ପୃଷ୍ଠା:Chha mana atha guntha.pdf/୧୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୋକାନ ପିଣ୍ତାରେ ଥୋଇ ଦେଇ କହିଲା, "'ଆଜ୍ଞା, ବାପା ବଟେଇଦେଲା, ସେ ଅନ୍ଧାରକଣିଆ, ଆସିପାରିଲା ନାହିଁ ।'

ଦୋକାନରେ ତୃତୀୟ ଲୋକ ନାହିଁ, ସ୍ତ୍ରୀ ଲୋକଟି ଭାତ ରାନ୍ଧୁଛି, ପୁରୁଷଟି ଯୋଗାଇଦେଉଛି, ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ।

ସ୍ତ୍ରୀ -ଶୁଣିଲୁରେ ଗୋବିନ୍ଦ ! ଶୁଣିଲୁତ,କାନ ଲଗେଇ ଶୁଣିଲୁତ, ମତେ ସମସ୍ତେ ସାଆନ୍ତାଣୀ କହୁଥିଲେ, ଯେଉଁଠିକି ଯିବ ସମସ୍ତେ ସାଆନ୍ତାଣୀ କହିବେ, ତତେ ସାଆନ୍ତ କିଏ କହୁଥିଲା ? ଆରେ ଚାଲ, କଟକ ଚାଲ, ତତେ କଣ କରିଦେବି ଦେଖିବୁ, ତତେ ଚାରିଦିନ ହେଲା ବୁଝେଇ ବୁଝେଇ ଥକିଲିଣି ।"

ଗୋବିନ୍ଦା - ନା ଚମ୍ପା ସାଆନ୍ତାଣୀ, ଚାଲ ଆମ ଗାଁକୁ ଯିବା, ସେଇଠି ରହିବା, ବିଲବାଡ଼ି କିଣିବା, ଚାଷ କରିବା, ହଳିଆ ରଖିବା ।

ଚମ୍ପା - ଆରେ, ସତେ ଲୋକେ ଯାହା କହନ୍ତି,
'ଅତି ନିଉଁଛଣା ଅନ୍ଧାର ରାତି, ଅତି ନିଉଁଛଣା ଭଣ୍ତାରି ଜାତି ।'
ବିଲବାଡ଼ି କ'ଣ ହବ ରେ ? ଆରେ ଯାହା ସାଙ୍ଗରେ ଆଣିଛି, ଶହେ ବରଷ, ଦି'ଶ ବରଷ ବସି ଖାଇଲେ ତ ସରିବ ନାହିଁ ।

ଗୋବିନ୍ଦା - ନା ସେ କଥା ହବ ନାହିଁ, ମୁଁ ଗାଁକୁ ଯିବି, ଘରୁ ଢେର ଦିନ ହେଲା ଖବର ପାଇ ନାହିଁ, ମୋ ମନ କେମିତି ଗୁଡ଼େପୁଡ଼େଇ ହେଉଛି, ନୋହିଲେ, ମୁଁ ଯାଏଁ, ତୁମର ଯାହା ମନ କର ।

ଚମ୍ପା - ଭାଗ ? ଭାଗ କଣ ? ଭାଇ ଭାଗ କଣ ? ଆରେ ଯାହା କହନ୍ତି -
'ପଡ଼ୋଶୁଣୀ ପିଠା ଦେଖି ରବାଇ ଖବାଇ, ଘଷିଫଡାରେ ଗୁଡ ଲଗାଇ ଭଡ଼ ଭଡ଼ ଚୋବାଇ ।'
ଧନ ସେଠି ଥିଲା ମୋର - ଏଠି ବି ମୋର । ମୁଁ କଣ ଚୋରିକରି ଆଣିଛି? ସାତଦିନ ହେଲା ବରଷା ନାହିଁ, କାଦୁଅ ନାହିଁ, ଏ ଗାଁ, ସେ ଗାଁ, ୟା ଓଳି, ତା ଓଳି ବୁଲେଇ ବୁଲେଇ ମାରିଲାଣି । କହିଲୁ, ସାଆନ୍ତ ପହଡ଼ ଘର କଣରେ ତିନି ଜାଗାରେ ସୁନାଟଙ୍କା, କଳା ଟଙ୍କା, ସୁନା ଗହଣା ସବୁ ପୋତା ହୋଇଥିଲା, କିଏ ପୋତିଥିଲା ? ନିଶୂନ ରାତିରେ ମୁଁ ଗାତ ଖୋଳେ, ସାଆନ୍ତ ମୁଁ ଦୁହେଁ ପୋତୁଁ । ତୁ କଣ ଜାଣିଥିଲୁ ? ଏସବୁ ମୋର ନା ଆଉ କାହାର?