ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିନ ପାଇଁ ଏଇ ପଟଚିତ୍ର ହିଁ ପୂଜା ପାଇଁ ଜଗନ୍ନାଥ ତ୍ରିମୂର୍ତ୍ତିଙ୍କର ବିକଳ୍ପ ! ମୁଁ ଆପଣଙ୍କର ଫଟୋକୁ ଦେଖିଛି, କିନ୍ତୁ ଏଥିରେ ପଟି ଦିଅଁଙ୍କୁ ମନ୍ଦିରକୁ ନିଆଯିବାର କୌଣସି ଚିତ୍ର ନାହିଁ । ବହିରେ ଏ ଚିତ୍ରଟି ଯିବା ନିତାନ୍ତ ଆବଶ୍ୟକ ।

ଯଦିଓ ସେ ଠିକ କଥା କହୁଥିଲେ, ମୁଁ ମନ ଭିତରୁ ଏ ବହି ବିଷୟରେ ସବୁ କଥା କାଟି ଦେଇଥିଲି । କହିଲି, ଏ କଥା ଅସମ୍ଭବ । ଭଦ୍ରମହିଳା କିନ୍ତୁ ପାଣ୍ଡୁଲିପିକୁ ଭଲ ଭାବରେ ପଢ଼ିଥିଲେ । କହିଲେ, ଏଇ ଅଳ୍ପ ଦିନରେ ପୁଣି ରଥଯାତ୍ରା ଆସୁଛି । ଆପଣ ଦିନେ ଦି ଦିନ ପାଇଁ ପୁରୀ ଯାଇ ସହଜରେ ଏଇ ଫଟୋ ଉଠାଇ ଆଣି ପାରିବେ । ମୋ ମୁହଁରେ ଉଦାସ ଭାବ ଦେଖି ସେ ଯୋଗ କଲେ, ମୁଁ ଭାବୁଛି ଆପଣ ମତେ ନିରାଶ କରିବେ ନାହିଁ ।

ଏପରି ଭାବରେ ଅନିଚ୍ଛା ସତ୍ତ୍ୱେ ମତେ ପୁଣି ଯିବାକୁ ହେଲା ପୁରୀ । ଏଥରକ ମୋ ମୁଣ୍ଡ ଉପରେ କାମର ଭାର ନ ଥିଲା, ଆଉ ମୁଁ ଠିକ କରିଥିଲି ଆରାମରେ କିଛିଦିନ ବୁଲାବୁଲି କରି ତା ଭିତରେ ମୋର ଏଇ ଛୋଟ କାମଟି ତୁଲାଇବି । ମୁଁ ଭୁବନେଶ୍ୱରରେ ଯାଇ ରହିଲି ଓ ଠିକ କଲି ଯେ ଯୋଉଦିନ ରାତିରେ ପଟି ଦିଅଁଙ୍କୁ ମନ୍ଦିରକୁ ନିଆଯିବ ସେ ଦିନ ସଂଧ୍ୟାବେଳେ ହିଁ ପୁରୀକୁ ଯିବି ଓ ରାତିରେ ଫଟୋ ଉଠାଇ ସାରି ପରଦିନ ସକାଳ ବେଳା ଭୁବନେଶ୍ୱର ଫେରି ଆସିବି । ପୁରୀରେ ଆଉ ବେଶୀ ସମୟ ରହିବାର ଇଚ୍ଛା ନଥିଲା ମୋର । ମୁଁ ଠିକ କରିଥିଲି ଯେ ଆଉ ମୋର ସାଙ୍ଗକୁ ବ୍ୟସ୍ତ ନ କରି ମୁଁ ଏଇ ରାତିଟି ପୁରୀର କୋଉ ହୋଟେଲରେ ହିଁ ରହିବି, ସେ ଭୁତକୋଠିରେ ନୁହେଁ ।

ଭୁବନେଶ୍ୱରରେ ମୁଁ ମୋର ଅନ୍ୟକାମରେ ବ୍ୟସ୍ତ ରହିଲି । କେଜାଣି କାହିଁକି ପୁରୀ ଯିବା ଦିନ ମୁଁ ରବିନକୁ ଫୋନ କଲି ଏବଂ ତା ପାଖରୁ ସେ ଘରର ଚାବି ଓ ତାର ଗାଡ଼ି ନେଇ ପୁରୀ ବାହାରିଲି । ହୁଏତ ମୋ ମନରେ ଥିଲା ଯେ ମତେ ଯେତେବେଳେ ସେଠାରେ ରହିବାକୁ ନାହିଁ ତେବେ କାହିଁକି ମିଛରେ ହୋଟେଲ ଭଡା ଦେବି ? ଏଥରକ ମୋ ସାଙ୍ଗରେ କେବଳ ମୋର କ୍ୟାମେରା ଥିଲା ଓ ମୋର ମନ ହାଲୁକା ଥିଲା । ପୁରୀରେ ପହଞ୍ଚି ମୁଁ ପ୍ରଥମେ ଚିତ୍ରକାର ସାହି ସେବକ ଘରକୁ ଯାଇ ଖବର ନେଲି କେତେବେଳେ ମନ୍ଦିରରୁ ଘଣ୍ଟ ଛତି କାହାଳୀ ନେଇ ପଟୁଆର ଆସିବ । ଏସବୁ ବିଷୟରେ କିଛି ଠିକ ଠିକଣା ନଥାଏ, ତେବେ ଏତିକି ଜଣାଗଲା ଯେ ସକାଳ ହେବା ଆଗରୁ ହିଁ ଏ ପର୍ବ ଶେଷ ହେବ । ମୁଁ ମନେମନେ ଠିକ କରିନେଲି ଯେ ରାତି ଦୁଇଟା ବେଳେ ମୁଁ ଯାଇ ମହାରଣା ଘର ଦୁଆରେ ପହଞ୍ଚିବି । ରାତିରେ ହୋଟେଲରେ ଖାଇସାରି ମୁଁ ଗାଡ଼ି ନେଇ ଘର ପାଖରେ ପହଞ୍ଚିଲି । ରାତି ନ’ଟା ବେଳକୁ ଚାରିଆଡ ଶୁନଶାନ ଥିଲା ଓ ଘରଟି ପୁରା ଅନ୍ଧାରରେ ଥିଲା । ଗାଡ଼ିରୁ ବ୍ୟାଗଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘ ଜୀବନ .୫୨