ପୃଷ୍ଠା:Chha mana atha guntha.pdf/୧୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସ୍ୱଭାବିକ ଲୋଭପୁର ଦ୍ୱାରା ଚାଳିତ ହୋଇ ଉଲ୍ଲିଖିତ ଗାଈକୁ ଆତ୍ମସାତ କରିଅଛି । ଏହି ସମସ୍ତ କାରଣ ଦୃଷ୍ଟିରେ । ହୁକୁମ ହେଲା କି, ଆସାମୀ ରାମଚନ୍ଦ୍ର ମଙ୍ଗରାଜକୁ ନରହତ୍ୟା ଅପରାଧରୁ ମୁକ୍ତି ଦିଆଯାଇ ନେତ ନାମକ ଗାଈକୁ ଆତ୍ମସାତ କରିଥିବା ଅପରାଧରେ କଠିନ ପରିଶ୍ରମ ସହିତ ଛ ମାସ କାରାଦଣ୍ତ ଏବଂ ପାଞ୍ଚଶତ ଟଙ୍କା ଜରିମାନା କରାଯାଉ । ଜରିମାନା ଅସୁଲ ନ ହେଲେ ଅତିରିକ୍ତ ୩ ମାନ କାରାରୁଦ୍ଧ ରଖାଯାଉ । ଇତି । ।
ମେ ମାସ ୧୭ ତାରିଖ ସନ ୧୯୩୨ ମସିହା । <poem> ଏଇଚ ଆରି; ଜେକ୍ ସନ୍ ସେସନ୍ ଜଜ୍ ।

କଚେରୀଶେଷ ହେଲାଣି । ଜଜ୍ ସାହେବ ବଗି ଚାଲିଗଲାଣି । ଚାରି ଜଣ ବରକନ୍ଦାଜ ଜଣେ ଆସାମୀକୁ ହାତକଡ଼ି ଦେଇ ନାଜରଖାନାରୁ ଜେଲ ଓଆରଣ୍ଟ ଜାରି କରି ବାହାରିଲେ । ଓକିଲ ରାମରାମ ଲାଲା କଚେରୀ ଆଗ ବରଗଛ ମୂଳରେ ବସିଥିଲେ । ଆସାମୀ ଉପରେ ତାଙ୍କର ଦୃଷ୍ଟି ପଡ଼ିଯିବାରୁ ସେ ଦୂରରୁ ଡାକିଦେଲେ ଦେଖନ୍ତୁ ମଙ୍ଗରାଜେ, ଆଜି ଆପଣଙ୍କ ସକାଶେ ସାହେବଙ୍କ ଆଗରେ କିପରି ଲଢ଼ିଲି, ଦେଖିଲେ ତ ? ଫାଶିରୁ ଖଲାସ କରାଇଦେଲି । କିଛି ପରବାଏ କରିବେ ନାହିଁ, ବେଧଡ଼କ ଜେଲ୍ ଖାନାକୁ ଚାଲିଯାଆନ୍ତୁ । ମାଠିଆଏ ତେଲ ପେଡ଼ିଥିବେକି ନାହିଁ, ସୁପ୍ରିମ କୋର୍ଟରେ ଅପିଲ କରି ଖଲାସ କରାଇଦେବି । ଆମ୍ଭେମାନେ ନିଶ୍ଚିତ ସମ୍ବାଦ ପାଇଅଛୁ, ଅପିଲ୍ ବିଷୟରେ କୌଣସି ଯତ୍ନ କରାଯାଇନାହିଁ ।