ପୃଷ୍ଠା:Hada bagicha.pdf/୧୬୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ଳୀବ ପୁରୁଷ ତା ପ୍ରେମାସ୍ପଦକୁ କୁହେ କୌଣସି ଅନୁଷ୍ଠାନ, ସ୍କୁଲ ବା ଅଫିସ, ଏପରିକି ଜିଲ୍ଲା ରାଜ୍ୟ ଦେଶ ଆନୁଷ୍ଠାନିକ ଭାବରେ ଚାଲେନାହିଁ । ଅଣଆନୁଷ୍ଠାନିକ ଭାବରେ ଚାଲେ । ଚୌକି ଓ ଦସ୍ତଖତ ବଡ଼ କଥାନୁହେଁ । ବଡ଼କଥା ହେଉଛି ଟିକେ ହସ ଓ ସମ୍ମାନବୋଧ । କୁକୁରମାନଙ୍କୁ ଚୌକିରେ ବସାଇବା ଏବଂ ଦସ୍ତଖତଦେବା ଶିଖାଯାଇ ପାରେ । ମାତ୍ର ହସ ଓ ସମ୍ମାନବୋଧ ଶିଖାଯାଇ ପାରେନା । ଦୂରଦୃଷ୍ଟି ଶିଖାଯାଇ ପାରେନା । ଆତ୍ମ ସମ୍ମାନବୋଧ ନଥିବା ଶିକ୍ଷକମାନେ ଗୋଟେ ଅନୁଷ୍ଠାନକୁ ରସାତଳଗାମୀ କରାନ୍ତି । ଯେପରି ତମେ କରୁଛ । କାମକରିବା ସଂସ୍କୃତି ତୁମ ଦେହରେ ନାହିଁ । ଖାଲି ଚୌକିରେ ବସିବା ଗପିବା ଓ ଟିପଚିହ୍ନ ଦେବା ସଂସ୍କୃତି ଅଛି । ତମେ ନିଜକୁ ଖାତିର କରିଜାଣୁନ । ତେଣୁ ତୁମକୁ କେହି ଖାତିର କରନ୍ତି ନାହିଁ । ସ୍ୱପ୍ନ ଦେଖିବା ବି ତମେ ଶିଖିନାହଁ । ଆସନ୍ତାକାଲି ପାଇଁ ଯେ ସ୍ୱପ୍ନ ଦେଖିଜାଣେନା, ସେ ଆଜି କାମ ବି କରିପାରେନା । କର୍ମଦକ୍ଷତା ଓ ସୃଜନକ୍ଷମତାର ମୂଳ ଉତ୍ସ ହେଉଛି ସ୍ୱପ୍ନ । ମି. ସନୋଫେବିଚ୍ ଥିଲେ କ୍ଲୀବପୁରୁଷ ଓ ତାର ପ୍ରେମାସ୍ପଦମାନଙ୍କର ଅଧ୍ୟକ୍ଷ । ସେ ନାହିଁ ନାହିଁର ଦେଶରୁ ଏ ଅପନ୍ତରା ଭୂଇଁରେ କେବେ ଓ କେମିତି ପାଦ ଥାପିଥିଲେ କେହି ଜାଣନ୍ତିନାଇଁ । ସ୍ପେନିଶ୍ ତାଙ୍କ ମାତୃଭାଷା । ଇଂରାଜି କିମ୍ବା ଓଡ଼ିଆ ଜାଣନ୍ତିନାଇଁ । ପାଟିରେ ସଦାବେଳେ ତାଙ୍କର ଅଠାଦିଆ ପ୍ଲାଷ୍ଟିକ୍ ଟେପ୍ଟିଏ ଲାଗିଥାଏ । ସେ କିଛି ଶବ୍ଦ ଉଚ୍ଚାରଣ କରନ୍ତିନାଇଁ । ଶୁଣାଯାଏ ତାଙ୍କ ତଣ୍ଟିରେ ଘା'ଟିଏ ଅଛି । କର୍କଟ ଘା' । ସେଥିପାଇଁ ସେ ସବୁବେଳେ ଠାରରେ କହନ୍ତି ‘ଲେଖିକରି ଦିଅ’ । କିଛି ଲେଖାପାଇଲେ ସଙ୍ଗେସଙ୍ଗେ ତା’ଉପରେ ଟିପଚିହ୍ନ ବସେଇଦିଅନ୍ତି । ଏତେ ଟିପଚିହ୍ନ ଦେବାକୁ ବେଳ ନ ହେବାରୁ ସେ ପିତ୍ତଳର ଏକ ଛାଞ୍ଚ ତିଆରିକରନ୍ତି । ସବୁଠି ଛାଞ୍ଚ ପିଟିଦିଅନ୍ତିି । ଅର୍ଥାତ୍ ସେଇଟା ତାଙ୍କର । ସ୍କୁଲଘରର କାନ୍ଥରେ କବାଟରେ ଚଟାଣରେ ସବୁଠି ମୋହର ପିଟି ଦିଅନ୍ତି । ସେଇଟା ତାଙ୍କର । ସେ ମଲାପରେ ତାଙ୍କ ଟିପଚିହ୍ନ ତ ରହିବ । ପିଲାଙ୍କ ଖାତାରେ ବି ଟିପଚିହ୍ନ ମାରନ୍ତି । ପିଲାଏ ଚିତ୍ର କରନ୍ତି ସଂଖ୍ୟା ଲେଖନ୍ତି ବର୍ଣମାଳା ଲେଖନ୍ତି ଗାର ଟାଣିଥାନ୍ତି ବୃତ୍ତ-ବିନ୍ଦୁ-ସରଳରେଖା-ବକ୍ରରେଖା ଟାଣିଥାନ୍ତି, ସବୁଠି ଟିପଚିହ୍ନ ଥାଏ । ପିଲାଙ୍କ ପୋଷାକ ବେଗ୍ ଟିଫିନ୍ଡବା ଏମ୍ଡିଏମ୍ର ଥାଳି ସାଇକେଲ ଯୋତା ମୋଜା ସବୁଠି ଟିପଚିହ୍ନ । ସବୁକିଛି ତାଙ୍କର । ସ୍କୁଲକୁ ମଝିରେ ମଝିରେ ପିଲାଙ୍କ ମା’ବାପାମାନେ ଆସନ୍ତି । ସିଆଇ, ଡିଆଇ, ଡିପିଆଇ, ଡିଡିପିଆଇମାନେ ଆସନ୍ତି । ମି. ସନୋଫେବିଚ୍ ମୁହଁରେ ପ୍ଲାଷ୍ଟିକ୍ ଟେପ୍ ବାନ୍ଧିବାଦେଖି ସମସ୍ତେ ଟିକେ ସମ୍ଭ୍ରାମତା ରକ୍ଷାକରନ୍ତି । ବିନମ୍ର ହୁଅନ୍ତି । ଅଧ୍ୟକ୍ଷ ଠାରରେ ବସିବାକୁ କହନ୍ତି । ଠାରରେ ଲେଖାଦେବାକୁ କହନ୍ତି । ସଭିଏଁ ଲେଖାଦିଅନ୍ତି । ସେ ଟିପଚିହ୍ନର ଛାଞ୍ଚ ମାରନ୍ତି । ଅନ୍ୟମାନେ ଗୁଣୁଗୁଣୁ ହୋଇ କିଛିକିଛି କହନ୍ତି । କହିଲାବେଳକୁ ସଭିଙ୍କ ଆଖି ବଡ଼ବଡ଼ ଦେଖାଯାଏ । ହାତ ଛାଟିପିଟି ହୁଏ । ମୁହଁର ରଙ୍ଗ, ରେଖା, କୁଞ୍ଚ ବଦଳେ । ମାତ୍ର ମି. ସନୋଫେବିଚ୍ ଚୁପଚାପ ହାଲିଆହେଲେ ଟିପଚିହ୍ନ ବସାଇ କାମ ସରିଯିବାର ଅଙ୍ଗଭଙ୍ଗୀ କରନ୍ତି । କିଛି କାମକଲେ ହିଁ ବ୍ୟକ୍ତିତ୍ୱର ବିକାଶ ହୁଏ । ଅନ୍ୟଥା ହୁଏନାହିଁ । ଏ କଥା ମି. ସନୋଫେବିଚ୍ ଜାଣି ନାହାନ୍ତି । କିଛି କାର୍ଯ୍ୟକରିବା ଅର୍ଥ ଗୋଟିଏ ଜିନିଷକୁ "ଗଢ଼ିବା' । ଗଢ଼ିସାରି ତାର ଅଧିକାରୀ ହେବା । ଗୋଟିଏ ଅନୁଷ୍ଠାନକୁ ମାଡ଼ିବସିଲେ ଭୌତିକ ସ୍ତରରେ ତାର ଅଧିକାରୀ ହେବାକୁ ବୁଝାଯାଏ ନାହିଁ । କି ଟିପଚିହ୍ନ ଦେଇଦେଲେ ଜିନିଷଉପରେ ନିଜ ଅଧିକାର ଆସେନାହିଁ । ସନ୍ତାନ ଜନ୍ମ କରିବା ଗୋଟେ କାର୍ଯ୍ୟ ନୁହେଁ । ତାଙ୍କୁ ଗଢ଼ିବା ହିଁ ହେଉଛି କାର୍ଯ୍ୟ । ଯେ କୌଣସି ଜିନିଷକୁ "ଗଢ଼ିବା' ହେଉଛି ଏକମାତ୍ର କାର୍ଯ୍ୟ । ଦ୍ୱିତୀୟ ପ୍ରକାରର କାର୍ଯ୍ୟ ପୃଥିବୀରେ ନାହିଁ । ନିଜ ସନ୍ତାନ ମାନଙ୍କୁ ସେଥିପାଇଁ ଗଢ଼ାଯାଏ । ନଚେତ ସେମାନେ କୁଳାଙ୍ଗାର ହେବେ ହିଁ ହେବେ । ସ୍କୁଲର କାନ୍ଥ କବାଟ ଛାତ ଚଟାଣ, ପିଲାଙ୍କ ଖାତା ବହି ଯୋତା ସାଇକେଲ ବା ନୋଟିସ ଖାତା, ଏରେଂଜମେଣ୍ଟ ଖାତା, ବିଲ୍ ବହି- ଏ ସବୁରେ ଟିପଚିହ୍ନ ମାରିଲେ ନିଜ ଅଧିକାର ଭିତରକୁ ଏମାନେ ଆସନ୍ତିନାହିଁ । ପିଲାଙ୍କୁ ଗୀତଟିଏ ଗାଇବା ଶିଖାଇଲେ ବା ଗପଟିଏ କହିବା, ଲେଖିବା ଶିଖାଇଲେ ହିଁ ନିଜ ଅଧିକାର ଭିତରକୁ ଆସନ୍ତି । କିନ୍ତୁ ମି. ସନୋଫେବିଚ୍ଂକ ଏକମାତ୍ର କାମ ହେଲା "କିଛି କାମ ନ କରିବା' । ସ୍କୁଲ ଘରଟି ହେଉଛି ଆମ ସମ୍ପତ୍ତି । ତାକୁ ଖର୍ଚ କରିବାର ସ୍ୱାଧୀନତା ଜଣେ ଶିକ୍ଷକର ବ୍ୟକ୍ତିତ୍ୱର ଅଭିବ୍ୟକ୍ତି । ତାକୁ ଗଢ଼ିବା, ରୂପ ପ୍ରଦାନ କରିବା ପରେ ହିଁ ନିଜ ସୌନ୍ଦର୍ଯ୍ୟବୋଧର ବିକାଶଘଟେ । ସମ୍ପତ୍ତି ସହିତ ଏପରି ଭାବରେ ସମ୍ପର୍କ ଗଭୀରହୁଏ । ସମ୍ପତ୍ତି ଉତ୍ପାଦନକ୍ଷମ ହେବା ଜରୁରୀ, ସୃଜନକ୍ଷମ ହେବା ଜରୁରୀ । ନଚେତ ନିଜ ସଙ୍କଳ୍ପ ଓ ବ୍ୟକ୍ତିତ୍ୱର ବିକାଶ ବା ପ୍ରସାର ହୋଇପାରେ ନାହିଁ । ଟିପଚିହ୍ନ ଦେବା ବା ମୋହର ପିଟିବା ଏକ ସୀମିତ ସାମୟିକ ଓ ଧୂଆଁଳିଆ କାର୍ଯ୍ୟ । କିଛିଦିନ ପରେ ତାହା ଉଭେଇଯାଏ । ଚିହ୍ନ ବି ଛାଡ଼ିଯାଏ ନାହିଁ । ଲୋକଙ୍କ ଗୁଣୁଗୁଣୁ ଭାଷାକୁ ଅନୁବାଦ କରିବା ପାଇଁ ମି. ସନୋଫେବିଚ୍ କ୍ଲୀବପୁରୁଷର ଅନ୍ତରଙ୍ଗ ପ୍ରେମାସ୍ପଦକୁ ବାଛି ପାଖରେ ବସାଇଥାନ୍ତି । ସେ ଦୁହେଁ ଦୁହିଂକ