ପୃଷ୍ଠା:Hada bagicha.pdf/୨୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତମେ ସେଇ କଥା କହୁଛ, ଏବଂ ପ୍ରାୟ ସେଇ ଭାବରେ ସତେକି ‘କସ୍ମୈ ଦେବାୟ ହବିଷା ବିଧେମଃ’ ଭକ୍ତର ଏଇ ବାଉଳା ଭାବ ଘାରିଦେଲାଣି ତମକୁ । ଏହି ଅଭିଯୋଗର କାରଣ ଚାଲିଗଲାଣି ଏବେ, ଏବଂ ସେମାନଙ୍କ ପ୍ରଶଂସାରେ ମୁନି ଓ ମାନେ ଆସିଗଲାଣି, ତା’ ନୁହେଁ । କିନ୍ତୁ ଆଜିକାଲି ସେଇ ଦୁଃଖ ବିଶେଷ ବାଧୁ ନାହିଁ ତାଙ୍କୁ । କାରଣ ସେ ପ୍ରଶଂସାରେ ମୋଡ଼ି ହୋଇ ପଡୁଛନ୍ତି । ‘ମହାନ୍ ସାହିତ୍ୟ ସାଧକ’, ‘ଉକ୍ରଳ ଭାରତୀଙ୍କ ବରପୁତ୍ର’, ‘କାଳଜୟୀ ସାହିତ୍ୟର ସ୍ରଷ୍ଟା’ ଇତ୍ୟାଦି ଶବ୍ଦାବଳୀର କ୍ରମବର୍ଧମାନ ଚାପରେ । ଏବଂ ତାଙ୍କର ମନେ ହେଉଛି ଯେ ତାଙ୍କର କେତେକ ଅଗ୍ରଜ ମାନଙ୍କ କଥା ଛାଡ଼, ତାଙ୍କ ବେଳର ଆଉ କାହାକୁ ବୋଧହୁଏ ମିଳୁ ନାହିଁ ଏହିପ୍ରକାର ପ୍ରଶଂସା । ସେଦିନ ଗୋଟିଏ ସଭାରେ ଜଣେ ତାଙ୍କୁ ‘ବିଶ୍ୱବିଖ୍ୟାତ’ ବୋଲି ମଧ୍ୟ କହିଲେ, ଯେଉଁଥିରେ ତାଙ୍କୁ ଟିକିଏ ଲାଜେଇ ଯିବାକୁ ପଡ଼ିଲା । କିନ୍ତୁ ସେ ଆକାଶରୁ ଖସିଲେ ଯେତେବେଳେ ସେଇ ବକ୍ତା ତାଙ୍କ ପାଖକୁ ଆସି ପଚାରୁଛି ‘ସାର୍, ମୁଁ ଆପଣଙ୍କ ‘ଫୁଲଚାଙ୍ଗୁଡ଼ି’ ଗପଟିକୁ ଭୁଲିପାରିବି ନାହିଁ । ତା’ପରେ କ’ଣ ସବୁ ଲେଖିଛନ୍ତି ଆପଣ?’ କାରଣ ସେଇ ଲୋକପ୍ରିୟ ଗପଟି ତାଙ୍କର ପଚାଶବର୍ଷ ତଳର ଲେଖା! କିନ୍ତୁ ସେଇ ପୁର୍ନଜାଗୃତ କ୍ଷୋଭକୁ ମଧ୍ୟ ସେ ଯଥାଶୀଘ୍ର ଆୟତ୍ତ କରିପାରିଲେ । ଭାବିଲେ ଯେ ବକ୍ତା ମହାଶୟ ମୋ ସାହିତ୍ୟର ଆଉ କିଛି ନ ପଢ଼ିଥିଲେ ନାହିଁ, ମୋର ସୁନାମ କ’ଣ ପହଞ୍ଚୁ ନାହିଁ ତାଙ୍କ ପାଖରେ? ସେହେତୁ ସେ ତୋତେ ବିଶ୍ୱବିଖ୍ୟାତ ବୋଲି କହିଲେ, ଏଥିରେ ଭାବିବାର କ’ଣ ଅଛି? ମୋଟ ଉପରେ ଗୋପାଳବାବୁ ବୁଝିଲେଣି ଯେ ସେ କେବଳ ଜଣେ ବରିଷ୍ଠ ଓ ପ୍ରବୀଣ ଲେଖକ ନୁହନ୍ତି । ସେ ମଧ୍ୟ ସଫଳ । ସଫଳତାର ପ୍ରତିମୂର୍ତ୍ତିଟିଏ । ବେଳେବେଳେ ସେ ମଧ୍ୟ ନିଜକୁ ଚେତାଇ ଦିଅନ୍ତି ଏହି ଭାବରେ, ଯେତେବେଳେ ତାଙ୍କ ବୁଦ୍ଧିଜୀବୀ ସତ୍ତାକୁ ଅସ୍ୱସ୍ତି ଲାଗେ ଉପରୋକ୍ତ ସ୍ତୁତିଗାନ । କୁହନ୍ତି- ମଲା? ଭୁଲିଯାଅ ଫକୀରମୋହନ ରାଧାନାଥ ଆଦି ପ୍ରାତଃସ୍ମରଣୀୟ ପୂର୍ବସୂରୀମାନଙ୍କ କଥା । ମୋରି କେତେକ ଅଗ୍ରଜ, ଜୀବିତ ଅଗ୍ରଜ ମାନଙ୍କୁ କ’ଣ ମିଳି ନାହିଁ ଏହିପ୍ରକାର ପ୍ରଶଂସା, ବିଭିନ୍ନ ସଭାସମିତିରେ? ଏବଂ ମୁଁ କ’ଣ ଦେଖି ନାହିଁ ସେମାନେ ତା’କୁ କେମିତି ପିଇଯାଆନ୍ତି ପ୍ରସନ୍ନ ସୁନ୍ଦର ମୁଦ୍ରାର ପରାକାଷ୍ଠା ଦେଖାଇ? ଦେଖିଛି କବି ଯୋଗେନ୍ଦ୍ର ଚୌଧୁରୀଙ୍କ ମିଞ୍ଜିମିଞ୍ଜି ଆଖିର ଦ୍ୟୁତି । ଦେଖିଛି ଗାଳ୍ପିକ ମୋହନ ମହାନ୍ତିକ ହାଡୁଆ ମୁହଁ କେମିତି ପୂରି ଉଠିଲା ପରି ଲାଗେ । ଦେଖିଛି କବୟିତ୍ରୀ ତଥା ଔପନ୍ୟାସିକା ତଥା ପ୍ରାବନ୍ଧିକା ଅନିମା ପଢ଼ିଆରୀଙ୍କ ପୃଥୁଳ ବପୁ କେମିତି ଚଞ୍ଚଳ ହୋଇଉଠେ । ଦେଖିଛି... ଗୋପାଳ ମହାପାତ୍ର କ’ଣ ତାଙ୍କ ପଛକୁ ଲାଗି ଆସିନାହିଁ, ଏବଂ ଅନେକ କିଛି ଲେଖି ଯାଇନାହିଁ ମାନବ ଜାତି ପାଇଁ? ତା’ହେଲେ ସେ କ’ଣ ଦୋଷ କରିଛି ଯେ ସେ ଏଇ ସ୍ତୁତିଗାନକୁ ଯଥାର୍ଥରେ ଗ୍ରହଣ କରିପାରିବ ନାହିଁ? ଦିବ୍ୟସୁନ୍ଦର ହସଟିଏ ହସିଦେଇ ପାରିବ ନାହିଁ, ଶ୍ରୋତା ଏବଂ ଦର୍ଶକମାନଙ୍କୁ ଆପ୍ୟାୟିତ କରିବା ଲାଗି? ହଁ । ମୁଁ ସଫଳ । ସଂପୂର୍ଣ୍ଣ ସଫଳ । ଆପତ୍ତିର କିଛି କାରଣ ଅଛି କି? ବିଫଳତାବୋଧର କାରଣ ଥିଲା