ପୃଷ୍ଠା:Asha Tara Dekhiba.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କ୍ରାନ୍ତି ଓ ଧ୍ରୁବ

ପୃଥିବୀ ଉପରେ ଉତ୍ତର-ଦକ୍ଷିଣ ଦିଗରେ ଦୂରତାକୁ ଅକ୍ଷାଂଶ ବା ପୃଥିବୀର କେନ୍ଦ୍ରଠାରେ କରୁଥିବା କୋଣ ଆକାରରେ ମପାଯାଏ । ବିଷୁବ ରେଖାର ଅକ୍ଷାଂଶ ୦ ଡିଗ୍ରୀ । ଯେତେ ଉତ୍ତର ବା ଦକ୍ଷିଣ ଆଡ଼କୁ ଯିବା ଏହି କୋଣ ସେତେ ବଢ଼ି ଚାଲିବ । ଦୁଇ ମେରୁ ଠାରେ ଏହା ୯୦ ଡ଼ିଗ୍ରୀ ହେବ । ଉତ୍ତର ମେରୁର ଅକ୍ଷାଂଶ ୯୦ ଡିଗ୍ରୀ ଉତ୍ତର ଓ ଦକ୍ଷିଣ ମେରୁରେ ଏହା ୯୦ ଡିଗ୍ରୀ ଦକ୍ଷିଣ ।

ଖଗୋଳ ଦେହରେ କୌଣସି ତାରା, ପୃଥିବୀ ଓ ବିଷୁବ ଭିତରେ କୋଣଟି ତାରାର ଅକ୍ଷାଂଶ ଭଳି । ଏହି କୋଣକୁ କ୍ରାନ୍ତି ବା ଦିକପାତ(ଡ଼େକ୍ଲିନେସନ୍) କୁହାଯାଏ । ଉତ୍ତର ଗୋଲାର୍ଦ୍ଧରେ ଏହାକୁ ଧନାତ୍ମକ (+) ଓ ଦକ୍ଷିଣରେ ଋଣାତ୍ମକ(-) ଧରାଯାଏ । ତେଣୁ ଖଗୋଳ ସୁମେରୁର କ୍ରାନ୍ତି ହେବ +୯୦ ଡ଼ିଗ୍ରୀ ଓ ଖଗୋଳ କୁମେରୁର -୯୦ ଡ଼ିଗ୍ରୀ । ଖଗୋଳ ବିଷୁବ ଉପରେ ଏହା ୦ ଡ଼ିଗ୍ରୀ।

ପୃଥିବୀ ଉପରରେ ପୂର୍ବ ପଶ୍ଚିମ ଦ୍ରାଘିମା ଭଳି ଖଗୋଳରେ ଧ୍ରୁବ ବା ବିଷୁବାଙ୍କ (ରାଇଟ୍ ଆସେନ ସନ୍ ବା ଆର.ଏ) ଅନୁସାରେ ସ୍ଥାନ ଚିହ୍ନଟ କରାଯାଏ। ଭୂପୃଷ୍ଠର ଦ୍ରାଘିମା କୋଣ (ଡିଗ୍ରୀ) ଭାବରେ ମପାଯାଏ । କିନ୍ତୁ ଖଗୋଳରେ ଏହାକୁ ସମୟ ମାପରେ ହିସାବ କରାଯାଏ । ଖଗୋଳର ପ୍ରତ୍ୟେକ ବିନ୍ଦୁ ୨୪ ଘଣ୍ଟାରେ ପୃଥିବୀ ଉପର ଦେଇଯାଏ। ଏହି ଅନୁସାରେ ଖଗୋଳ ବିଷୁବକୁ ୨୪ ଭାଗରେ ଭାଗ କରାଯାଇଛି । ପ୍ରତି ଭାଗକୁ ମିନିଟ ଓ ସେକେଣ୍ଡରେ ଛୋଟ ଭାଗ କରାଯାଇପାରେ।

୨୭