ପୃଷ୍ଠା:Aama Parala Gajapati.pdf/୧୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେଇମିତି ଆଉ ଥରେ ଅପରାହ୍‍ଣରେ ଯାଉଥିଲେ ହୋମ୍ ଫାର୍ମ । ନିକାଞ୍ଚନ ରାସ୍ତାରେ ତାଙ୍କରି ଗାଡ଼ି ସାମନାରେ ସେ ଦେଖିଥିଲେ ଦେବୀ ମାଣିକେଶ୍ୱରୀ ଡାହାଣ ପଟରୁ ବାମପଟକୁ ଚାଲିଯାଇଥିଲେ ବେଶ୍ ସୁସଜ୍ଜିତ ବେଶ ପୋଷାକରେ । ସ୍ତମ୍ଭୀଭୂତ ହୋଇ ଯାଇଥିଲେ ମହାରାଜା । ସେ ମନେ କରିଥିଲେ ଏହା ଏକ ଦୁର୍ଘଟଣାର ସଙ୍କେତ ହୋଇପାରେ !

ହୋମ ଫାର୍ମରେ ପହଞ୍ଚିବା ପରେ ପରେ ଯଥାରୀତି ସେଠିକାର ଚୌକିଦାର ମହାରାଜାଙ୍କ ବସିବା ପାଇଁ ଚୌକିଟିଏ ଆଣି ଗୋଟିଏ ଆମ୍ବ ଗଛ ମୂଳରେ ପକାଇଥିଲା । ସେଠାରେ ଥିବା ଦେଶୀ କୁକୁରଟି ସବୁଦିନ ଭଳି ଲାଞ୍ଜ ହଲାଇ ହଲାଇ ଆସିଥିଲେ ସୁଦ୍ଧା ମହାରାଜାଙ୍କ ସହ ଖେଳିବା ପରିବର୍ତ୍ତେ କେବଳ ଜୋର୍‌ରେ ଭୁକିବା ଆରମ୍ଭ କରି ଦେଇଥିଲା । ପୁଣି ପାରଳା ଗଜପତିଙ୍କୁ ସେଇ ଚଉକି ଉପରେ ବସିବା ପାଇଁ ଦେଇ ନଥିଲା । ତାଙ୍କରି ପିନ୍ଧା ପ୍ୟାଣ୍ଟକୁ କାମୁଡ଼ି ଧରି ଦୂରକୁ ହିଁ ଟାଣି ନେଉଥିଲା । ତାପରେ ମହାରାଜା ଚୌକିଦାରକୁ ଡ଼ାକି ଚୌକିଟିକୁ ଭଲକରି ଦେଖିନେବା ପାଇଁ କହିଥିଲେ । ସେଇ ସେବକଟି ହଠାତ୍ ଆବିଷ୍କାର କରିଥିଲା ଚଉକିର ସ୍ପ୍ରିଙ୍ଗ୍‍ ଭିତରେ ଗୁଡେ଼ଇ ହୋଇ ରହିଥିବା ସାପଟିଏକୁ । ସେଇଟି ପୁଣି ଗୋଟିଏ ମାରାତ୍ମକ ଚିତିସାପ । ମୁଣ୍ଡ ଆଉଜି ରଖିବା ସ୍ଥାନ ଓ ବେକ ପାଖରେ ରହିଥିଲା ସେଇ ସ୍ପ୍ରିଙ୍ଗ୍‍ଟି ।

ମହାରାଜା ଅନୁଭବ କରିଥିଲେ, ଗଡ଼ଦେବୀଙ୍କ ରକ୍ଷା କବଚର ପ୍ରଭାବଯୋଗୁଁ ହିଁ ତାହା ସମ୍ଭବ ହୋଇଥିଲା । ପୁଣି ସେଭଳି ଆଉ ଏକ ଘଟଣା ଘଟିଥିଲା ଜଣେ ବିଦେଶୀ ବନ୍ଧୁଙ୍କ ସହ ମାନ୍ଦ୍ରାଜ ଯାତ୍ରା କରୁଥିବା ବେଳେ । ଏକ ଗୁରୁତର ଦୁର୍ଘଟଣାର ପୂର୍ବ ସୂଚନା ଦେଇଥିଲେ ଦେବୀ ।

