ପୃଷ୍ଠା:Aama Debadebi.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଠାରେ ସୂର୍ଯ୍ୟ, ଚନ୍ଦ୍ର ବା ଅଗ୍ନିଙ୍କ ଆଲୋକ ଆବଶ୍ୟକ ହୁଏ ନାହିଁ । ତାହା ‘ସ୍ୱୟଂପ୍ରଭ’ ବା ଆପେ ଆପେ ଆଲୋକିତ ହୁଏ । ସେହି ସଭାର ମଧ୍ୟଭାଗରେ ବ୍ରହ୍ମା ବିରାଜମାନ କରନ୍ତି । ସେଠାରେ ମୁଖ୍ୟତଃ ବ୍ରହ୍ମା ଏକା ରହିଲେ ହେଁ, ସଭା ସମୟରେ ଦକ୍ଷ, ପ୍ରଚେତା, କଶ୍ୟପ ଆଦି ପ୍ରଜାପତିଗଣ; ମାର୍କଣ୍ଡେୟ, ଅଗସ୍ତ୍ୟ, ଜମଦଗ୍ନି, ଭରଦ୍ୱାଜ, ଆଦି ତେଜସ୍ୱୀ ଋଷି ଉପସ୍ଥିତ ରହି ବ୍ରହ୍ମାଙ୍କୁ ଉପାସନା କରନ୍ତି । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଆଦି ଦିବ୍ୟ ରୂପରେ ସେଠାରେ ରହିଥାନ୍ତି । ସେମାନଙ୍କ ସହିତ ଆଠ ଅଙ୍ଗ ସହ ଆୟୁର୍ବେଦ ଓ ଚାରି ଅଙ୍ଗ ସହିତ ବେଦ ମଧ୍ୟ ଅବସ୍ଥାନ କରନ୍ତି । ପୁଣି ଥାଆନ୍ତି ବାୟୁଦେବତା ଓ ମରୁଦ୍‌ଗଣ; ଧର୍ମ, ଅର୍ଥ, କାମ ଓ ମୋକ୍ଷ ଚାରି ପୁରୁଷାର୍ଥ; ଦ୍ୱାଦଶ ଆଦିତ୍ୟ ଓ ସମସ୍ତ ଆଗମର ମନ୍ତ୍ର । ଇତିହାସ, ପୁରାଣ, ଜ୍ୟୋତିଷ ଆଦି ବେଦାଙ୍ଗ, ତିନି ପ୍ରକାରର ଯଜ୍ଞ; ଦେବତା ଓ ଗ୍ରହମଣ୍ଡଳ ଆଦି ମଧ୍ୟ ଉପସ୍ଥିତ ରହନ୍ତି । ସାବିତ୍ରୀ, ସରସ୍ୱତୀ, ମେଧା, ଧୃତି, ଶ୍ରୁତି, ପ୍ରଜ୍ଞା, ବୃଦ୍ଧି, ଯଶ ଓ କ୍ଷମା ଆଦି ଦେବୀ ମଧ୍ୟ ଉପସ୍ଥିତ ଥାଆନ୍ତି । ବେଦର ସୂକ୍ତ, ଗାଥା, ଭାଷ୍ୟ, ଦର୍ଶନ, କାବ୍ୟଶାସ୍ତ୍ର ଆଦି ମଧ୍ୟ ଉପସ୍ଥିତ ଥାଆନ୍ତି । ତା’ ସହିତ ସମଗ୍ର ସୃଷ୍ଟିର ଲୋକପାଳମାନେ ମଧ୍ୟ ଉପସ୍ଥିତ ରହନ୍ତି । ଏସବୁ ଦୃଷ୍ଟିରୁ ବ୍ରହ୍ମାଙ୍କ ସଭା ପରି ସଭା ସମଗ୍ର ସୃଷ୍ଟିରେ ଆଉ କେଉଁଠି ହେଲେ ନାହିଁ ।

ବ୍ରହ୍ମାଙ୍କର ତୁଳନା ମଧ୍ୟ ଅନ୍ୟ କୌଣସି ଦେବତାଙ୍କ ସହିତ କରାଯାଇ ପାରିବ ନାହିଁ । ବ୍ରହ୍ମାଙ୍କର ଯେଉଁ ବିଭିନ୍ନ ନାମ ରହିଛି, ତାହା ହିଁ ବ୍ରହ୍ମାଙ୍କର ଏହି ଅଦ୍ୱିତୀୟତାର ପ୍ରମାଣ । ସେ ବୃଦ୍ଧି କରନ୍ତି, ତେଣୁ ତାଙ୍କର ନାମ ବ୍ରହ୍ମା । ସେ ସ୍ୱୟଂ ପରମ ପୁରୁଷ ପରମାତ୍ମାଙ୍କ ଅଙ୍ଗରୁ ଉଦ୍ଭବ, ତେଣୁ ତାଙ୍କର ନାମ ଆତ୍ମଭୂ । ସେ ଦେବତାମାନଙ୍କ ମଧ୍ୟରେ ଜ୍ୟେଷ୍ଠ, ତେଣୁ ତାଙ୍କର ନାମ ସୁରଜ୍ୟେଷ୍ଠ । ସେ ପରମ ବା ସତ୍ୟରେ ବାସ କରନ୍ତି, ତେଣୁ ତାଙ୍କର ନାମ ପରମେଷ୍ଠୀ । ସମଗ୍ର ସୃଷ୍ଟି ତାଙ୍କର ସନ୍ତାନମାନଙ୍କଠାରୁ ଜାତ, ତେଣୁ ସେ ପିତାମହ । ସେ ସୁବର୍ଣ୍ଣ କୋଷରୁ ଉଦ୍ଭବ ହେବାର ବର୍ଣ୍ଣନା ମଧ୍ୟ ଅଛି, ତେଣୁ ତାଙ୍କର ନାମ ହିରଣ୍ୟଗର୍ଭ । ସେ ସମସ୍ତ ଲୋକର ଈଶ୍ୱର, ତେଣୁ ତାଙ୍କର ନାମ ଲୋକେଶ । ସେ ନିଜେ ନିଜଠାରୁ ଉଦ୍ଭୂତ, ତେଣୁ ତାଙ୍କର ନାମ ସ୍ୱୟଂଭୂ । ତାଙ୍କର ଚାରି ମୁଖ, ତେଣୁ ସେ ଚତୁରାନନ ବା ଚତୁର୍ମୁଖ । ସେ ସମସ୍ତଙ୍କୁ ଧାରଣ କରିଛନ୍ତି, ତେଣୁ ତାଙ୍କର ନାମ ଧାତା । ସେ ନାରାୟଣଙ୍କ ନାଭିପଦ୍ମରୁ ଜାତ, ତେଣୁ ତାଙ୍କର ନାମ ପଦ୍ମଯୋନି । ସେ ଅସୁର ବିନାଶକାରୀ, ତେଣୁ ତାଙ୍କର ନାମ ଦ୍ରୁହିଣ । ସେ ସମଗ୍ର ସୃଷ୍ଟିର ରଚୟିତା, ତେଣୁ ତାଙ୍କର ନାମ ବିରଞ୍ଚି । ସେ ବିକଶିତ ପଦ୍ମ ବା କମଳ ଆସନ ଉପରେ ଉପବେଶନ କରିଥାଆନ୍ତି, ତେଣୁ ତାଙ୍କର ନାମ କମଳାସନ । ସେ ସମଗ୍ର ଜଗତର ସୃଷ୍ଟିକର୍ତ୍ତା, ତେଣୁ ତାଙ୍କର ନାମ ସ୍ରଷ୍ଟା ବା ବିଶ୍ୱସୃକ୍ ।

ଆମ ଦେବଦେବୀ . ୪୫