ପୃଷ୍ଠା:Chha mana atha guntha.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୃତ ସାରିଆ ବା ଭଗିଚନ୍ଦ୍ରର ପାନିଆ, ଢ଼ୁଙ୍ଗୀ, ନାରାଜ, ଚରଖି, ତନ୍ତବୁଣାର ସରଞ୍ଜାମ ଏବଂ କଂସା, ଢାଳ ପ୍ରଭୃତି ଗୃହର ବ୍ୟବହାର୍ଯ୍ୟ ଦ୍ରବ୍ୟ ପୋଲିସ ଆସାମୀ ଘରୁ ବରାମଦ କରିଛି; ମାତ୍ର ଆସାମୀ ସିଭିଲକୋର୍ଟର ଯେଉଁ ତାଲିକା ଦାଖଲ କରେ, ସେଥିରୁ ଜଣାଯାଏ ସେ ଭଗିଚନ୍ଦର ଛ ମାଣ ଆଠଗୁଣ୍ଠ ଜମି ଆସାମୀଠାରେ କଟବନ୍ଧକ ରଖିଥିଲା । ସେହି ମାମଲାର ଅଦାଲତର ଖର୍ଚ୍ଚା ଆଦାୟ ଜୁମିଲାକୁ ଆସାମୀ ନିଲାମ ସକ୍ରେ ସେ ସବୁ ଖରିଦ କରିନେଇଅଛି । ଅବଶ୍ୟ ସ୍ୱୀକାର କରିବାର ଯଥେଷ୍ଟ କାରଣ ବିଦ୍ୟମାନ ଅଛି ଯେ, ସେ କଟକବଲା ନାଲିସ ନିଲାମ ସମସ୍ତ ପ୍ରତାରଣାପୂର୍ଣ୍ଣ : ମାତ୍ର ଉପସ୍ଥିତ ମକଦ୍ଦମାରେ ସେ ସମସ୍ତ ବିଷୟ ବିବେଚ୍ୟ ନୁହେଁ । ଆସାମୀ ଭଗିଚନ୍ଦର ଛମାଣ ଆଠଗୁଣ୍ଠ ନିଷ୍କର ଭୂମି ଏବଂ ତାହାର ସର୍ବସ୍ୱ ହରଣ କରିବାରୁ ସେହି ଦୁଃଖରେ ଭଗିଚନ୍ଦର ପାଗଳ ହୋଇଯାଇଥିବା ସାରିଆ ଅନାହାରରେ ପ୍ରାଣତ୍ୟାଗ କରିଥିବା, ଆମ୍ଭେ ବିଶ୍ୱାସ କରୁଁ ମାତ୍ର ସେଥିପାଇଁ ଆସାମୀକୁ ନରହତ୍ୟା ଅପରାଧରେ ଅପରାଧୀ କରାଯାଇ ନ ପାରେ ।

ଆସାମୀ ଅଗଣା ମଧ୍ୟରୁ ନେତ ନାମକ ଏକରାସ ଧଳା ରଙ୍ଗର ଗାଈ ପୋଲିସ ବରାମଦ କରିଅଛି । ଗାଈ ଭଗିଚନ୍ଦର ଥିବା ପକ୍ଷମାନେ ସ୍ୱୀକାର କରୁଅଛନ୍ତି । ଆସାମୀ ପ୍ରକାଶ କରେ, ତାହାର ମକଦ୍ଦମା ଖର୍ଚ୍ଚ ଆଦାୟ ନିମନ୍ତେ ଅଦାଲତରେ ପିଆଦା ନିଲାମ କରିବାରୁ ପ୍ରକାଶ୍ୟ ନିଲାମରେ ସେ ତାହା ଖରିଦ କରିଅଛି । ମାତ୍ର ଏହା ସମ୍ପୂର୍ଣ୍ଣ ଅସତ୍ୟ ଅଟେ: କାରଣ ସିଭିଲକୋର୍ଟ ଦସ୍ତଖତ ମୋହର ଯୁକ୍ତ ଯେଉଁ ନିଲାମ ଫର୍ଦ୍ଦ ଆମ୍ଭ ସାକ୍ଷାତରେ ଉପସ୍ଥିତ କରାଯାଇଅଛି, ସେଥିର ନେତଗାଈର ଉଲ୍ଲେଖ ନାହିଁ । ଆମ୍ଭେ ଯଥେଷ୍ଟ ପ୍ରମାଣ ପାଇଛୁ ଯେ, ଆସାମୀ ଶଠତା ପ୍ରତାରଣା ଦ୍ୱାରା ପର ସମ୍ପତ୍ତି ଆତ୍ମସାତ୍ କରିବା ବିଷୟରେ ଖୁବ୍ ନିପୁଣ ଅଟେ । ସେ ଜଣେ ସାମାନ୍ୟ ଲୋକ ଥିଲା । ଅସତ୍ ଉପାୟ ଅବଲମ୍ବନ ଦ୍ୱାରା ଅନେକ ଉପାର୍ଜ୍ଜନ କରିଛି ଏବଂ ସେ ଗ୍ରାମର ଜମିଦାର ଓ କ୍ଷମତାଶାଳୀ ଥିବାର ଏବଂ ଭଗିଚନ୍ଦ୍ରକୁ ଦୁର୍ବଳ ଏବଂ ପ୍ରତିକାର କରିବାକୁ ଅକ୍ଷମ ଜ୍ଞାନ କରି