ପୃଷ୍ଠା:Odisha Itihasa.pdf/୩୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅର୍ଜୁନ ବିଶ୍ୱାଳଙ୍କ ଘରେ 'ସ୍ୱାଧୀନ ସରକାର'ର ଅଫିସ୍‍ ସ୍ଥାପିତ ହେଲା । ପ୍ରତିଦିନ ସକାଳେ ଘର ଉପରେ କଂଗ୍ରେସ ପତାକା ଉଡ଼େ ଏବଂ ସନ୍ଧ୍ୟାରେ ତାକୁ ସାମରିକ କାଇଦାରେ ଅବତରଣ କରାଯାଏ । ସ୍ୱାଧୀନ ସରକାରର କଚେରିରେ କଂଗ୍ରେସକୁ ଅମାନ୍ୟ କରୁଥିବା ଲୋକଙ୍କର ବିଚାର ହୁଏ ଏବଂ ଦୋଷୀ ବ୍ୟକ୍ତିଙ୍କୁ 'ଜେଲ'ରେ ରଖାଯାଏ । ବିଶେଷକରି ଆନ୍ଦୋଳନର ବିରୋଧୀ ଓ ଇଂରେଜ ସମର୍ଥକ ଏବଂ ସେମାନଙ୍କ ଗୁପ୍ତଚରମାନଙ୍କୁ ଦଣ୍ଡ ବିଧାନ କରାଯାଏ । ସେପ୍ଟେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ସ୍ୱାଧୀନ ସରକାର କାର୍ଯ୍ୟ କରିଥିଲା । ଇରମ ସମାନ୍ତରାଳ ସରକାରର ସାମୟିକ ସଫଳତା ପଛରେ ଏକାଧିକ କାରଣ ରହିଥିଲା । ଭୌଗୋଳିକ ଦୃଷ୍ଟିରୁ ଏହା ଥିଲା ଏକ ଦ୍ୱୀପପ୍ରାୟ ଅଂଚଳ । ଏହାର ଗୋଟିଏ ପାଖରେ ସମୁଦ୍ର ଓ ଅନ୍ୟ ପାଖରେ ନଦୀ ରହିଥିଲା, ଯାହା ଫଳରେ ବିଚ୍ଛିନ୍ନ ପ୍ରାୟ ଏହି କ୍ଷେତ୍ର ସଂପର୍କରେ ପୋଲିସ କର୍ତ୍ତୃପକ୍ଷଙ୍କ ପାଖରେ ସୂଚନା ପହଞ୍ଚି ପାରୁ ନଥିଲା । ସମାନ୍ତରାଳ ସରକାର ପ୍ରତି ପ୍ରବଳ ଜନ ସମର୍ଥନ ରହିଥିଲା । ତୃତୀୟରେ, ଦଣ୍ଡ ଭୟରେ ସ୍ଥାନୀୟ ଚୌକିଦାର ଓ ସରକାରୀ କର୍ମଚାରୀମାନେ ସ୍ୱାଧୀନ ସରକାରକୁ ସହଯୋଗ କରୁଥିଲେ । ବିଶେଷକରି ଚୌକିଦାରମାନଙ୍କ ସହଯୋଗଯୋଗୁଁ ସମାନ୍ତରାଳ ସ୍ୱାଧୀନ ସରକାରର ଗଠନ ସଂକ୍ରାନ୍ତରେ ସୂଚନା ପୋଲିସ ପାଖରେ ଅନେକ ଦିନ ପର୍ଯ୍ୟନ୍ତ ପହଞ୍ଚି ପାରି ନଥିଲା ।

ଶେଷରେ 'ସ୍ୱାଧୀନ ବାଞ୍ଛାନିଧି ଚକଲା' ଧନୀ ଜମିଦାରମାନଙ୍କ ଗୋଦାମ ଲୁଟ କଲା ଏବଂ ତଟ ନିରୀକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କଲା । ଜମିଦାରମାନଙ୍କ ଅଭିଯୋଗକ୍ରମେ ପୋଲିସ କାର୍ଯ୍ୟନୁଷ୍ଠାନପାଇଁ ୨୮ ତାରିଖରେ ଇରମ ଅଭିମୁଖେ ଯାତ୍ରା କଲେ । ପୋଲିସ ଆସିବାର ଖବର ପାଇ ଛଅ ସାତ ହଜାର ଲୋକ ଏକତ୍ରିତ ହେଲେ । ସେମାନେ ପୋଲିସ ବାହିନୀର ଜିିଷପତ୍ର ବୋହିଥିବା ଚୌକିଦାରମାନଙ୍କୁ ଲୁଟି ନେଲେ । ସ୍ଥାନୀୟ ମେଳଣ ପଡ଼ିଆରେ କଂଗ୍ରେସର ସଭା ଚାଲିଲା । ପୋଲିସ ସେଠାରେ ପହଞ୍ଚି ଗୁଳି ଚାଳନା କଲେ । ସଭାରେ ସମବେତ ଜନତାଙ୍କ ମଧ୍ୟରୁ କେତେକ ମହିଳାଙ୍କ ସମେତ ମୋଟ ୨୯ ଜଣ ଲୋକ ପୋଲିସ ଗୁଳିରେ ପ୍ରାଣତ୍ୟାଗ କଲେ; ଶହେରୁ ଅଧିକ ଲୋକ ଗୁରୁତର ଆହତ ହେଲେ । ଗୁଳିଚାଳନା ପରେ ପୋଲିସ ଗାଁ ଲୋକଙ୍କ ଘରବାଡ଼ି ଲୁଟି ନେଲେ । ଆନ୍ଦୋଳନର ପ୍ରମୁଖ ନେତା ଅନିରୁଦ୍ଧ ମହାନ୍ତି, କମଳା ପ୍ରସାଦ କର ଓ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଗିରଫ କରାଗଲା । ଏହା ପରେ ଇରମର ଆନ୍ଦୋଳନ ଆଉ ମୁଣ୍ଡଟେକି ପାରିଲା ନାହିଁ ।

ନିମାପଡ଼ା ଗୁଳିକାଣ୍ଡ ଅସହଯୋଗ ଓ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ ଅପେକ୍ଷାକୃତ ଅଧିକ ସକ୍ରିୟ ଥିବା ପୁରୀ ଜିଲ୍ଲା, ଅଗଷ୍ଟ ବିପ୍ଳବରେ ବେଶି ସଂପୃକ୍ତ ଥିବା ଜଣା ପଡ଼ିଥିଲା । ଏହାର ଏକାଧିକ କାରଣ୩୧୨ . ଓଡ଼ିଶା ଇତିହାସ