ପୁନର୍ବାର ଓକିଲ ସୁଆଲରେ ସାକ୍ଷୀ କିଞ୍ଚିତ୍ ଖପା ହୋଇ ଜବାବ ଦେଲେ, ଆମ୍ଭେ ଆଜକୁ ସାଢ଼େ ଦଶ ବରଷ ହେଲା ସିଭିଲସର୍ଜନୀ କରି ଆସିଅଛୁଁ, ପ୍ରଥମେ ମିଲିଟାରୀ ଡିପାର୍ଟମେଣ୍ଟରେ ଥିଲୁ, ଆମ୍ଭେ ଲଣ୍ତନ କଲେଜରେ ଡାକ୍ତରୀ ପଢ଼ି ପାଶ୍ କରିଛୁ ।
ପୁନର୍ବାର ସୁଆଲରେ ଜବାବ ଦେଲେ - ପ୍ରଥମେ ଆମ୍ଭେ ହସ୍ପିଟାଲ ଆସିଷ୍ଟାଣ୍ତ ଥିଲୁ, ବର୍ମା ଯୁଦ୍ଧରେ ଆମ୍ଭର ପ୍ରମୋଶନ ହୋଇଛି ।
ଜଜ୍ ସାହେବ ଆସାମୀ ଓକିଲକୁ ଅନାଇ କହିଲେ - ତୁମାରା କୁଛ୍ ସବାଲ ହେ ? ଆସାମୀ ତରଫ ଓକିଲ ରାମରାମ ଲାଲାଙ୍କ ସୁଆଲ - ଡାକ୍ତର ସାହେବଙ୍କୁ ଅନାଇ କହିଲେ, "ଆଚ୍ଛା, ମିସଲ ଉପରେ ଆସାମୀର ଯେଉଁ ବାଉଁଶ ଠେଙ୍ଗା ଅଛି, ଏହି ଠେଙ୍ଗାର କିଛି ଦାଗ ଲାସ୍ ପିଠିରେ ଅଛି କି ?
ଜଜ୍ ସାହେବ -"ନନ୍ସେନ୍ସ ! ଆଉର କ୍ୟା ପୁଚ୍ଛ୍ ନେକା ହେ ପୁଚ୍ଛେ ।
ଓକିଲ ସାକ୍ଷୀକୁ ପୁନର୍ବାର ଜେରା କଲେ - ଆଚ୍ଛା, ଆପଣ କହୁଛନ୍ତି ସାରିଆ ଉପାସ ରହି ମରିଛି, ସେ ଆପେ ଉପାସ ରହିଥିଲା କି ଆସାମୀ ତାକୁ ଉପାସ ରଖାଇଥିଲା ।
ଜଜ୍ ସାହେବ - "କୁଛ ବାତ୍ ନେହି, ଗୋ ଅନ୍ ଚଲୋ ଚଲୋ ।"
ପୁନର୍ବାର କେରା - "ଆଚ୍ଛା,ସାରିଆ ଆସାମୀ ଦୁଆରେ ମରିଥିବା କିଛି ପ୍ରମାଣ ଅଛି ?" ଜଜ୍ ସାହେବ ଖପା ହୋଇ କ ହିଲେ - "ଦେଖୋ, ତୁମ୍ ଏସା ବେହୁଦା ସବାଲ କରୋଗେ ତ ତୁମାରା ଓକିଲାତି କେନ୍ସଲ କର ଦେଗା ।"
ଓକିଲ - "ହଜୁର ଖୋଦନ୍ଦ୍ - ମା ବାପ ଦୁନିଆକା ବାସସା । "
ଆସାମୀର ଜବାବ ନିଆଗଲା ଉତ୍ତାରେ ଦୁଇପକ୍ଷ ଓକିଲଙ୍କ ବକ୍ତୃତା ହେଲା, ଭାରି ଝଟାପିଟା ଲାଗିଲା, ଊଣା ନୁହେଁ, ଅଢ଼େଇ ଘଣ୍ଟା କାଳ ବତ୍କୃତା । ଏହି ଅବକାଶରେ ସାହେବ ବେଲମ୍ବର ଖଣ୍ତେ ଛପା କାଗଜ ପଢ଼ିପକାଇ ଟିଫିନ୍ ଖାଇ ଆସିଲେଣି ! ହାକିମ ବନ୍ଦ କରାଇ ନ ଥିଲେ ବତ୍କୃତା ବରାବର ଚାଲିଥାନ୍ତା ।
ହାକିମଙ୍କ ହୁକୁମ ଅନୁସାରେ ସେରସ୍ତଦାର ରୋବକାରୀ ଲେଖି ପ୍ରକାଶ କଲେ ସେହି ରୋବକାରୀଟା ବାରଫର୍ଦ୍ଧ କାଗଜରେ ଲେଖଗଲା । ରୋବକାରୀ