ପୃଷ୍ଠା:Aama Parala Gajapati.pdf/୮୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମିଶ୍ରଣ ବିରୋଧୀ ମତ ପୋଷଣ କରୁଥିବା ସମସ୍ତଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ । ଗଭୀର ଭାବରେ ସେସବୁର ଅନୁଧ୍ୟାନ କରିଥିଲେ ଏବଂ ସ୍ୱତନ୍ତ୍ର ପ୍ରଦେଶ ସପକ୍ଷରେ ମତ ପୋଷଣ କରିଥିଲେ । ପୁଣି ନୂତନ ପ୍ରଦେଶ ଗଠିତ ହେଲେ ତାହାର ଆର୍ଥିକ ଅସ୍ୱଚ୍ଛଳତା ନେଇ ଶ୍ରୀ ସେନଙ୍କ ମତାମତକୁ ଅବାସ୍ତବ ବୋଲି ମଧ୍ୟ ମନେ କରିଥିଲେ । ଏକ ଅନୁନ୍ନତ ଅଞ୍ଚଳ ହିସାବରେ କିମ୍ବା ସାମୟିକ ବନ୍ୟା, ଦୁର୍ଭିକ୍ଷ ଭଳି ଅନଟନର ମୁକାବିଲାପାଇଁ କେନ୍ଦ୍ର ସହାୟତା ବ୍ୟତୀତ ସାଧାରଣ ସମୟରେ ନୂତନ ପ୍ରସ୍ତାବିତ ରାଜ୍ୟ ଆପଣାର ଆର୍ଥିକ ଗୁଜରାଣ ମେଣ୍ଟାଇ ପାରିବ ବୋଲି ମତ ଦେଇଥିଲେ ।

ସାଇମନ୍ କମିଶନ୍ ଅଟଲି ସବକମିଟିର ସୁପାରିଶଙ୍କୁ କେବଳ ଗ୍ରହଣ କରି ନଥିଲେ ତତ୍ ସହିତ ନୂତନ ପ୍ରଦେଶ ଗଠିତ ହେଲେ କେଉଁକେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ତତସହିତ ଅନ୍ତର୍ଭୁକ୍ତ ହେବା ବିଧେୟ ତାହା ମଧ୍ୟ ଉଲ୍ଲେଖ କରିଥିଲେ । ସେଥିରେ ଥିଲା ସ୍ୱାଭାବିକ ଭାବେ ବିହାର-ଓଡ଼ିଶାରେ ଥିବା ଓଡ଼ିଶା ଡିଭିଜନ୍ । ତତସହିତ ପ୍ରାକୃତିକ ଉତ୍କଳର ଗଡ଼ଜାତ ସମୂହ ଏବଂ ଅନୁଗୋଳ, ବଙ୍ଗଶାସନାଧୀନ ଗୋପୀବଲ୍ଲଭପୁର ଏବଂ ମୋହନପୁରର କିଛିକିଛି ଅଂଶ, କେନ୍ଦ୍ରପ୍ରଦେଶର ଖଡ଼ିଆଳ ରାଜ୍ୟ ଏବଂ ମାନ୍ଦ୍ରାଜ ଅଧୀନସୁ ଗଂଜାମ ଜିଲ୍ଲା । ତେବେ ଅନ୍ୟାନ୍ୟ ଓଡ଼ିଆ ଅଞ୍ଚଳ ଯଥା ଜୟପୁର ଏବଂ ସିଂହଭୂମକୁ ବିଭିନ୍ନ କାରଣରୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇନଥିଲା । ତତସହିତ ନୂତନ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆବଶ୍ୟକ ସୀମା କମିଶନ ଗଠନ କରାଯିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଲାତ ସରକାରଙ୍କୁ, ସୁପାରିଶ କରିଥିଲେ କମିଶନ । ମହାରାଜା କୃଷ୍ଣଚନ୍ଦ୍ରଙ୍କର ତଥା ଉତ୍କଳ ସମ୍ମିଳନୀର ବିଭିନ୍ନ ପଦକ୍ଷେପର ଏହା ହିଁ ଥିଲା ସୁଫଳ ।

ସାଇମନ କମିଶନଙ୍କ ସୁପାରିଶ ୧୯୩୦ ମସିହା ଜୁନ୍ ସାତ ତାରିଖ (ଅନ୍ୟ କେତେକ ଗ୍ରନ୍ଥ ମଇ ୨୭ ବୋଲି ଉଲ୍ଲେଖ ରହିଛି) ରେ ପ୍ରକାଶ ପାଇଥିଲା । ଅନ୍ୟାନ୍ୟ ପ୍ରସ୍ତାବ ସମେତ ସେଥିରେ ଥିବା ନୂତନ ଓଡ଼ିଶା ପ୍ରଦେଶ ଗଠନ ନେଇ ଦିଆଯାଇଥବା ପ୍ରସ୍ତାବ ସଂପର୍କରେ ସଂପୃକ୍ତ ପ୍ରାଦେଶିକ ସରକାରଙ୍କ ନିକଟରୁ ମତାମତମାନ ଆହ୍ୱାନ କରାଯାଇଥିଲା । ତାହାର ଉତ୍ତର ଦେଇ ବିହାର, ବଙ୍ଗ ତଥା ମଧ୍ୟପ୍ରଦେଶର ସରକାର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସମର୍ଥନ ଜଣାଇ ନୂତନ ପ୍ରଦଶ ଲାଗି ପ୍ରସ୍ତାବିତ ସୀମା କମିଟି ଗଠିତ ହେବା ଉଚିତ ବୋଲି ସ୍ପଷ୍ଟ ମତ ପ୍ରକାଶ କରିଥିଲେ । କିନ୍ତୁ ମାନ୍ଦ୍ରାଜ ସରକାରଙ୍କ ମତାମତ ଥିଲା ପୁର୍ବ ଭଳି ଦ୍ୱିଧାଯୁକ୍ତ । ତଥାପି ଭାରତର ବଡ଼ଲାଟ୍ ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ପରବର୍ତ୍ତୀ ପଦକ୍ଷେପମନ ଗ୍ରହଣ କରିବାକୁ ଇଂଲଣ୍ଡର ଭାରତ ବିଭାଗ ସଚିବଙ୍କୁ ପତ୍ର ଲେଖିଥିଲେ । ୧୯୩୦ ମସିହା ସେପ୍ଟେମ୍ବର ୨୦ ତାରିଖ ଦିନ ପ୍ରସ୍ତାବ କରିଥିଲେ ନୂତନ ପ୍ରଦେଶର ସୀମା ନିର୍ଦ୍ଧାରଣ ପାଇଁ ଏକ କମିଟି ତୁରନ୍ତ ଗଠନ କରାଯିବା ଆବଶ୍ୟକ ।