ପୃଷ୍ଠା:Chha mana atha guntha.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭଳିଆ ଲୋକ ଡକାପାଡ଼ିଲେ ମଧ୍ୟ କେହି ଶୁଣିବାକୁ ନାହିଁ; କିନ୍ତୁ କେହି ପ୍ରଧାନ ଲୋକ ଆଁ କରିଦେଲେ ଦେଖିବେ ଦୁଇଶ ଲୋକ ତାଙ୍କ ପାଟିକୁ ଅନାଇ ରହିବେ । ବିଲାତର ଲୋକେ ପ୍ରଧାନ ପ୍ରଧାନ ଲୋକଙ୍କ କଥା ଶୁଣିବାପାଇଁ ଅଣ୍ଟାରେ ପଇସା ଖୋସି ଦଉଡ଼ନ୍ତି । ଗଛମୁଳିଆ ସ୍ତ୍ରୀଲୋକ ଦିଓଟି ଗ୍ରାମରେ ସୁବିଖ୍ୟାତ । ଆପଣମାନେ ମଧ୍ୟ ସେମାନଙ୍କୁ ଭଲକରି ଚିହ୍ନନ୍ତି । ମନୁଷ୍ୟମାନେ ରୂପରେ ନୁହେଁ, ଗୁଣରେ ସିନା ଚିହ୍ନାଯାନ୍ତି ! ଭଲ ହେଉ ବା ମନ୍ଦ ହେଉ ସାଧାରଣ କଣ୍ଟରୁ ଯାହାର ଗୁଣ ଯେତେ ବେଶି, ସେ ସେତେ ବିଖ୍ୟାତ । ଗୋବିନ୍ଦପୁର ଗ୍ରାମରେ ଊଣା ଅଧିକେ କାହାଣେ ମାଈକିନିଆ ଅଛନ୍ତି, ସେମାନଙ୍କ ମଧ୍ୟରେ ଏ ଦିଓଟି ବଛା । ଗୋଟିଏ ଚତୁରତା ଓ ଧୂର୍ତ୍ତତାରେ, ଆଉ ଗୋଟିଏ ସରଳତା ଓ ନିର୍ବୋଧତାରେ । ଦିଓଟି ବିଖ୍ୟାତ ସ୍ତ୍ରୀଲୋକ ପୁଣି ଗୁପ୍ତକଥା ଆପଣ କି ନ ଶୁଣି ଛାଡ଼ିବେ ? ସେଥିସକାଶେ ସିନା ଲେଖିବାକୁ ବସିଅଛୁ । ଆମ୍ଭେମାନେ ବହୁ ପରିଶ୍ରମ ବହୁ ଯତ୍ନ କରି ସେମାନଙ୍କର କଥା ସଂଗ୍ରହ କରିଅଛୁଁ । ଗୋଟିଏ ସ୍ତ୍ରୀ ଭାରି ଏକ ଲମ୍ବା ବକ୍ତୃତା କରିଥିଲା । କେତେଗୁଡ଼ାଏ କଥା ଶୁଣିବାକୁ ଅସୁଖ ପାଇବେ, ଲମ୍ବା କଥା ଲେଖିବାରେ ଆମ୍ଭେମାନେ ମଧ୍ୟ ଅନଭ୍ୟସ୍ତ । ତାହାର ସାରମର୍ମ ଲେଖିଅଛୁ । ଦେଖ, ସାରିଆ - ବୁଢ଼ୀ ମଙ୍ଗଳା ସବୁର ମୂଳ, ତାଙ୍କ ଆଜ୍ଞାରେ ପୃଥ୍ୱୀ ଚଳୁଛି ସଂସାର ଆତ ଯାତ ହେଉଚି, ତାଙ୍କ ଆଜ୍ଞା କି ଅନାସ୍ତା ହବ ? କେତେ ବାର ବରତ କରି ଦେବୀଙ୍କ ଆଜ୍ଞା ପାଇଚ, ତୁମର ଖୁବ୍ ଭାଗ୍ୟ । ଏଡ଼େ ଭାଗ୍ୟ କାହିଁ ଦେଖିବାର ନାହିଁ ପରା ! ଏକା ସାଆନ୍ତଙ୍କ ଘର ଉପରେ ଦୟା ଥିଲା, ଏବେ ତମ ଉପରେ ହେଲା । ତମେ ମଙ୍ଗଳାଙ୍କ ମନ୍ଦିରଟା ବନାଇଦିଅ ତ, ଦେଖିବ ତମ ଘର ଲକ୍ଷ୍ମୀ ଭଣ୍ତାର ହୋଇଯିବ । ପଣ ପଣ, କାହାଣ କାହାଣ ଟଙ୍କା କାହୁଁ ଆସି ଘରେ ପଶିବ, ଧାଡ଼ି ଧାଡ଼ି ଧାନ ମରେଇ ବସିଯିବ, ଭଗବାନ କି ଆଉ ତନ୍ତ ବୁଣିବ ? ତମ ପଛରେ ଦଶଜଣ ପୋଇଲୀ ଗୋଡ଼େଇବେ, ତମେ ମଙ୍ଗଳାଙ୍କ ଆଜ୍ଞା ମାନ; ଯେପରି ହେଉ ମନ୍ଦିରଟା ବନାଇଦିଅ । ଟଙ୍କା ସକାଶେ ଭାବନା କଣ ଅଛି ? ମଙ୍ଗଳାଙ୍କ ନାଁ ଶୁଣିଲେ ଟଙ୍କା କିଏ ନ ଦେବ ? ଆଉ କୁଆଡ଼େ କ୍ୟା ଖୋଜିବ ? ମଙ୍ଗରାଜଙ୍କ