ପୃଷ୍ଠା:Chha mana atha guntha.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହଜମୀ, ବଳକାରକ, ରୋଗନାଶକ, ମୁଖରୋଚକ, ରୋଗୀର ପଥ୍ୟ । ନିର୍ଘଣ୍ଟୁରେ ସଜନାର ଏପରି ଗୁଣ ବର୍ଣ୍ଣନା ଅଛି କି ନାହିଁ ଆମ୍ଭେମାନେ ଜାଣୁ ନାହିଁ କାରଣ ସେ ବିଦ୍ୟାରେ ଆମ୍ଭେମାନେ ନିତାନ୍ତ ଅନଭିଜ୍ଞ; କିନ୍ତୁ ସାଆନ୍ତଙ୍କ ମୁଖରୁ 'ଯଥା ଶ୍ରୁତଂ ତଥା ଲିଖିତଂ' । ସେଥି ସକାଶେ ବଗିଚାର ସଜନାଶାଗ କେରାଏ ମଧ୍ୟ ହାଟକୁ ଯାଏ ନାହିଁ, ହଳିଆ ମାନଙ୍କର ବଳବର୍ଦ୍ଧନ ଓ ପୋଷଣ ନିମନ୍ତେ ସମସ୍ତ ଉତ୍ସର୍ଗି କୃତ । ଏହି ଯେ ଫୁଲ ଦେଖୁ ଅଛ, ଏପରି ଉପାଦେୟ ପଦାର୍ଥ ପୃଥିବୀରେ ନାହିଁ । ପୁଞ୍ଜାଏ ରାଇ ଯଦି ସେଥିରେ ମିଶେ, ତା କଥା ଛାଡ଼ । ପରମେଶ୍ୱରଙ୍କ ସୃଷ୍ଟିରେ କେତେ ଭଲ ଅଛି - ସେଥିରେ ଭଲମନ୍ଦ ମିଶାମିଶି । ଦେଖ ପଣସ ଖୋସା ଗୁଡ଼ିକ ମଧୁର, କିନ୍ତୁ ତାହା ଭିତରେ ସୁତାଗୁଡ଼ାକ ବଦହଜମୀ । କିନ୍ତୁ ଲୋକଙ୍କଠାରେ କିଛି ଅଖଞ୍ଜ ରହେ ନାହିଁ, ଭଲକୁ ଭଲ, ମନ୍ଦକୁ ମନ୍ଦ, ବାଛିଦିଅନ୍ତି । ସଜନାର ସବୁ ଭଲ, କେବଳ ଛୁଇଁଗୁଡ଼ାକ ଖରାପ ଓ ବଦହଜମୀ । ସେଥିପାଇଁ ହଳିଆ କିମ୍ବା ଚାକରମାନଙ୍କ ପତ୍ର ଛୁଇଁପାରେ ନାହିଁ, ବାହାରେ ବାହାରେ ହାଟକୁଯାଏ ।

--o--