ପୃଷ୍ଠା:Odisha Itihasa.pdf/୨୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲେଖକଙ୍କ ମତରେ, ଶିକ୍ଷିତ ବୁଦ୍ଧିଜୀବୀନିମନ୍ତେ ଏକ ଆବଶ୍ୟକୀୟ ଚରିତ୍ର ହେଲା ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ ବା ଅହେତୁକ ସମାଲୋଚନାରୁ ଊର୍ଦ୍ଧ୍ୱରେ ରହି ସ୍ୱ-ସମାଜର ହିତଲାଗି ସାଧନା କରିବା ଆଧୁିକ ଯୁଗରେ ବୁଦ୍ଧିଜୀବୀର ଦାୟିତ୍ୱ ପ୍ରଶ୍ନକୁ ନେଇ ଫକୀର ମୋହନ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଉକ୍ତ ଅବଧାରଣାକୁ ସମକାଳୀନ ଅନ୍ୟ ବୁଦ୍ଧିଜୀବୀଙ୍କ ଅଭିବ୍ୟକ୍ତି ଓ କାର୍ଯ୍ୟରେ ମଧ୍ୟ ଦେଖିହେବ । ତତ୍‍କାଳୀନ ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟପନ୍ଥା ମଧ୍ୟରେ ପାର୍ଥକ୍ୟ ଦେଖାଯାଇ ପାରେ, ମାତ୍ର ସମାଜ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ନେଇ ଦ୍ୱିମତ ହେବାର ନାହିଁ । ଆଧୁିନିକ ପାଶ୍ଚାତ୍ୟ ଶିକ୍ଷାରେ ଭୂଷିତ ଏବଂ ସମାଜ ବା ଜାତି ପ୍ରସଙ୍ଗକୁ ନେଇ ସଦା ଜାଗ୍ରତ ଏହି ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀକୁ ଆମେ ଜାତୀୟତାବାଦୀ ନେତୃତ୍ୱ ନାମରେ ନାମିତ କରିପାରିବା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଏକ କ୍ଷୁଦ୍ର ବର୍ଗ ଭାବରେ ଏହି ଗୋଷ୍ଠୀର ବିକାଶ ଆରମ୍ଭ ହେଲା । ଏହା ସହିତ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଘଟିଲା । ଜାତୀୟତାବାଦୀ ନେତୃତ୍ୱ ଓଡ଼ିଆ ଜାତିକୁ ଭାରତୀୟ ମହାଜାତିର ଏକ ଅଭିନ୍ନ ଅଂଶ ରୂପେ ଦେଖୁଥିଲା ଏବଂ ପ୍ରାନ୍ତୀୟ ଉନ୍ନତି ସର୍ବଦା ମହାଜାତି ଭାରତର ଗଠନରେ ପରିପୂରକ ହେବ ବୋଲି ଯୁକ୍ତି କରୁଥିଲା । ନେତୃତ୍ୱର ଏହି ଦୃଷ୍ଟିକୋଣ ଜାତୀୟତାର ଉନ୍ମେଷକୁ ଦିଗ୍‍ଦର୍ଶନ ଦେଲା ।

ଶିକ୍ଷା ଊନବିଂଶ ଶତାବ୍ଦୀର ଜାତୀୟତାବାଦୀ ବୁଦ୍ଧିଜୀବୀ ଦୃଷ୍ଟିରେ ସାମାଜିକ ଉନ୍ନତି ସକାଶେ ଶିକ୍ଷା ହେଲା ଏକ ଅତି ଆବଶ୍ୟକ ଉପାଦାନ । ଆଧୁନିକ ଶିକ୍ଷା ଲାଭ କରିବା ପରେ ବୁଦ୍ଧିଜୀବୀମାନେ ଭଲ ଭାବେ ବୁଝି ପାରିଲେ ଯେ, ଶିକ୍ଷାର ଅଭାବଯୋଗୁଁ ଜାତି ପଛେଇ ଯାଇଛି । ତେଣୁ, ସେମାନେ ଶିକ୍ଷାର ପ୍ରସାରଲାଗି ଆପ୍ରାଣ ଉଦ୍ୟମ କଲୋ ଏହି ପ୍ରକ୍ରିୟାରେ ସେମାନେ ସରକାର ଓ ଅନ୍ୟ ଧନାଢ଼୍ୟ ବର୍ଗକୁ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇଲେ; ଅନେକ ସମୟରେ ନିଜେ ଶିକ୍ଷକ ହୋଇ ଶିକ୍ଷାଦାନ କଲେ; ପୁଣି କେତେକ ସ୍ଥଳରେ ବ୍ୟକ୍ତିଗତ ଉଦ୍ୟମରେ ସ୍କୁଲ୍‍ମାନ ଆରମ୍ଭ କଲେ । ଫକୀରମୋହନ ନିଜ ସାମାଜିକ ଜୀବନର ଆରମ୍ଭ କାଳରେ ଅନେକ ବର୍ଷ ଧରି ବାଲେଶ୍ୱରର ଏକାଧିକ ସ୍କୁଲ୍‍ରେ ଶିକ୍ଷକତା କରିଥିଲେ । ଶିକ୍ଷକ ଭାବରେ ସେ କେବଳ ଗାଁ ପିଲାଙ୍କୁ ନିୟମିତ ସ୍କୁଲ୍‍ ଆସିବାକୁ ପ୍ରେରଣା ଦେଉନଥିଲେ, ତା' ସହିତ କେତେକ ଦରିଦ୍ର ପିଲାଙ୍କର ସ୍କୁଲ୍‍ ଦରମା ମଧ୍ୟ ନିଜେ ବହନ କରୁଥିଲେ । ଆଧୁିନିକ ଓଡ଼ିଆ ସାହିତ୍ୟର ଅନ୍ୟ ଜଣେ କର୍ଣ୍ଣଧାର ମଧୁସୂଦନ ରାଓ (୧୮୫୩-୧୯୧୨) ଥିଲେ ଜଣେ ପ୍ରତିବଦ୍ଧ ଶିକ୍ଷକ । କଟକ ଥିଲା ତାଙ୍କ କର୍ମକ୍ଷେତ୍ର । ପ୍ରତିବଦ୍ଧ ଶିକ୍ଷକର ପିଢ଼ି ତିଆରି କରିବା ତାଙ୍କପାଇଁ ଥିଲା ଏକ ଜାତୀୟ କାର୍ଯ୍ୟ । ଏଥିପାଇଁ ସେ 'ଶିକ୍ଷାବନ୍ଧୁ' ନାମରେ ଏକ ପତ୍ରିକା ମଧ୍ୟ ପ୍ରକାଶନ କରୁଥିଲେ । ଅନ୍ୟ ଜଣେ ବିଶିଷ୍ଟ କବି ରାଧାନାଥ ରାୟ(୧୮୪୮-୧୯୦୮) ସ୍କୁଲ୍‍ ନିରୀକ୍ଷକ ରୂପେ କାର୍ଯ୍ୟକରି ଓଡ଼ିଶାରେ ଅନେକ ସ୍କୁଲ୍‍ ସ୍ଥାପନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପ୍ୟାରିମୋହନ ଆଚାର୍ଯ୍ୟ{{right|ଓଡ଼ିଶା ଇତିହାସ . ୨୧୭