୋଟିଯାଏ ଚଉଦିଗ ଲୋ ।
କୋଇଲି ଶୁଣ ଲୋ ।

ଦେଖ ଧାରା ଶିରାବଣ । ଜଳ ପଡ଼େ ଅନୁକ୍ଷଣ ।
ଘର ଘାଟ ନାହିଁ ମୋ ଦୁଃଖିସଂଖାଳି କିରୂପେ କାଟିବ ଦିନ ଲୋ ।
କୋଇଲି ଶୁଣ ଲୋ ।

ଭାଦ୍ରବ ହେଲେ ପ୍ରବେଶ । ସୁନିର୍ମଳ ଦଶଦିଶ ।
ଅତିସୁକୁମାରୀ ଜନ‌କ‌କୁମାରୀ ମନେ ଭାଳୁଥିବ କିସ ଲୋ ।
କୋଇଲି ଶୁଣ ଲୋ ।

ଆଶ୍ୱିନେ ଚନ୍ଦ୍ରକିରଣ । କରଇ ମନ ହରଣ ।
କେତେମତେ କେତେ ଉତ୍ସବ କରନ୍ତେ ଘରେ ଥିଲେ ରଘୁରାଣ ଲୋ ।
କୋଇଲି ଶୁଣ ଲୋ ।

ଏ ମହାକାର୍ତ୍ତିକମାସ । ଭଣିଲେ ଶଙ୍କର ଦାସ ।
ସୀତା ସଙ୍ଗେ ଘେନି ରଘୁକୁଳମଣି ଭୋଗକଲେ ବାରମାସ ଲୋ ।
କୋଇଲି ଶୁଣ ଲୋ ।


କାନ୍ତ କୋଇଲି

ବଳରାମ ଦାସ

କୋଇଲି ! କାନ୍ତ ମୋର ଗଲେ ମୃଗମାରି ।
କପଟେ ରାବଣ ମୋତେ ନେଉଅଛି ଧରି । (ଲୋ କୋଇଲି)
କୋଇଲି! ଖଳ ବୋଲି ଜାଣି ନ ପାରିଲି ।
ଖଳ ଯେ କନ‌କମୃଗ ଦେଖି ଲୋଭ କଲି । (ଲୋ କୋଇଲି)
କୋଇଲି! ଗୁରୁ ଶ୍ରଦ୍ଧା ବଳିଲା ମୋହର ।
ଗେଲେ ମୁଁ ବୋଇଲି, ରାମ ଏ କୁରଙ୍ଗ ମାର ।(ଲୋ କୋଇଲି)
କୋଇଲି! ଘଟଣା ଯା କରିଛି ବିଧାତା ।
ଘୋରବନେ ମୃଗମାରି ଗଲେ ମୋ କରତା । (ଲୋ କୋଇଲି)