ପୃଷ୍ଠା:Aama Parala Gajapati.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଶ୍ରଣ ହୋଇପାରିଥିଲା । ତତ୍‌ଫଳରେ ଗଂଜାମର ଓଡ଼ିଆମାନେ ତୀବ୍ର ପ୍ରତିବାଦ କରିବା ସଂଗେ ସଂଗେ ଏହି ଅଞ୍ଚଳର ପ୍ରକୃତ ଜନମତ ଜାଣିବାପାଇଁ ଗୋଟିଏ କମିଶନ୍ ଗଠନ କରାଯାଉ ବୋଲି ଦାବି କରିଥିଲେ । ତତ୍‌ସହିତ ପ୍ରସ୍ତାବ ମଧ୍ୟ ହୋଇଥିଲା ଯେ ଆବଶ୍ୟକ ହେଲେ ସେଥିପାଇଁ ସମସ୍ତ ଖର୍ଚ୍ଚ ଗଂଜାମବାସୀ ବହନ କରିବେ । ସେଭଳି ଦେଶମିଶ୍ରଣ ଆନ୍ଦୋଳନ କ୍ରମାଗତ ଭାବରେ ଚାଲୁ ରହିଥିଲା ।

ସେଇ ପରିସ୍ଥିତି ଭିତରେ ୧୯୦୫ ମସିହା ଅକ୍ଟୋବରରୁ ଶାସନଗତ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇ ବଙ୍ଗ-ବିହାର-ଓଡ଼ିଶା ଅଞ୍ଚଳକୁ ଜଣେ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନରେ ରଖାଯାଇ ପୁର୍ବବଙ୍ଗ ଓ ଆସାମ ଅଞ୍ଚଳକୁ ସେହିଭଳି ଅନ୍ୟଜଣଙ୍କ ଅଧୀନରେ ରଖାଗଲା । କିନ୍ତୁ ଦକ୍ଷିଣ ବିଛିନ୍ନାଞ୍ଚଳର ବ୍ୟବସ୍ଥା ଥିଲା ଯଥା ପୂର୍ବଂ ତଥା ପରଂ । ସେଭଳି ପରିସ୍ଥିତିରେ ୧୯୦୯ ମସିହାରେ ଗଂଜାମର ଓଡ଼ିଆ ସମାଜ ତରଫରୁ ଏକ ପ୍ରତିନିଧିମଣ୍ଡଳୀ ମାନ୍ଦ୍ରାଜ ଗଭର୍ଣ୍ଣର ସାର୍ ଆର୍‌ଥର ଲାଉଲିଙ୍କୁ ଭେଟି ତେଲଗୁ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ବାଦଦେଇ ଅନ୍ୟାନ୍ୟ ଅଞ୍ଚଳ ସମୂହକୁ ଓଡ଼ିଶା ସହ ମିଶ୍ରଣ ଦାବି ଜଣାଇଥିଲେ । ପୁଣି ବଡ଼ଲାଟ୍ ଲର୍ଡ଼ ହାର୍ଡ଼ିଞ୍ଜଙ୍କ ସମୟରେ ବଙ୍ଗ-ବିହାର-ଓଡ଼ିଶା ପ୍ରଦେଶର ପୁନର୍ଗଠନ କରାଯାଇ ବିହାର-ଓଡ଼ିଶା ଏକ ନୂତନ ପ୍ରଦେଶ ରୂପେ ୧୯୧୨ ଅପ୍ରେଲ ପହିଲା ଦିନ ଜନ୍ମଲାଭ କରିଥିଲା । ପୁଣି ଥରେ ଉଭୟବଙ୍ଗ ଯୁକ୍ତ ହୋଇ ବଙ୍ଗ ପ୍ରଦେଶ ପୁନର୍ଗଠିତ ହୋଇଥିଲା । ଆସାମକୁ ଜଣେ ମୁଖ୍ୟ କମିଶନରଙ୍କ ଅଧୀନରେ ରଖାଯାଇଥିଲା । କିନ୍ତୁ ତଥାପି ସେତିକିବେଳେ ମଧ୍ୟ ଗଂଜାମବାସୀଙ୍କର ଦାବି ଉପେକ୍ଷିତ ହୋଇ ହିଁ ରହିଯାଇଥିଲା । ତେଣୁ ଉତ୍କଳ ଏକୀକରଣ ଆନ୍ଦୋଳନର ନେତୃତ୍ୱ ନେଉଥିବା ଉତ୍କଳ ସମ୍ମିଳନୀର ଅଷ୍ଟମ ଅଧିବେଶନ ୧୯୧୨ ଏପ୍ରିଲ୍‌ରେ ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇ ଆସନ୍ତା ବର୍ଷକ ପାଇଁ ତାହାର ସମସ୍ତ କାର୍ଯ୍ୟକ୍ରମ ସେହି ଉପେକ୍ଷିତ ଅଞ୍ଚଳରେ ହିଁ କେନ୍ଦ୍ରୀଭୂତ ହେବା ଲାଗି ସ୍ଥିର ହୋଇଥିଲା ।

ଏସବୁ ସତ୍ତ୍ୱେ ମାନ୍ଦ୍ରାଜର ଗଭର୍ଣ୍ଣରଗଣ ଗଂଜାମବାସୀଙ୍କର ବିଭିନ୍ନ ଦାବି ତଥା ସ୍ମାରକପତ୍ର ସବୁକୁ ଗ୍ରହଣକରି ଶୀତଳ ଭଣ୍ଡାରରେ ସ୍ଥାନିତ କରିଦେଉଥିଲେ ଯେମିତି । ୧୯୧୩ରେ ଗଭର୍ଣ୍ଣର ପ୍ୟାଣ୍ଟଲ୍ୟାଣ୍ଡ ବ୍ରହ୍ମପୁର ଗସ୍ତରେ ଆସିଥିବା ଅବସରରେ ଗଞ୍ଜାମ ଓଡ଼ିଆ ସମାଜ ତରଫରୁ ପ୍ରଦତ୍ତ ଏକ ଅଭିନନ୍ଦନପତ୍ରର ଉତ୍ତର ଦେଇ କହିଥିଲେ ଯେ ପରିସ୍ଥିତିର କିଛି ପରିବର୍ତ୍ତନ ନହେଲେ କିମ୍ବା କିଛି ବିଶେଷ ଗୁରୁତ୍ୱ ବହନ କରୁଥିବା ନୂତନ ଦାବି ଉପସ୍ଥାପିତ ନହେଲେ ଦକ୍ଷିଣସ୍ଥ ଓଡ଼ିଆ ଅଞ୍ଚଳଗୁଡ଼ିକର ମିଶ୍ରଣ ପ୍ରଶ୍ନ ପୁନରୁତ୍‌ଥିତ ହେବା ସମ୍ଭବ ନୁହେଁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିହାର ଓଡ଼ିଶା ପ୍ରଦେଶ ଗଠିତ ହେବା ଅବସରରେ ଏହାର ପ୍ରଥମ ଗଭର୍ଣ୍ଣର ଚାର୍ଲସ୍ ବେଲେ ୧୯୧୨ ଜୁଲାଇ ୨୨ ତାରିଖ ଦିନ ଏକ ନାଗରିକ ସମ୍ବର୍ଦ୍ଧନା ଅବସରରେ ଓଡ଼ିଆ ଏକୀକରଣ ଦାବି ସମ୍ବଳିତ ଗୋଟିଏ ସ୍ମାରକପତ୍ରର ଉତ୍ତରରେ କହିଥିଲେ ଯେ 'ମୁଁ ଆପଣମାନଙ୍କ ଆଶା ଆକାଂକ୍ଷା ପ୍ରତି ସମ୍ବେଦନଶୀଳ । ଗୋଟିଏ ସରକାର ଅଧୀନରେ