ପୃଷ୍ଠା:Aama Parala Gajapati.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଇ ଅବସରରେ, ରାଜକୀୟ କୃଷି କମିଶନର ସଦସ୍ୟ ରୂପେ ଦେଶସାରା ଗସ୍ତକରି ସରକାରଙ୍କଠାରୁ ଗସ୍ତଖର୍ଚ୍ଚ ବାବଦରେ ପ୍ରାୟ ଏକ ଲକ୍ଷ ଏକ ହଜାର ଟଙ୍କା ପାଇଥିଲେ । ସେହି ଅର୍ଥକୁ ଉଦାରମନା ପାରଳା ଗଜପତି ଦାନ କରିଦେଇଥିଲେ ଆମ ଦେଶରେ କୃଷିର ଉନ୍ନତିକଳ୍ପେ ଅଧିକତର ଗବେଷଣାପାଇଁ । ଆନ୍ଧ୍ରର କୁନ୍ନୁରଠାରେ ସ୍ଥାପିତ ହୋଇଥିବା ଏକ କୃଷି ଅନୁଷ୍ଠାନରେ ଉଚ୍ଚତର ଗବେଷଣା କେନ୍ଦ୍ରଟିଏ ସ୍ଥାପନ ଉଦ୍ଦେଶ୍ୟରେ ସେହି ଅର୍ଥକୁ ସେ ଦାନ କରିଦେଇଥିଲେ । ଦେଶର କୃଷିଜାତ ପଦାର୍ଥର ଉତ୍ପାଦନ ବୃଦ୍ଧିଲାଗି ଅଧିକରୁ ଅଧିକ ଗବେଷଣା ହେଲେ ସାରା ଦେଶରେ କୃଷିର ଉନ୍ନତି ହେବ ବୋଲି ସେ ଗଭୀର ଅସ୍ଥାବାନ୍ ଥିଲେ । କେବଳ ଆପଣା ରାଜ୍ୟବାସୀଙ୍କର ନୁହେଁ, ସାରା ଦେଶର କୃଷି ଓ କୃଷକଙ୍କପାଇଁ ମହାରାଜା କୃଷ୍ଣଚନ୍ଦ୍ରଙ୍କ ମନୋଭାବନା ଏଥିରୁ ସ୍ପଷ୍ଟ । କୃଷି କମିଶନରେ ଅଙ୍ଗୀଭୂତ ସଦସ୍ୟ ଭାବରେ ସେ ସେତିକିବେଳେ ବର୍ମା ମଧ୍ୟ ଯାତ୍ରା କରିଥିଲେ ଏବଂ ସେଠି ବସବାସ କରି ରହିଥିବା ଓଡ଼ିଆମାନଙ୍କୁ ଓଡ଼ିଆ ଜାତିର ଉଜ୍ଜ୍ୱଳ ପରମ୍ପରା ବଜାୟ ରଖିବା ସଂଗେସଂଗେ ଏ ଜାତିର ଗୌରବ ଅକ୍ଷୂଣ୍ଣ ରଖିବା ଲାଗି ପରାମର୍ଶମାନ ଦେଇଥିଲେ ।

ପ୍ରଗତିଶୀଳ ମନୋଭାବାପନ୍ନ ଗଜପତି ଆପଣା ରାଜ୍ୟର ପ୍ରଜାଗଣଙ୍କ ସାମୂହିକ ଜୀବନର ମାନୋନ୍ନତିପାଇଁ ଶିଳ୍ପ ବିକାଶ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ । ଉଦ୍ୟମ କରିଥିଲେ ରାଜ୍ୟବାସୀ-ବିଶେଷକରି ଯୁବମାନସରେ ଶିଳ୍ପ ସଚେତନତା ସୃଷ୍ଟି କରିବାପାଇଁ । ପାରଳାଖେମୁଣ୍ଡି ସହରରେ ପ୍ରତିଷ୍ଠା ଲାଭ କରିଥିଲା ଏକ ଶିଳ୍ପ ତାଲିମ୍ କେନ୍ଦ୍ର । ସାଧାରଣ ଜନତା ବିଶେଷକରି ଗ୍ରାମାଞ୍ଚଳର ଲୋକମାନଙ୍କର ବିଶେଷ ଆବଶ୍ୟକତାକୁ ଭିତ୍ତିକରି ସେଠାରେ ତାଲିମ୍ ନେଉଥିବା ଯୁବକମାନଙ୍କପାଇଁ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଥିଲା । ପରିଣାମତଃ ତାଲିମ୍ ଶେଷହେବା ପରେ ଆପଣା ଉଦ୍ୟମରେ ନିଜ ନିଜ ପରିବେଶ ଭିତରେ ପେଟ ପାଟଣା ସମ୍ଭାଳି ନେବାରେ ସକ୍ଷମ ହେବା ସଙ୍ଗେସଙ୍ଗେ ସାଧାରଣ ଲୋକଙ୍କର ଚାହିଦା ମଧ୍ୟ ପୂରଣ ହୋଇପାରୁଥିଲା । ରାଜ୍ୟର ଜନସାଧାରଣଙ୍କର ଦୈନନ୍ଦିନ ଚାହିଦା ପୂରଣପାଇଁ ମହାରାଜା ତାହାଙ୍କ ବ୍ୟକ୍ତିଗତ ଉଦ୍ୟମରେ ଏକ ବୃହଦାକାର ଚାଉଳକଳ ଏବଂ ତେଲକଳ ପ୍ରତିଷ୍ଠା କରିଥିଲେ ପାରଳା ସହରରେ । ପୁଣି ସେଇଠି ମଧ୍ୟ ସ୍ଥାପନା କରିଥିଲେ ଏକ କ୍ଷୁଦ୍ର ଲୁହା କାରଖାନା । ସେଠାରେ ଘର ତୟାରି ପାଇଁ ଅତ୍ୟାବଶ୍ୟକ କବ୍‌ଜା, ବାଲ୍‌ଟି, ବିଭିନ୍ନ ପ୍ରକାରର ଟିଣ ପେକେଟ୍, ଟ୍ରଙ୍କ୍ ଆଦି ପ୍ରସ୍ତୁତ ହେଉଥିଲା । ସେହିଭଳି ପଲାସା ନିକଟବର୍ତ୍ତୀ ପୁଣ୍ଡିଠାରେ ପ୍ରତିଷ୍ଠା କରିଥିଲେ ଏକ ଲୁଣ କାରଖାନା, ପ୍ରଜାଗଣଙ୍କ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ପଦାର୍ଥର ପ୍ରସ୍ତୁତିପାଇଁ । ବର୍ତ୍ତମାନ ଆନ୍ଧ୍ରପ୍ରଦେଶରେ ସାମିଲ୍ ହୋଇଥିବା ସେହିସବୁ ଅଞ୍ଚଳଗୁଡ଼ିକ ଖେମଣ୍ଡି ରାଜ୍ୟର ଅନ୍ତର୍ଗତ ଥିଲା । ସେହିସବୁ ଉଦ୍ୟମ ମୂଳରେ ଥିଲା ରାଜ୍ୟବାସୀଙ୍କ ଉନ୍ନତି ପାଇଁ ପାରଳା ମହାରାଜାଙ୍କ ଯଥାର୍ଥ ପରିକଳ୍ପନା ଏବଂ ଯୋଜନା ।