ପୃଷ୍ଠା:Aama Parala Gajapati.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାରଳାବାହିନୀକୁ ପଛକୁ ହଟାଇ ଦେଇଥିଲେ । ସେହିଦିନଠାରୁ ପୁରୀ ଏବଂ ପାରଳା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ତତ୍‍‌ପରଠାରୁ ପାରଳା ରାଜାଗଣ ଆଉ ପୁରୀ କିମ୍ବା ଶ୍ରୀମନ୍ଦିରକୁ ଯାଇ ନଥିଲେ ଅଭିମାନ କରି । ସେଇ ଦୀର୍ଘକାଳ ଅନ୍ତରରେ ପାରଳା ଗଜପତି ଶ୍ରୀକ୍ଷେତ୍ରରେ ପାଦ ପକାଇଥିଲେ । କିନ୍ତୁ ଅଭିମାନୀ ରାଜା ସିଧାସଳଖ ରାଜଭବନ ଯାଇ ପରାମର୍ଶଦାତା ବୈଠକରେ ଯୋଗଦେଇ ପୁଣି ଫେରି ଆସିଥିଲେ । ତତ୍ ପରବର୍ତ୍ତୀ ବୈଠକ ସେହି ବର୍ଷ ଅକ୍ଟୋବର ପାଞ୍ଚ ତାରିଖରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ମହାରାଜା କୃଷ୍ଣଚନ୍ଦ୍ର ପାରଳାରେ ଅନୁପସ୍ଥିତ ଥିବା କାରଣରୁ ସେଥିରେ ଯୋଗଦେଇ ପାରିନଥିଲେ ।

ସ୍ୱତନ୍ତ୍ର ପ୍ରଦେଶ ରୂପେ ଓଡ଼ିଶା ଗଠିତ ହେବା ପରେ ପରେ ଏଠାରେ ଦଳୀୟ ରାଜନୀତିର ପ୍ରଭାବ ବେଶ୍ ଅନୁଭୂତ ହୋଇଥିଲା । ମହାରାଜା ଏଠାରେ ଏକ ନୂତନ ରାଜନୈତିକ ଦଳ “ଓଡ଼ିଶା ଜାତୀୟ ଦଳ” ଗଠନ କରିଥିଲେ । ତାହାର ସଭାପତି ସେ ନିଜେ ହୋଇଥିବା ବେଳେ ରାଜ୍ୟର ଜଣେ ବିଶିଷ୍ଟ ଓକିଲ ତଥା ଓଡ଼ିଶା ଆନ୍ଦୋଳନର ସମର୍ପିତ ନେତା ଶ୍ରୀ ଭୁବନାନନ୍ଦ ଦାସ ଥିଲେ ତାହାର ସଂପାଦକ । ଜାତୀୟ ଭାବାପନ୍ନ ଯେଉଁ ନେତୃବର୍ଗ ଅତୀତରେ କଂଗ୍ରେସ ସହିତ ଯୋଗ ନଦେଇ ବିଶେଷ କରି ଦେଶ ମିଶ୍ରଣ ଆନ୍ଦୋଳନ ସହିତ ସଂଶ୍ଲିଷ୍ଟ ରହିଥିଲେ ଏବଂ ମହାରାଜାଙ୍କ ନେତୃତ୍ୱକୁ ଗ୍ରହଣ କରିଥିଲେ, ପ୍ରାୟତଃ ସେଇ ଓଡ଼ିଆ ସ୍ୱାଭୀମାନିଗଣ ଏଇ ନୂତନ ଦଳରେ ଯୋଗ ଦେଇଥିଲେ ।

ଓଡ଼ିଶାରେ ନୂତନ ବିଧାନସଭା ଗଠିତ ହେବାର ଅଳ୍ପ କିଛି କାଳ ପୂର୍ବରୁ ଜିଲ୍ଲାବୋର୍ଡ ସବୁ ଗଠିତ ହୋଇ ସେଥିପାଇଁ ନିର୍ବାଚନ ହୋଇଥିଲା ୧୯୩୬ ଡିସେମ୍ବର ୧୯ ତାରିଖ ଦିନ । ଗଞ୍ଜାମ ଜିଲ୍ଲାରେ, ଓଡ଼ିଶା ଜାତୀୟ ଦଳର ପ୍ରାର୍ଥୀ ରୂପେ ମହାରାଜା କୃଷ୍ଣଚନ୍ଦ୍ର ନିର୍ବାଚନରେ ଅଂଶ ଗ୍ରହଣ କରି ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ହେଲେ ୨୭ଜଣ ସଭ୍ୟ ବିଶିଷ୍ଟ ଜିଲ୍ଲାବୋର୍ଡରେ ମାତ୍ର ଚାରୋଟି ଆସନରେ ଜାତୀୟ ଦଳର ସଭ୍ୟଗଣ ନିର୍ବାଚିତ ହୋଇଥିଲେ । ତଥାପି ସେଠାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା କଂଗ୍ରେସର ସଭ୍ୟଗଣ ମହାରାଜାଙ୍କୁ ହିଁ ସମର୍ଥନ କରିଥିଲେ ତାହାର ସଭାପତି ପଦବୀ ଲାଗି । ଦଳମତ ନିର୍ବିଶେଷରେ ସେମାନଙ୍କର ଦୃଢ଼ ହୃଦ୍‌ବୋଧ ହୋଇଥିଲା ଯେ ତାଙ୍କର ନେତୃତ୍ୱରେ ହିଁ ଗଞ୍ଜାମର ଉନ୍ନତି ସମ୍ଭବପର । ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାସ୍ତାଘାଟ ନିର୍ମାଣ ଇତ୍ୟାଦି କ୍ଷେତ୍ରରେ ଯଥାର୍ଥରେ ବିଶେଷ ଉନ୍ନତି ସାଧିତ ହୋଇଥିଲା ତାଙ୍କରି ଅମଳରେ । ସଭାପତି ରୂପେ ନିର୍ବାଚିତ ହେବା ପରେ ପରେ ଦଳମତର ଊଦ୍ଧ୍ୱର୍କୁ ଚାଲିଯାଇ ସେ ଯଥାଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଉଥିଲେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ । ସେତେବେଳେ ଆପଣାର ରାଜନୈତିକ ଦଳ ତାଙ୍କ ପାଇଁ କୌଣସି ପ୍ରଭାବ ରଖିନଥିଲା ।

ସେତିକିବେଳେ ଅନୁଷ୍ଠିତ ହୋଇଥିଲା ରାଜ୍ୟର ପ୍ରଥମ ସାଧାରଣ ନିର୍ବାଚନ । ଏହା ୧୯୩୭ ଜାନୁଆରି ୧୮ରୁ ଆରମ୍ଭ ହୋଇ ୨୩ରେ ଶେଷ ହୋଇଥିଲା । ଓଡ଼ିଶା ବିଧାନସଭା ପାଇଁ