ପୃଷ୍ଠା:Aama Parala Gajapati.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଯୁଗ ଯୁଗଧରି ସେଠିକାର ଜମିଦାର ଏବଂ ପ୍ରଜାଗଣଙ୍କର ଓଡ଼ିଶା ସହିତ ସଂପର୍କ ରହିଛି । ପାରଳାର ଉଦାହରଣ ଦେଇ ସେମାନେ ମତ ପ୍ରକାଶ କରିଥିଲେ ଯେ ବିଖ୍ୟାତ ପୁରୀ ଗଜପତି ବଂଶର ଦାୟାଦ ସେମନେ । ଏବଂ ଗଂଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳ ସେଇ ଜମିଦାରି ଅନ୍ତର୍ଭୁକ୍ତ । ଓଡ଼ିଶା ସହିତ ସେମାନଙ୍କର ମିଶ୍ରଣର ପରିଣାମରେ ସେଠିକାର ତେଲଗୁଭାଷୀ ଜନଗଣଙ୍କ ପ୍ରଚଳିତ ଚଳଣିରେ କୌଣସି ପ୍ରକାରର ଅସୁବିଧା ହେବନାହିଁ । କାରଣ ଦୀର୍ଘକାଳ ଧରି ଉଭୟଭାଷୀ ଏକାଠି ଚଳି ଆସିଛନ୍ତି ଏବଂ ଦୃଢ଼ ଭାବରେ ଭାବଗତ ତଥା ଗୋଷ୍ଠୀଗତ ସାମାଜିକ ବନ୍ଧନରେ ସେମାନେ ଆବଦ୍ଧ । ଦକ୍ଷିଣାଞ୍ଚଳର ଟିକାଲି, ମଂଜୁଷା, ବାରୁଆ ଇତ୍ୟାଦି ଅଞ୍ଚଳ ପାଇଁ ମଧ୍ୟ ସେଇ ଏକା ଯୁକ୍ତି ଉପସ୍ଥାପନ କରିଥିଲା କମିଟି ।

ବିଶାଖାପଟଣା ଜିଲ୍ଲାର ଓଡ଼ିଆ ସମାଜ ଓଡ଼ିଶା ସହିତ ସାମିଲ୍ ହେବାପାଇଁ ପ୍ରବଳ ଆକାଂକ୍ଷା ପ୍ରକାଶ କରିବା ସହିତ ବବିଲି ତଥା ବିଜୟନଗର ଜମିଦାରିର ତେଲୁଗୁ ରାଜାଗଣ ମଧ୍ୟ ସେହିଭଳି ମତ ପ୍ରକାଶ କରିଥିଲେ ।

ବିଶାଖାପାଟଣାର ଜିଲ୍ଲା କଲେକ୍ଟର ଭାବେ ସେହି ଅଞ୍ଚଳର ପ୍ରତ୍ୟକ୍ଷ ଶାସନାନୁଭୂତିସମ୍ପନ୍ନ ଅନ୍ୟତମ ସଦସ୍ୟଯୁକ୍ତ କମିଟିର ହୃଦୟଙ୍ଗମ ହୋଇଥିଲା ଯେ ବିଶାଖାପାଟଣା ଜିଲ୍ଲାର କୋରାପୁଟ, ନବରଙ୍ଗପୁର ତାଲୁକ୍ ସମେତ ଓଡ଼ିଆ ଅଧ୍ୟୁଷିତ ଜୟପୁର ଜମିଦାରି ବାସ୍ତବରେ ଓଡ଼ିଶା ସହିତ ଯୁକ୍ତ ହେବା ବିଧେୟ । ତେବେ ୧୯୨୧ ଜନଗଣନା ତଥ୍ୟ ଆଧାରରେ ଉକ୍ତ କମିଟି କେବଳ ଓଡ଼ିଆ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରି ସେଗୁଡିକୁ ହିଁ ସେମାନଙ୍କର ଅନୁଧ୍ୟାନର ପରିସରଭୁକ୍ତ କରିଥିଲେ । ସେମାନେ ଆଉ ଜାଣି ପାରି ନଥିଲେ ଯେ ଅନେକ ଅନେକ ଓଡ଼ିଆ ଗ୍ରାମକୁ ଏବଂ ଓଡ଼ିଆ ଲୋକଙ୍କୁ ଚକ୍ରାନ୍ତକାରୀ ତେଲଗୁ ଜନଗଣନାକାରୀଗଣ ତେଲୁଗୁ ଭାଷୀରୂପେ ପରିବର୍ତ୍ତନ କରାଇ ସେମାନଙ୍କ ନାମକୁ ସୁଦ୍ଧା ବିକୃତ କରିପକାଇଥିଲେ । କିଭଳି ନରସିଂହ ପେଟା ନିକଟସ୍ଥ ଦୀର୍ଘାଚ୍ଛି ଗ୍ରାମରେ ଓଡ଼ିଆ କଂସାରି ଜାତିର ବାସିନ୍ଦାଙ୍କୁ ତେଲୁଗୁ ଭାଷୀ ରୂପେ ରେକର୍ଡ଼ଭୁକ୍ତ କରି 'ଲିଙ୍ଗରାଜ ସାହୁ'ଙ୍କ ନାମକୁ ଜନଗଣନା କାଗଜପତ୍ରରେ ଲିପିବଦ୍ଧ କରିଥିଲେ ‘କଞ୍ଚାରୁ ମଧୁଗାରୀ ଲିଙ୍ଗାନ୍ନା’ ହିସାବରେ ।

ସେ ଯାହା ହେଉ ଓଡ଼ିଶା ଅନ୍ଦୋଳନକାରୀଙ୍କ ପାଇଁ ଫିଲଫ୍‌ଡଫ୍ କମିଟି ସୁପାରସ ଯେ ଏକ ମାଇଲ ସ୍ତମ୍ଭ ଥିଲା ଏଥିରେ ସନ୍ଦେହ ନାହିଁ । ଓଡ଼ିଆ ଅଞ୍ଚଳର ଏକୀକରଣପାଇଁ ଅନୁକୂଳ ମତଯୁକ୍ତ ସେମାନଙ୍କ ରିପୋର୍ଟ କମିଟି ୧୯୨୪ ମସିହା ଡିସେମ୍ବର ୨୬ ତାରିଖ ଦିନ ସରକାରଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କ ସେଭଳି ସୁପାରିସ୍ ଲାଗି ମହାରାଜା କୃଷ୍ଣଚନ୍ଦ୍ରଙ୍କ ଭୂମିକା ଥିଲା ବିଶେଷ ଗୁରୁତ୍ବପୁର୍ଣ୍ଣ । ଆପଣ ଜମିଦାରୀ ଅଞ୍ଚଳ ସହିତ ଅନ୍ୟାନ୍ୟ ଦକ୍ଷିଣ ବିଛିନ୍ନାଞ୍ଚଳର ମିଶ୍ରଣ କରାଯାଇ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେବା ଆବଶ୍ୟକ ବୋଲି କମିଟିର ହୃଦ୍‌ବୋଧ କରାଇ ପାରିଥିଲେ ସେ । ସେହି ଲକ୍ଷ୍ୟ ପୂରଣ ଆପଣାର କର୍ଭବ୍ୟ ବୋଲି