ପୃଷ୍ଠା:Aama Parala Gajapati.pdf/୧୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବୃନ୍ଦ ମଧ୍ୟ ଆପଣାର ଶ୍ରଦ୍ଧା ସୁମନ ସେଠାରେ ଅର୍ପଣ କରିଥିଲେ ।

ହେଲେ ବିଶେଷ ଉଲ୍ଲେଖ ଯୋଗ୍ୟ ଯେ ଯେଉଁ ମହାନାୟକଙ୍କ ପାଇଁ ଜନଗଣଙ୍କ ଏହି ଉଛ୍ୱସିତ ଉଦ୍‌ବେଳନର ପରିପ୍ରକାଶ ହୋଇଥିଲା ସେତେବେଳେ ସେଠାରେ ସେ ଉପସ୍ଥିତ ନଥିଲେ । ଥିଲେ ସୁଦୂର ବାଙ୍ଗାଲୋର ସହରରେ । ଏହା ହିଁ ତ ପ୍ରମାଣ କରାଇ ଦେଇଥିଲା ମହାରାଜାଙ୍କ ପ୍ରତି ଜନଗଣଙ୍କର ଅନ୍ତରଙ୍ଗ ଭାବର ପ୍ରତିଫଳନ; ରାଜ୍ୟବାସୀଙ୍କ ଶ୍ରଦ୍ଧା, ସମ୍ମାନ ଓ ଭକ୍ତିର ନିଦର୍ଶନ ! ସହରରେ ମହାରାଜାଙ୍କ ଉପସ୍ଥିତି ବା ଅନୁସ୍ଥିତିର ପାର୍ଥକ୍ୟ ପାରଳାବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନଥିଲା, ଥିଲା କେବଳ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ଠାକୁରଙ୍କ ନିକଟରେ ଭକ୍ତିପୂତ ନିବେଦନ ।

ସେଇ ଉପଲକ୍ଷେ ଏକ ସ୍ମରଣିକା ପ୍ରକାଶିତ ହୋଇଥିଲା । ସେଥିରେ ମହାରାଜାଙ୍କ କର୍ମମୟ ଜୀବନର ଝଲକଟିଏ ପ୍ରକାଶିତ ହୋଇଥିଲା ଏବଂ ପ୍ରକାଶିତ ହୋଇଥିଲା ଦେଶ ବିଦେଶର ଅନେକ ପ୍ରଖ୍ୟାତ ବ୍ୟକ୍ତିଙ୍କ ସ୍ମୃତି ଏବଂ ଅନୁଭୂତି । ମହାରାଜାଙ୍କ କାର୍ଯ୍ୟକଳାପ ନେଇ ଅତୀତରେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇଥିବା ସବିଶେଷ ସମ୍ବାଦ ଇତ୍ୟାଦିର ଅଂଶ ବିଶେଷ ମଧ୍ୟ ଗ୍ରନ୍ଥିତ ହୋଇଥିଲା ସେଥିରେ । ତାହା ଆଜି ସୁଦ୍ଧା ଏକ ପ୍ରାମାଣିକ ସଂକଳନ ହିସାବରେ ଗୃହୀତ । ମହାରାଜାଙ୍କର ଜନ୍ମ ଉତ୍ସବ ପାରଳାରେ ଆୟୋଜିତ ହେବାବେଳେ ସେ ସେଠାରେ ଉପସ୍ଥିତ ନଥିବାରୁ, ବାଙ୍ଗାଲୋର୍‌ରୁ ଫେରିବା ପରେ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ ହୋଇ ସେଇ ସ୍ମରଣିକାଟିକୁ ଭକ୍ତି ଉପହାର ରୂପେ ଦିଆଯାଇଥିଲା ଏକ ରୁପା ଥାଳିରେ ।

ସେଦିନ ଥିଲା ୧୯୭୦ ମସିହା ଫେବ୍ରୁଆରି ୨୧ ତାରିଖ । ସମଗ୍ର ରାଜଦାଣ୍ଡ ଓ ଟାଉନ୍ ହଲ୍ ଚିତ୍ରିତ ତୋରଣମାଳାରେ ସୁସଜ୍ଜିତ । ମହାରାଜାଙ୍କୁ ସ୍ଥାନୀୟ ଟାଉନ୍‌ହଲ୍‌ରେ ନାଗରିକ ସମ୍ବର୍ଦ୍ଧନା ଦିଆଯାଉଥିବା ସମ୍ବାଦ ଶୁଣି ପାରଳା ଆଖପାଖ ଅଞ୍ଚଳ, ବିଶେଷକରି ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଏବଂ ଦୀର୍ଘ ଅତୀତରେ ତାଙ୍କର ଜମିଦାରି ଅନ୍ତର୍ଗତ ଅଞ୍ଚଳରୁ ହଜାର ହଜାର ଲୋକ ଆସି ଜମି ଯାଇଥିଲେ ରାଜଦାଣ୍ଡରେ ପୂର୍ବଥର ଭଳି । ସେମାନେ ସେଦିନ ତାଙ୍କରି ପ୍ରିୟ ମହାରାଜାଙ୍କୁ ଦେଖି ନଥିଲେ ତ ! ସେଦିନ ସନ୍ଧ୍ୟା ପୂର୍ବରୁ ସାରା ସହରରେ ପ୍ରବଳ ଜନ ସମାଗମ-ଠିକ୍ ଜନ୍ମଦିନ ପାଳନ ଦିବସ ଭଳି । ଆକାଶରେ ମେଘର ଘନଘଟା ଓ ବତାସିଆ ପବନକୁ କାହାରି ଖାତିର ନାହିଁ ।

ଅପରାହ୍‍ଣ ସାଢ଼େ ଚାରିଟା ବେଳକୁ ଆକାଶ କିନ୍ତୁ ଶାନ୍ତ ହୋଇଯାଇଥିଲା । ନିର୍ଦ୍ଧାରିତ ସମୟରେ ଏବଂ ନିର୍ଦ୍ଧାରିତ ସ୍ଥାନରେ ମହାରାଜାଙ୍କ ଉପସ୍ଥିତି ମାତ୍ରେ ସେଇ ପାରଂପାରିକ ଢଙ୍ଗରେ- “ଜୟ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଜୟ” ଧ୍ୱନି ଆକାଶ ମେଦିନୀକୁ ପ୍ରକମ୍ପିତ କରି ଦେଇଥିଲା । ୭୮ଟି ପ୍ରଦୀପ ସୁଶୋଭିତ ମଞ୍ଚ ଆରୋହଣ କରିଥିଲେ ମହାରାଜା । ସେଇ ମଞ୍ଚ