ପୃଷ୍ଠା:Aama Parala Gajapati.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୯୧୨ ମସିହା ସେପ୍ଟେମ୍ବର ମାସରେ ଲେଉଟି ଆସିଥିଲେ ପାରଳାଖେମୁଣ୍ଡି । ତାହାଙ୍କର ପ୍ରତ୍ୟାବର୍ତ୍ତନ ବେଳେ ପାରଳାବାସୀଙ୍କ ତରଫରୁ ଯୁବରାଜଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦତ୍ତ ହୋଇଥିଲା । ସ୍ୱଚ୍ଛକାଳ ପରେ ସିଂହାସନ ଆରୋହଣ କରିବାକୁ ଥିବା ଯୋଗୁଁ, ପାରଳାରେ ପହଞ୍ଚିବା ପରେ ପରେ, ରାଜ୍ୟ ସଂପର୍କୀୟ ବିଭିନ୍ନ ବିଷୟର ଅନୁଶୀଳନ କରିବାରେ ନିଜକୁ ନିଯୋଜିତ କରିଥିଲେ ପ୍ରାୟ ଛଅ ସାତ ମାସ ପାଇଁ । ନିଜ ରାଜ୍ୟର ସୀମା ସରହଦଠାରୁ ଆରମ୍ଭ କରି ରାଜ୍ୟର ମାଳ ଅଞ୍ଚଳ, ସମତଳ ଅଞ୍ଚଳ, ଆଦିବାସୀ ସଂପ୍ରଦାୟଗୁଡ଼ିକର ଚାଲିଚଳଣି, କୃଷି, ଗୋପଳନ, ରାଜସ୍ୱ, ସମସ୍ଥାନ ( ଜମିଦାରି ପରିଚାଳନା ପାଇଁଥିବା କାର୍ଯ୍ୟାଳୟ)ର ପରିଚାଳନା, ରାଜ୍ୟର ଆୟବ୍ୟୟ ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣିବାପାଇଁ ସଫଳ ପ୍ରୟାସ କରିଥିଲେ । ନିଜ ଜମିଦାରିର ପ୍ରମୁଖ ବ୍ୟକ୍ତି-ବିଷୋୟୀ ଓ ଦୋରାମାନଙ୍କ ସଂପର୍କରେ ବିଭିନ୍ନ ତଥ୍ୟ ଏବଂ ରାଜ୍ୟ ପରିଚାଳନାରେ ସେମାନଙ୍କ ସହାୟତାପଇଁ ପ୍ରଦତ୍ତ ଇନାମ, ଜମି, ତୋଟା, ବଗିଚା, ପ୍ରଭୃତିର ବିଶଦ୍‌ବିବରଣୀ ନିଷ୍ଠାପର ଭାବରେ ଅନୁଧ୍ୟାନ କରିଥିଲେ ।

ସେତେବେଳେ ୫୦୩ଟି ଗ୍ରାମ ବିଶିଷ୍ଟ ପାରଳା ଜମିଦାରିର ଆୟତନ ଥିଲା ୬୩୯ ବର୍ଗ ମାଇଲ ଏବଂ ତନ୍ମଧ୍ୟରୁ ୨୮୫ ବର୍ଗମାଇଲ ସମତଳ ଅଞ୍ଚଳ ଥିଲାବେଳେ ଅବଶିଷ୍ଟ ଥିଲା ମାଳ ଅଞ୍ଚଳ । ଜଙ୍ଗଲ ଜାତ ଦ୍ରବ୍ୟ ମାଳ, ପାହାଡ଼ିଆ ଅଞ୍ଚଳରୁ ପ୍ରଚୁର ପରିମାଣରେ ଅମଳ ହେଉଥିବା ବେଳେ କୃଷି ଉତ୍ପାଦନପାଇଁ ସମତଳ ଅଞ୍ଚଳରେ ଜଳସେଚନର ବ୍ୟାପକ ବ୍ୟବସ୍ଥା କରିଥିଲେ ତାହାଙ୍କର ପୁର୍ବପୁରୁଷଗଣ । ପାରଳା ଜମିଦାରିର ବାର୍ଷିକ ଆୟ ସେତେବେଳେ ପ୍ରାୟ ୧୦ ଲକ୍ଷ ଟଙ୍କା ଥିବାବେଳେ ପେସ୍‌କସ୍ ହିସାବରେ ସରକାରଙ୍କୁ ଦାଖଲ କରାଯାଉଥିଲା ୮୭,୮୨୫ ଟଙ୍କା । ଏଇ ସବୁ ସଂପର୍କରେ ସେ ତନ୍ମତନ୍ମ କରି ଅନୁଧ୍ୟାନ କରିଥିଲେ ସେଇ କେତେଦିନ ।

ପ୍ରାୟ ୨୦ ବର୍ଷ ବୟସ୍କ ନବଯୁବକ କୃଷ୍ଣଚନ୍ଦ୍ରଙ୍କ ହୃଦୟରେ ସେତେବେଳକୁ ଜାତୀୟ ଚେତନାର ଉଦ୍‌ବେଳିତ ତରଙ୍ଗ କେବଳ ସୃଷ୍ଟି ହୋଇ ସାରିଥିଲା ନୁହେଁ, ବେଶ ଉତ୍ତାଳ ହୋଇ ଉଠୁଥିଲା କହିଲେ ଭୂଲ ହେବନାହିଁ । ମାଟି ମାଆର ଆହ୍ୱାନ ସତେ ଯେମିତି ତାଙ୍କ କାନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା । କେବଳ ପାରଳା ରାଜ୍ୟର ପ୍ରଜାଗଣଙ୍କ ପାଇଁ ନୁହେଁ, ସମସ୍ତ ଓଡ଼ିଆଭାଷୀ ଜନଗଣଙ୍କ ପାଇଁ ସେ ମମତାମୟ ହୋଇଯାଇ ସାରିଥିଲେ ସେତିକି ବେଳକୁ ।

କେଜାଣି, ଦାଦା, ପିତା ଏବଂ ପାରିବାରିକ ଉପଦେଷ୍ଟା ଶ୍ୟାମସୁନ୍ଦର ରାଜଗୁରୁ ବଞ୍ଚିଥିଲେ ସେଇ ମମତାର ଧାରା ଅଧିକ ତୀବ୍ର, ଅଧିକ ଉଦ୍‌ବେଳିତ ହୋଇଥାଆନ୍ତା ପରା ! ସେ ଅଧ୍ୟୟନ ଶେଷକରି ରାଜଧାନୀକୁ ଫେରିବା ବେଳକୁ ସେମାନେ ସ୍ୱର୍ଗବାସୀ ହୋଇ ସାରିଥିଲେ । କିନ୍ତୁ କୃଷ୍ଣଚନ୍ଦ୍ରଙ୍କ ମନରେ ଜାତୀୟ ପ୍ରୀତି, ଜାତୀୟ ଭାଷା ପ୍ରତି ମମତା, ଅତୀତ ଉତ୍କଳର ବଳିଷ୍ଠ ସଂସ୍କୃତି ପ୍ରତି ଆକର୍ଷଣ ଆଦିକାଳରେ କୃଷ୍ଣଚନ୍ଦ୍ରଙ୍କ ମନରେ ଆଲୋଡ଼ନ ସୃଷ୍ଟି କରାଇବାରେ ସେଇମାନେ ହିଁ ଥିଲେ ପ୍ରେରଣାଦାତା । ସମୟକ୍ରମେ ସେଇ ପ୍ରତ୍ୟେକଟି ବିଭବ ବେଶ୍ ଗଭୀର