ପୃଷ୍ଠା:Aama Parala Gajapati.pdf/୧୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭକ୍ତିପୂତ ନିବେଦନ ସମସ୍ତଙ୍କ ମନ-ପ୍ରାଣରେ ଉଦ୍‌ବେଳନ ସୃଷ୍ଟି କରିଥିଲା । ଭକ୍ତିପୂର୍ଣ୍ଣ ବାତାବରଣ ଭିତରେ ହୁଳହୁଳି, ଘଣ୍ଟ-ଘଣ୍ଟା-କାହାଳୀ ଓ ଶଙ୍ଖନାଦ ଭିତରେ ଠାକୁରମାନଙ୍କୁ ମଞ୍ଜରୀ, ବେଲପତ୍ର ଓ ଫୁଲଲାଗି, ଅଖଣ୍ଡ ଦୀପଦାନ, ଭୋଗରାଗ ତଥା ନାମ ସଂକୀର୍ତ୍ତନରେ ଅହୋରାତ୍ର ମୁଖରିତ ହୋଇ ଉଠିଥିଲା । ଦଶହରା କିମ୍ବା ରଥଯାତ୍ରା ସମତୁଲ ଏକ ଜାତୀୟ ଗଣପର୍ବରେ ପରିଣତ ହୋଇଯାଇଥିଲା ମହାରାଜାଙ୍କ ଜନ୍ମୋତ୍ସବ ପାଳନ ଦିନଟି ପାରଳା ସହରରେ ।

ଭୋର ଚାରିଟା ବେଳୁ ସହରର ଛାତ୍ରୀ ଛାତ୍ରଗଣଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ପ୍ରଭାତ ଫେରି କାର୍ଯ୍ୟକ୍ରମ ପଣ୍ଡିତ ଗଣଙ୍କ ବେଦମନ୍ତ୍ର ତଥା ରାମଧୂନ୍ ଉଚ୍ଚାରଣ ସହିତ । ପ୍ରାୟ ସକାଳୁ ସକାଳୁ ପୂଜା, ଜପ, ଆରାଧନା, ବେଦମନ୍ତ୍ର ପାରାୟଣ ସହିତ ମଠ ମନ୍ଦିରରେ ଠାକୁରମାନଙ୍କ ମସ୍ତକରେ ମଂଜରୀ/ବେଲପତ୍ର ଲାଗି ତଥା ରୁଦ୍ରାଭିଷେକ ଉତ୍ସବମାନ ଆୟୋଜିତ ହୋଇଥିଲା । କେଉଁଠି ବେଦମନ୍ତ୍ର ଉଚ୍ଚାରଣ, ଅଷ୍ଟପ୍ରହରୀ, ନାମସଂକୀର୍ତ୍ତନ ତ ଆଉ କେଉଁଠି ବିଷ୍ଣୁ ସହସ୍ର ନାମ ପାରାୟଣ । ସହରର ପ୍ରାୟ ସବୁ ମନ୍ଦିରରେ ଅଖଣ୍ଡ ଦୀପଦାନ ସମେତ ରୁଦ୍ରାଭିଷେକ ପାଇଁ ଜନଗଣଙ୍କ ଉତ୍କଣ୍ଠା । ଭୋଗରାଗତ ଚାଲିଥିଲା ସବୁଠି । ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ହାଟପଦାସ୍ଥିତ ଚନ୍ଦ୍ରଶେଖର ଦେବାଳୟ ଏବଂ ଚିତ୍ରକର ସାହିଛକରେ ପ୍ରତିଷ୍ଠିତ ରଘୁନାଥ ମନ୍ଦିରରେ ୨୧ ହଜାର ଲେଖାଏଁ ବେଲପତ୍ରୀ ଓ ମଂଜରୀ ଲାଗି ହୋଇଥିଲେ ଠାକୁରେ । ଠିକ୍ ସେହିଭଳି ସ୍ଥିତି ଥିଲା ରାଜଦାଣ୍ଡସ୍ଥିତ ଜଗନ୍ନାଥ ମଠ ଏବଂ ବଡ଼ ରାଧାକାନ୍ତ ମଠରେ । ସେଠାରେ ଠାକୁରମାନେ ମଣ୍ଡିତ ହୋଇଥିଲେ ୨୧ ହଜାର ଲେଖାଏଁ ମଂଜରୀରେ । ଡେଙ୍ଗା ଦେଉଳର ଠାକୁରେ ସେହି ପରିମାଣରେ ଫୁଲ ଓ ବେଲପତ୍ରରେ ପୂଜିତ ହୋଇଥିଲେ । ସେହିଭଳି ଗୋପିନିସାହି ଛକ ଏବଂ କଣ୍ଡରାସାହି ଛକର ତ୍ରିନାଥ ପୀଠ ସମେତ ବ୍ରାହ୍ମଣ ସାହିଛକସ୍ଥିତ ରାଧାବଲ୍ଲଭ ମଠରେ ନଅ ହଜାର ଲେଖାଏଁ ମଂଜରୀ ଏବଂ ସମ ପରିମାଣର ଫୁଲ ଠାକୁରମାନଙ୍କୁ ଅର୍ପିତ ହୋଇଥିଲା ମହାରାଜାଙ୍କ ଦୀର୍ଘଜୀବନ କାମନା କରି । କରଣ ସାହିର ସାନ ରାଧାକାନ୍ତ ମଠ ତଥା ଶ୍ରୀକରଣ ସାହିର ରାଧାମୋହନ ମଠ ସାଙ୍ଗକୁ ଜଙ୍ଗମ ସାହିର ମଲ୍ଲିକେଶ୍ୱର ମନ୍ଦିରରେ ଦଶ ହଜାର ଲେଖାଏଁ ମଞ୍ଜରୀ/ବେଲପତ୍ରୀ ଲାଗି ହୋଇଥିଲେ ଠାକୁରେ । ଅଙ୍କ ସାହିରେ ପ୍ରତିଷ୍ଠିତ ମାଣିକେଶ୍ୱରୀ ମନ୍ଦିରରେ ୧୦୮ ମଞ୍ଜରୀ ସହିତ ବେଲପତ୍ରୀ ଲାଗି ହୋଇଥିବା ପରିମାଣ ଥିଲା ସାତ ହଜାର ଆଠଶହ । ସେହି ସମାନ ପରିମାଣର ଫୁଲ ଏବଂ ସେତିକି ବେଲପତ୍ରୀ କାଶି ନଗର ରାସ୍ତା ପାଶ୍ୱର୍ସ୍ଥ ରାମସ୍ୱାମୀ ମନ୍ଦିରରେ ଲାଗି ହୋଇଥିଲା ଏବଂ ମଧ୍ୟ ହୋଇଥିଲା ରାମ ସାଗର ପାଶ୍ୱର୍ସ୍ଥ ରାମ ଲିଙ୍ଗେଶ୍ୱର ମନ୍ଦିରରେ । ସେଠାରେ ୧୦୮ନାରିକେଳ ମଧ୍ୟ ଅଭିଷେକ କରାଯାଇଥିଲା । ଏଭଳି ଅନେକ କିଛି... ସବୁଠି ଅହୋରାତ୍ର ଭଜନ-କୀର୍ତ୍ତନ । ମହାରାଜାଙ୍କ ଦୀର୍ଘ ନିରାମୟ ଜୀବନ ପାଇଁ କାମନା !

ସନ୍ଧ୍ୟାରେ ସ୍ଥାନୀୟ ଟାଉନ୍ ହଲଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ପ୍ରତିନିଧିତ୍ୱ କରୁଥିବା ୭୭ଟି ଅନୁଷ୍ଠାନ ତରଫରୁ ମହାରାଜାଙ୍କ