ପୃଷ୍ଠା:Pratham Purush.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରିୟତମା ତମକୁ
 
 ପ୍ରିୟତମା ତମକୁ ମୁଁ ଦେଇଯିବି
 ଆଜି ମୋର ସମସ୍ତ ଜୀବନ
 ପ୍ରେମ ଆଉ ହତାଶାର ଅପବ୍ୟୟ ଖାତାମାନ
 ଵ୍ୟର୍ଥତାର ଯେତେ ଚିଠି ଲେଖାହେଲା
 ଯେତେ କଥା ପ୍ରତିଧ୍ୱନି ହୋଇ ସବୁ
 ମିଶିଗଲେ ଆକାଶରେ
 ମୋ ହାତ ମୁଠାରେ ଯେତେ
 ଅତୀତର ଦିନ ଧରା ଦେଲେ
 
 ମୋ ଆଖିକୁ ଦେଖ
 ଝିଲମିଲ ଶୂନ୍ୟତାରେ
 ସ୍ମୃତିର ଭଉଁରୀ ସବୁ ବୁଲିବୁଲି ଥକିଗଲେ
 ମୋ ଆଖିର ଦର୍ପଣରେ
 ତମେ ପୁଣି ନିଜକୁ ଦେଖିବ
 ମୋ ହାତକୁ ଛୁଅଁ
 ନିଆଁ ସବୁ ଜଳି ଜଳି
 ଖାଲି ତମ ଦେହର ଉତ୍ତାପ
 ରହିଯିବ ବାକି
 ମତେ ଧରି ରଖ ଦି' ହାତରେ
 ସ୍ୱପ୍ନ ସବୁ ସରିଗଲେ
 ପୁଣି ହେବ ନିଃସଙ୍ଗ ଏକାକୀ

ପ୍ରଥମ ପୁରୁଷ । ୨୫