ପୃଷ୍ଠା:Aama Debadebi.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁରାଣମାନଙ୍କରେ ବ୍ରହ୍ମା, ବିଷ୍ଣୁ ଓ ଶିବ- ପ୍ରତ୍ୟେକଙ୍କର ସମୟ ବା ଆୟୁଷ ସମ୍ପର୍କରେ ଉଲ୍ଲେଖ ଅଛି । ସେଥିରେ କୁହାଯାଇଛି, ସମୟକ୍ରମେ ବ୍ରହ୍ମା, ବିଷ୍ଣୁ ଓ ଶିବଙ୍କର ମଧ୍ୟ ବିଲୟ ହୁଏ । ଯେତେବେଳେ ସମଗ୍ର ସୃଷ୍ଟି ଧ୍ୱଂସ ପାଏ, ସେତେବେଳେ ମହାପ୍ରଳୟ ସଂଘଟିତ ହୁଏ । ୧୨୦ ବ୍ରହ୍ମବର୍ଷ ପର୍ଯ୍ୟନ୍ତ ସମଗ୍ର ସୃଷ୍ଟି ପ୍ରଳୟଜଳରେ ବୁଡ଼ିଯାଏ । ସେତେବେଳେ ଚାରିଆଡେ଼ ଅଖଣ୍ଡ ନୀରବତା ବିରାଜମାନ କରେ । ତା'ପରେ ବିଷ୍ଣୁ ଏକ ଶିଶୁ ରୂପରେ ବଟପତ୍ର ଉପରେ ଶୋଇରହି ପ୍ରଳୟ ଜଳ ଉପରେ ଭାସନ୍ତି । ତାହା ଏକ ମହାଯୁଗର ଆରମ୍ଭ । ସେହି ଶିଶୁରୂପୀ ବିଷ୍ଣୁଙ୍କର ନାଆଁ ହେଉଛି ବାଳମୁକୁନ୍ଦ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ବେଢ଼ାରେ ଏହି ବାଳମୁକୁନ୍ଦଙ୍କର ଗୋଟିଏ ମନ୍ଦିର ଅଛି ।

ବିଷ୍ଣୁ ନାଆଁର ଅର୍ଥ ହେଉଛି, ଯେ ବ୍ୟାପନ ବା ନିଜକୁ ବିସ୍ତାରିତ କରନ୍ତି । ତେଣୁ ପ୍ରଳୟ ପରେ ଯେଉଁ ନୂଆ ସୃଷ୍ଟି ହୁଏ- ସେଥିରେ ବିଷ୍ଣୁ ହିଁ ନିଜକୁ ବିସ୍ତୃତ କରିଥାଆନ୍ତି । ସେତେବେଳେ ତାଙ୍କର ନାଭିରୁ ଗୋଟିଏ ପଦ୍ମନାଡ଼ ବାହାରେ । ତାହାର ଶେଷ ଭାଗରେ ଗୋଟିଏ ପଦ୍ମଫୁଲ ଫୁଟେ । ସେଥିରୁ ବ୍ରହ୍ମା ଜାତ ହୁଅନ୍ତି ଏବଂ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସେ ସୃଷ୍ଟି ସର୍ଜନା କରନ୍ତି । ସେହି ବ୍ରହ୍ମା ପ୍ରଳୟ ବେଳେ ଧ୍ୱଂସ ପାଆନ୍ତି ଏବଂ ଅନ୍ୟ ଏକ ବ୍ରହ୍ମା ସୃଷ୍ଟି ହୁଅନ୍ତି । ଏହିପରି ଦୁଇଜଣ ବ୍ରହ୍ମାଙ୍କ ଧ୍ୱଂସ ପରେ ବିଷ୍ଣୁଙ୍କର ଆୟୁଷ ଶେଷ ହୁଏ । ପୁନର୍ବାର ମହାପ୍ରଳୟ ହୁଏ ।

ପ୍ରଳୟ ପରବର୍ତ୍ତୀ ସୃଷ୍ଟିର ସେହି ଆରମ୍ଭ କାହାଣୀ ପୁରାଣମାନଙ୍କରେ ଖୁବ୍ ଚମତ୍କାର ଭାବରେ ବର୍ଣ୍ଣନା କରାଯାଇଛି । ସେ ସବୁରେ କୁହାଯାଇଛି, ମହାପ୍ରଳୟ ପରେ ଯେତେବେଳେ ବିଷ୍ଣୁ ବଟପତ୍ର ଉପରେ, ବାଳମୁକୁନ୍ଦ ରୂପରେ ଦେଖାଦେଲେ, ସେତେବେଳେ ସେ ଭାବିଲେ, ମୁଁ କିଏ? କିଏ ମତେ ସୃଷ୍ଟି କଲା? ଏବେ ମୋର କର୍ତ୍ତବ୍ୟ କ'ଣ?

ସେତେବେଳେ ମହାଶୂନ୍ୟରୁ ଏକ ସ୍ୱର ଶୁଭିଲା । ସେ ସ୍ୱର ଥିଲା ମହାଦେବୀଙ୍କର । ସେ କହିଲେ- ସର୍ଜନା, ସ୍ଥିତି ଓ ଧ୍ୱଂସ- ଏ ତିନିଟି ହେଉଛି ସୃଷ୍ଟିର ମୁଖ୍ୟ ଅଙ୍ଗ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତୁମେ ସତ୍ତ୍ୱ ଗୁଣର ଆଧାର । ତୁମେ ସୃଷ୍ଟିର ପାଳନ କରିବ । ବ୍ରହ୍ମା ତୁମ ନାଭିରୁ ଜାତ ହେବେ । ସେ ରଜ ଗୁଣର ଆଧାର । ଏଣୁ ସେ ସୃଷ୍ଟି ସର୍ଜନା କରିବେ । ବ୍ରହ୍ମାଙ୍କ ଭ୍ରୂ-ମଧ୍ୟରୁ ଶିବ ଜାତ ହେବେ । ସେ ତମ ଗୁଣର ଆଧାର । ଏଣୁ ସେ ସୃଷ୍ଟିର ସଂହାର ବା ଧ୍ୱଂସ କରିବେ । ଏଣୁ ତୁମେ ତୁମର ନାଭିରୁ ପଦ୍ମ ଓ ପଦ୍ମରୁ ବ୍ରହ୍ମାଙ୍କୁ ସୃଷ୍ଟିକରି ସୃଷ୍ଟି ସର୍ଜନାରେ ନିୟୋଜିତ କରାଅ ।

ମହାଦେବୀଙ୍କଠାରୁ ତାହା ଶୁଣି ବିଷ୍ଣୁ ଧ୍ୟାନସ୍ଥ ହେଲେ ଏବଂ ତାଙ୍କ ନାଭିରୁ ପଦ୍ମଟିଏ ବିକଶିତ ହେଲା । ସେଥିରୁ ବ୍ରହ୍ମା ଜାତ ହେଲେ ଏବଂ ବିଷ୍ଣୁଙ୍କ ନିର୍ଦ୍ଦେଶରେ ସୃଷ୍ଟି ସର୍ଜନା ଆରମ୍ଭ କଲେ ।

୬୨ . ଆମ ଦେବଦେବୀ