ହୁଏତ କିଛିଦିନଯାଏଁ ଯେତେବେଳେ ମୋ ଲେଖା ପାକଳ ହୋଇ ନଥିଲା । ସେଇଠୁଁ ଆସିଲା ଏଇ ଅସନ୍ତୋଷ, ଯେ ସେମାନେ ମୋତେ ବୁଝିଲା ପରି ବୁଝୁ ନାହାନ୍ତି । ଯେ ତାଙ୍କ ପ୍ରଶଂସା ଗୁଡ଼ାକ ପାଣିଚିଆ ଓ ସର୍ବସାଧାରଣ । କିନ୍ତୁ ମୁଁ ପାରି ହୋଇ ଆସିଲିଣି ସେଇ ପର୍ଯ୍ୟ୍ୟାୟରୁ । ମୋତେ ସେମାନେ ବୁଝନ୍ତୁ କି ନ ବୁଝନ୍ତୁ, ମୋ ସାହିତ୍ୟର କ’ଣ ପଢ଼ିଛନ୍ତି ନ ପଢ଼ିଛନ୍ତି ଯାଏ ଆସେ ନାହିଁ, ଆଜିକାଲିର ପ୍ରଶଂସା ଏତେ ବଳବନ୍ତ ଏବଂ ଆଖି ଝଲସା, ଯେ ତା’ର ଅବମାନନା କରିବା ଛୋଟମନର ପରିଚାୟକ ବୋଲି କୁହାଯିବ । ଏହି ଭାବରେ ଏକାଅଶୀ ବର୍ଷ ବୟସ୍କ କଥାକାର ଗୋପାଳ ମହାପାତ୍ର ତାଙ୍କ ‘ସଫଳତା’କୁ ଆଦରି ନେଇ ତା’କୁ ଯଥାବିଧି ସମ୍ମାନ ଦେଇ ପାରିଛନ୍ତି, ଆଦିଯୁଗର ବିଫଳତାକୁ ପଛରେ ପକାଇ, ଏବଂ ଅଦ୍ୟାବଧି ଲାଖିରହିଥିବା ଅସନ୍ତୋଷକୁ ଆଡ଼େଇ ଦେଇ । ଏବଂ ସେହେତୁ ସେ ଏକ ମହାନୁଭବ ଉଦାରତାର ବଶବର୍ତୀ ହୋଇ ପଢ଼ି ଚାଲିଛନ୍ତି ତରୁଣ କଥାକାର ମାନଙ୍କ ଲେଖା । ଆଜି ପାଳି ପଡ଼ିଛି ମନୋଜ ପଣ୍ଡାଙ୍କ । ହେଲା ଏବେ ପଢ଼ିବାର ଢାଞ୍ଚା ବଦଳି ନାହିଁ ବିଶେଷ । ମଧ୍ୟ ‘ହେଲା ନାହିଁ, ହେଲା ନାହିଁ’ ସୂଚକ ମୁଣ୍ଡହଲା । ହେଲେ ନିଃସନ୍ଦେହ ଯେ ସେ ସେମାନଙ୍କୁ ସମ୍ମାନ ଦେବାକୁ ଚାହାନ୍ତି, ଏବଂ ତାଙ୍କ ଭବିଷ୍ୟତ ସାହିତ୍ୟିକ ଜୀବନର ସଫଳତା କାମନା କରନ୍ତି । ମନୋଜ ପଣ୍ଡାଙ୍କ ଠାରେ କେଉଁ ସୁସ୍ମିତା କି ସସ୍ମିତାର କଥାକାହାଣୀ ପଢ଼ିବାର ଅଛି । ଗୋପାଳବାବୁ ଆଗେଇଗଲେ । ହେଲେ ପଢୁ ପଢୁ ସେ ତାଙ୍କର ଗୋଟାଏ ଗପକୁ ନେଇ ଅଟକିଗଲେ । ସେ ଶୁଣିଛନ୍ତି ଯେ ମନୋଜ ପଣ୍ଡା ଫାଣ୍ଟାସି ନାମକ ଫନ୍ଦିର ଅନ୍ୟତମ ବେପାରୀ ।