ପୃଷ୍ଠା:Hada bagicha.pdf/୧୮୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାନ୍ଥରେ ଝୁଲୁଥିବା ଯନ୍ତ୍ରଣା "ବାପା ଜାଣିଛ, ଆଜି ଏ ସହରର ଉତ୍ତାପ ପଇଁଚାଳିଶ ଡିଗ୍ରୀ ସେଲ୍ସିଅସ୍ । ଆଜି ତୁମର ମୃତ୍ୟୁତିଥି । ତିନିବର୍ଷ ତଳେ ଏମିତି ଏକ ପ୍ରଚଣ୍ଡ ଗରମ ଦିନରେ ଅଂଶୁଘାତରେ ତୁମେ, ମା ଆଉ ଆଇ ଗଲାପରେ ମୁଁ ଓ ଅଜା ମିଶି ପଇଁଚାଳିଶ ଡିଗ୍ରୀ ସେଲ୍ସିଅସର ଉତ୍ତାପର ଦିନକୁ ତୁମ ବାର୍ଷିକ ମୃତ୍ୟୁଦିନ ଭାବରେ ପାଳନକରୁଛୁଁ । ସେଥର ଆମ ଘରକୁ ଅଂଶୁଘାତଟି ସଙ୍କ୍ରାମକ ବ୍ୟାଧିଭାବେ ଆସିଥିଲା । ଆଜି ସେଦିନ । ତୁମେ ଓ ମା ଫୃଟ ସାଲାଡ଼ ଭଲପାଉଥିଲ ବୋଲି ଅଜା କହିଲେ ‘ଆଜି ସମସ୍ତଙ୍କୁ ଫୃଟ ସାଲାଡ଼ ଦେବା’ । ରାସ୍ତାରେ ଯାଉଥିବା ଲୋକଙ୍କୁ ଡାକି । ଅଜା ଏବେ ଫଳ କିଣିବାପାଇଁ ସହରକୁ ଯାଇଛନ୍ତି । ମୁଣ୍ଡରେ ଓଦା ଗାମୁଛାଦେଇ ଆଉ ଛତା ନେଇଯିବାକୁ କହିଲି ଯେ ଅଜା କେତେ କଥା କହିଲେ । ସୂର୍ଯ୍ୟକୁ ଗାଳିଦେଲେ । ଆଉ କିଛି ନନେଇ ସହରକୁ ଯାଇଛନ୍ତି । ବାପା, ତୁମେ ଥିଲେ ଅଜାଙ୍କୁ କେତେ ତାଗିଦ୍ କରିଥାନ୍ତ । ମୁଁ ବି ତାଗିଦ୍ କରୁଛି । କିନ୍ତୁ ମାନୁ ନାହାନ୍ତି ।’ ଋଷୀ ତା ବାପାଙ୍କ ଫଟୋ ଆଗରେ ଏତେକଥା କହିଲା ଏବଂ ଚୁପ ହେଲା । ପାଣି ପିଇଲା ଓ ଖଟରେ ଗଡ଼ିପଡ଼ିଲା କିଛି ସମୟ । ମା’ର ଫଟୋକୁ ଚାହିଁଲା ଓ ଚାହିଁ ରହିଲା ଖୁବବେଳଯାଏ । ଅଜା ଆସି "ଋଷୀ, ଶୋଇଛୁ, ଉଠ’ ବୋଲି କହିବାରୁ ଉଠିଲା । ଦେଖିଲା, ସେ ଘଣ୍ଟାଏ ପାଖାପାଖି ଶୋଇପଡ଼ିଥିଲା । ଅଜା ନାତୁଣୀ ମିଶି ଫଳକାଟିଲେ । ଅମୃତଭଣ୍ଡା ତରଭୁଜ ସେଓ କଦଳୀ ପିଜୁଳି ଡାଳିମ୍ବ । ଦହି ମିଶାଇଲେ, ଚିନି ମିଶାଇଲେ ଏବଂ ପ୍ଲାଷ୍ଟିକ କପମାନଙ୍କରେ ସଜାଇରଖିଲେ । ପ୍ରାୟ ଦୁଇଶହ ପାଖାପାଖି । ସବୁକୁନେଇ ତିନୋଟି ସମାଧି ପିଣ୍ଡ ଉପରେ ଥୋଇଲେ । ଋଷୀ ମା’ ଥିଲେ ପାଞ୍ଚ କିଲୋମିଟର ଦୂର ଏକ ଗାଁରେ ଶିକ୍ଷୟିତ୍ରୀ । ପ୍ରତିଦିନ ସାଇକେଲରେ ଯିବାଆସିବା କରୁଥିଲେ । ସେଦିନ ସକାଳସ୍କୁଲ ସାରି ଦିନ ବାରଟାରେ ଘରେ ପହଞ୍ଚିବାପରେ ମୁଣ୍ଡ ବୁଲାଇଦେଲା ଏବଂ ହଠାତ ମରିଗଲେ । ଡାକ୍ତର କହିଲେ ‘ସନ୍‌‌ଷ୍ଟ୍ରୋକ’ । ବାପା କହିଲେ, "ଆମ ବାରିପଟ କ୍ଷେତରେ ତୋ ମା’ର ଶବ ସତ୍କାର କରିବା’ । ସେପରି ହେଲା । ଘରଠୁ ପ୍ରାୟ ଶହେମିଟର ଦୂରତାରେ ନିଜ କ୍ଷେତଭିତରେ ସବୁ କାର୍ଯ୍ୟହେଲା । ତିନିଦିନ ପରେ ଆଇର କାମ ବି ସେଇପାଖରେ କରାହେଲା । ବାପା କହିଲେ ‘ସନ୍‌‌ଷ୍ଟ୍ରୋକ ଡେଇଁଲା’ ଏବଂ କାନ୍ଦିଲେ ଢେରବେଳ ଯାଏ । ଅଜା ତାଙ୍କୁ ବୁଝାସୁଝା କଲେ ଓ ଆଇର ଶବ ପିନ୍ଧିଥିବା ଶାଢ଼ି କାନିରେ ବାପାଙ୍କ ଲୁହପୋଛିଲେ । ଆଇଙ୍କୁ ବି ନିଜ କ୍ଷେତରେ ମା'ଙ୍କ ପାଖରେ ସତ୍କାର କରାଗଲା । ଅଜା ଓ ବାପା ଦୁହେଁ ନିଶଦାଢ଼ି ଓ ବାଳକାଟିଲେ ଏବଂ ଯୋଜନାକଲେ ସେ ସତ୍କାର ସ୍ଥାନରେ ଇଟା ସିମେଣ୍ଟର ଦୁଇଟି ସମାଧି ପିଣ୍ଡ କରାହେବ ଓ ନାଁ ଲେଖାହେବ, ସେମାନଙ୍କ ସ୍ମୃତିରେ । ବାପା ଦୁଇ ସପ୍ତାହକାଳ ତଦାରଖକଲେ । ଦୁଇଜଣ ମିସ୍ତ୍ରୀ ଲାଗିପଡ଼ି ଦୁଇଫୁଟ ଓସାର, ଚାରିଫୁଟ ଲମ୍ବ ଓ ଦୁଇଫୁଟ ଉଚ୍ଚତାର ଦୁଇଟି ସମାଧିପିଣ୍ଡ କଲେ । ସୁନ୍ଦର ଅକ୍ଷରରେ ନାମ ବି ଲେଖାଗଲା । ମୃତ୍ୟୁତିଥି ଲେଖାଗଲା । ଋଷୀ କହିଲା, ‘ବାପା ସେଠି ପଇଁଚାଳିଶ ଡିଗ୍ରୀ ସେଲ୍ସିଅସ୍ ଯୋଗୁଁ ମୃତ୍ୟୁ ହେଲାବୋଲି ଲେଖାଯାଉ ।’ ସେମିତି ହିଁ ହେଲା । ଉତ୍ତାପର ପରିମାଣ ଲେଖାଗଲା ସମାଧି ପିଣ୍ଡରେ । ଦୁଇଜଣ ମିସ୍ତ୍ରୀ ତାଙ୍କ ପାଉଣା ନେଇ ଫେରିଗଲେ ଓ ବାପା ଘରକୁଆସି ପାଣି ଗିଲାସେ ପିଉପିଉ ମରିଗଲେ । ଏପରି ପ୍ରଳୟ ଅନ୍ୟ କେଉଁଠି ହେଇଛି କି ନାଇଁ ଋଷୀ ଭାବି ପାରିଲାନାଇଁ । କାନ୍ଦି ପାରିଲାନାଇଁ । ଅଜା ଓ ନାତୁଣୀ ଚୁପଚାପ ବସିରହିଲେ ଘଣ୍ଟାଏକାଳ, ଛଡ଼ା ଛଡ଼ା । ଯେମିତି କେହିକାହାକୁ ଛୁଇଁବା ମନା । ଯେମିତି ସେମାନେ ଅଛୁଆଁ । ଲୋକଙ୍କ କଥାବାର୍ତା, ପାଦ ଶବ୍ଦ, ଚୁଡ଼ି ଶବ୍ଦ କିଛି ବି ସେମାନଙ୍କୁ ଶୁଭୁ ନଥିଲା । କାଠ ପାଲଟି ଯାଇଥିଲେ ଦୁହେଁ । ଏମାନଙ୍କୁ କନ୍ଦାଇବା ଦରକାରବୋଲି ଭାବିଲେ ବନ୍ଧୁପରିଜନ । ପାଟି ଖୋଲି ପାଣି ପିଆଇଲେ । ମୁହଁରେ ପାଣି ଛାଟିଲେ । କେହିଜଣେ ଋଷୀକୁ ଘୋଷାରିନେଇ ଅଜା କୋଳରେ ବସାଇଦେଲେ । ତାକୁ ତା ମା’ର ଫଟୋ ଦେଖାଇଲେ । ଅଜାଙ୍କୁ ଆଇର ଫଟୋ ଦେଖାଇଲେ । ଧୀରେ ଧୀରେ କେବଳ ସ୍ପର୍ଶ ମାଧ୍ୟମରେ ଦୁହେଁ ଦୁହିଁଙ୍କ ଉପସ୍ଥିତିକୁ ଅନୁଭବ କଲେ ଓ ସାମାନ୍ୟ କାନ୍ଦିଲେ ।