ପୃଷ୍ଠା:Aama Parala Gajapati.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆନ୍ଦୋଳନକାରୀ ଓଡ଼ିଆମାନଙ୍କର କଟାଘା’ରେ ଚୂନ ଦେବା ଭଳି ଏକ ସରକାରୀ ପଦକ୍ଷେପ । ତେଣୁ ୧୯୧୨ ମସିହାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ଭୂମିକା ଥିଲା ଅତୀବ ଗୁରୁତ୍ୱପୂର୍ଣ୍ଣ । ସମ୍ମିଳନୀ ଆରମ୍ଭରୁ ସେ ପର୍ଯ୍ୟନ୍ତ କୌଣସି ମଣ୍ଡପରେ ରାଜନୈତିକ ବିଷୟବସ୍ତୁ ନେଇ ଆଲୋଚନା ହୋଇ ନଥିଲେ ସୁଦ୍ଧା ସେହି ବର୍ଷଠାରୁ ତାହା ଆଲୋଚନା ପରିସରଭୁକ୍ତ ହୋଇଥିଲା । ଆପାତତଃ ସମ୍ମିଳନୀ ଗଠନର ମୂଳ ଲକ୍ଷ୍ୟ ଥିଲା ଓଡ଼ିଆଭାଷାଭାଷୀ ଅଞ୍ଚଳଗୁଡ଼ିକର ଏକୀକରଣ । ଏହା ବାସ୍ତବରେ ଏକ ରାଜନୈତିକ ବିଷୟ । ତେଣୁ ଏହାର ସଫଳ ରୂପାୟନପାଇଁ ରାଜନୈତିକ ଆଲୋଚନା ଅବଶ୍ୟମ୍ଭାବୀ । ପୁଣି ବିଶେଷକରି ଏହି ଦାବି ପ୍ରତି ସରକାରଙ୍କ ଚରମ ଉଦାସୀନତା ସେଭଳି ଆଲୋଚନାପାଇଁ ସଂଗଠକମାନଙ୍କୁ ବାଧ୍ୟ କରିଥିଲା କହିଲେ ଅତ୍ଯୁକ୍ତି ହେବନାହିଁ । ସେ ପର୍ଯ୍ୟନ୍ତ କୌଣସି ସାମ୍ବିଧାନିକ ନୀତି ନିୟମ ନଥିବା ଉକ୍ତ ଅନୁଷ୍ଠାନପାଇଁ ତାହା ପ୍ରସ୍ତୁତ କରିବାକୁ ଏକ କାର୍ଯ୍ୟ ନିର୍ବାହିକା କମିଟି ଗଠିତ ହୋଇଥିଲା ଏବଂ ତତ୍ପରଠାରୁ ଓଡ଼ିଆଙ୍କ ମଧ୍ୟରେ ତୀବ୍ର ଜାତୀୟ ଚେତନା ସୃଷ୍ଟି କରିବାପାଇଁ ସଂଗଠକଗଣ ନିରବଧି ଉଦ୍ୟମ ଚଳାଇଥିଲେ । ସେସବୁ ଦୃଷ୍ଟିରୁ ତତ୍‌ପରବର୍ଷ ପାରଳାରେ ଅନୁଷ୍ଠିତ ଦଶମ ଉତ୍କଳ ସମ୍ମିଳନୀ ଥିଲା ବିଶେଷ ଗୁରୁତ୍ବପୁର୍ଣ୍ଣ ।

ପାରଳାର ନୂତନ ରାଜା ଗଜପତି କୃଷ୍ଣଚନ୍ଦ୍ରଙ୍କ ନିମନ୍ତ୍ରଣକ୍ରମେ ସେଠାରେ ୧୯୧୪ ଡିସେମ୍ବର ୨୬, ୨୭ ତାରିଖ ଦୁଇଦିନ ଧରି ଅନୁଷ୍ଠାନର ଦଶମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ବାସ୍ତବରେ ସେହି ସହର ତଥା ନିକଟବର୍ତ୍ତୀ ଅଞ୍ଚଳ କାହିଁକି ସାରା ଗଞ୍ଜାମର ଜନଗଣଙ୍କ ମନରେ ଜାତୀୟ ଚେତନାକୁ ଅଧିକ ତେଜସ୍କ୍ରିୟ କରିଥିଲା । ବିଶେଷକରି ପାରଳାର ଜନଗଣଙ୍କ ମନରେ ନୂତନ ଉବ୍ଦୀପନାର ଉଦ୍‌ବେଳନ ସୃଷ୍ଟି କରିଥିଲା ସେଇ ସମ୍ମିଳନୀ । ପ୍ରାକୃତିକ ଉତ୍କଳର ଅନେକ ନେତୃସ୍ଥାନୀୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଯେଉଁମାନଙ୍କ ନାମ, ଜ୍ଞାନଗରିମା, ଗୁଣ ତଥା କାର୍ଯ୍ୟକଳାପ ସଂପର୍କରେ ସେମାନେ କେବଳ ଶୁଣିଥିଲେ ମଧ୍ୟ କୌଣସି କାଳେ ଦେଖିବାକୁ ସୁଯୋଗ ଲାଭ କରି ପାରି ନଥିଲେ, ପାରଳାବାସୀ ସେଇ ସମସ୍ତଙ୍କୁ ଗୋଟିଏ ମଣ୍ଡପରେ ପାଇଥିଲେ । ଦେଶ ମିଶ୍ରଣ ସଂପର୍କରେ ସେମାନଙ୍କ ଅନାବିଳ ଆନ୍ତରିକତା ସାଧରଣ ଜନତାଙ୍କୁ ମଧ୍ୟ ଆକୃଷ୍ଟ କରିଥିଲା । ସମସ୍ତଙ୍କୁ ମୁଗ୍ଧ କରିଥିଲା ନେତୃବର୍ଗଙ୍କ ମୁଖନିଃସୃତ ସେଇ ଗୋଟିଏ ବକ୍ର ଆହ୍ୱାନ- ପ୍ରାକୃତିକ ଓଡ଼ିଶାର ସବୁ ଅଞ୍ଚଳକୁ ଏକୀକରଣ କରାଯାଇ ରଖାଯାଉ ଗୋଟିଏ ଶାସନ କେନ୍ଦ୍ରରେ ।

ମଧୁବାବୁ ସେଠାରେ ପ୍ରସ୍ତାବ ରଖିଥିଲେ- ମାନ୍ଦ୍ରାଜ ଶାସନାନ୍ତର୍ଗତ ଓଡ଼ିଆମାନେ ବିହାର ଓଡ଼ିଶାର ଓଡ଼ିଆଙ୍କ ସହିତ ଏକ ଶାସନାଧୀନ ନହେବା ଯାଏଁ ଉତ୍କଳର ପ୍ରକୃତ ଉନ୍ନତି ଅସମ୍ଭବ ବୋଲି ସମ୍ମିଳନୀ ଦୃଢ଼ ବିଶ୍ୱାସ କରେ । ଅତି ମର୍ମସ୍ପର୍ଶୀ ଭାଷାରେ ଅଥଚ ଅତି ଦୃଢ଼ କଣ୍ଠରେ ଓଡ଼ିଆ ଜନଗଣଙ୍କ ଆନ୍ତରିକ ଆବେଦନ ଇଂରେଜ ଭାଷାରେ ଏକ ପ୍ରସ୍ତାବ ମାଧ୍ୟମରେ ଆଗତ