ତାରାଙ୍କ ଗତି
ଆକାଶରେ ସବୁକିଛି ଚାଲୁଥିଲା ଭଳି ମନେ ହୁଏ । ଦିନକ ଭିତରେ ସୂର୍ଯ୍ୟ, ଚନ୍ଦ୍ର, ତାରା ଆଦି ଆମ ମୁଣ୍ଡ ଉପର ଦେଇ ଯିବାଟା ଆମର ଅନୁଭୂତିର କଥା । ଅନେକ ଦିନ ଧରି ଦେଖିଲେ ନିର୍ଦ୍ଦିଷ୍ଟ ତାରାଙ୍କ ଉଦୟ ଅସ୍ତର ସମୟ ବଦଳୁଥିବା କଥା ମଧ୍ୟ ଜଣାପଡ଼େ । ମନେ ହୁଏ, ତାରାମାନେ ଆମ ଚାରିପଟେ ପ୍ରତିଦିନ ଛୋଟ ଚକ୍କରଟିଏ କାଟୁଛନ୍ତି; କିନ୍ତୁ ମହାକାଶରେ ବର୍ଷକ ଭିତରେ ଗୋଟିଏ ବଡ଼ ଘେରା ବୁଲୁଛନ୍ତି ।
ଏବେ ମଣିଷ ଜାଣିଛି ଯେ ତାରାମାନେ ସତରେ ଚାଲୁ ନାହାନ୍ତି । ପୃଥିବୀ ନିଜ ଚାରିପଟେ ଏବଂ ସୂର୍ଯ୍ୟ ଚାରିପଟେ ବୁଲୁଥିବାରୁ ଖଗୋଳ ମଣ୍ଡଳଟା ଘୂରିବା ଭଳି ମନେ ହେଉଛି । ତେଣୁ ତାରାମାନଙ୍କର ଘୁଞ୍ଚି ଚାଲିବାକୁ ତାଙ୍କର ପ୍ରତୀତ ଗତି କହିବାଟା ଠିକ ହେବ । ଏହି ଦୁଇ ପ୍ରତୀତ ଗତି ଦୈନିକ ବା ୨୪ ଘଣ୍ଟିଆ ଏବଂ ବାର୍ଷିକ ବା ୩୬୫ ଦିନିଆ - ବିଷୟରେ ଅଧିକ ଦେଖିବା ।
ପ୍ରତୀତ ଦୈନିକ ଗତି
ଆମେ ଦେଖୁଛେ ଯେ ରାତି ବଢ଼ିବ। ସାଙ୍ଗରେ ପୂର୍ବ ଦିଗବଳୟ ତଳୁ ନୂଆ ନୂଆ ତାରା ଉଠୁଛନ୍ତି। ପଶ୍ଚିମ ଦିଗବଳୟ ତଳେ କିଛି ତାରା ଲୁଚି ଯାଉଛନ୍ତି। ଠିକ୍ ମୁଣ୍ଡ ଉପରେ ଥିବା ତାରାଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଯିବା ପାଇଁ ଗୋଟିଏ ଗୋଟିଏ ବଡ଼ ଗୋଲ (ବୃତ୍ତର କିଛି ଅଂଶ) ବାଟ କାଟୁଛନ୍ତି । ଏଗୁଡ଼ିକ ଅଧିକ ବେଗରେ ଚାଲିଲା ଭଳି ମନେ ହୁଏ ।