ସବୁ ଥର ଭଳି ସେଥର ମଧ୍ୟ ମହାରାଜାଙ୍କ ଯାତ୍ରା ପାଇଁ କଲିକତାରୁ ମାନ୍ଦ୍ରାଜ ଯାଏଁ ଗୋଟିଏ ପ୍ରଥମ ଶ୍ରେଣୀ ବଗି ଆରକ୍ଷିତ ହୋଇଥିଲା । ପଲାସା ଷ୍ଟେସନ୍‍ରୁ ଉଭୟେ ଚଢ଼ିଥିଲେ ସେଥିରେ । ଅଭ୍ୟାସବଶତଃ ବନ୍ଧୁଜଣକ କିଛି ମାଦକ ଦ୍ରବ୍ୟ ପାନ କରି ଅଳ୍ପ ସମୟ ମଧ୍ୟରେ ଶୋଇ ଯାଇଥିଲେ ଗାଢ଼ନିଦରେ । ମହାରାଜା ବି କିଛି ସମୟ ପରେ ନିଦ୍ରା ଯାଇଥିଲେ । ସେଇ ଛାଇନିଦ ଭିତରେ ହଠାତ୍ ସେ ଦେବୀ ମାଣିକେଶ୍ୱରୀଙ୍କୁ ସ୍ୱପ୍ନରେ ଦେଖିଥିଲେ । ସତେ ଯେମିତି ଦେବୀଙ୍କ ସୂଚନା ଥିଲା– ଅଳ୍ପ ସମୟ ମଧ୍ୟରେ ଟ୍ରେନ୍ଟି ଦୁର୍ଘଟଣାଗ୍ରସ୍ତ ହେବ- ତେଣୁ ସତର୍କ ରହ !

ସେ ସଙ୍ଗେ ସଙ୍ଗେ ଉଠିଡ଼ି ବନ୍ଧୁ ଜଣଙ୍କୁ ଉଠାଇବାକୁ ଉଦ୍ୟମ କରିଥିଲେ । ଯେତେ ଡାକିଲେ ବି ଉଠୁ ନାହାନ୍ତି ସେ ! ବାଧ୍ୟ ହୋଇ ବଳ ପ୍ରୟୋଗ କରିଥିଲେ ମହାରାଜା । ସେ ଉଠିବା ପରେ ମହାରାଜା ତାହାଙ୍କୁ ଦେବୀଙ୍କ ସ୍ୱପ୍ନ ଦର୍ଶନ କଥା କହିଥିଲେ । ବିଶ୍ୱାସ ଅପେକ୍ଷା ସମ୍ଭବତଃ ଅବିଶ୍ୱାସ ହିଁ ଆବୋରି ରଖିଥିବ ବିଦେଶୀ ବନ୍ଧୁଜଣଙ୍କୁ । କିନ୍ତୁ ସତକୁ ସତ କିଛି ସମୟର ବ୍ୟବଧାନ ପରେ ଟ୍ରେନ୍‌ଟି ଏକ ବିରାଟ ଦୁର୍ଘଟଣାର ସାମନା କରିଥିଲା । ଅନେକ ଯାତ୍ରୀ ଅଚେତନ ଅବସ୍ଥାରେ ଥିବା ଯୋଗୁଁ ବିଶେଷ ଆହତ ହୋଇଥିଲେ । ଏପରିକି ସେଥିପାଇଁ ସଚେତନ ମହାରାଜାଙ୍କର ମଧ୍ୟ ସାମାନ୍ୟ କ୍ଷତି ହୋଇଥିଲା । ଏହା ଦେବୀକୃପା ବ୍ୟତୀତ କ’ଣ