ପୃଷ୍ଠା:Aama Parala Gajapati.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାଜ୍ୟର ନେତୃବର୍ଗଙ୍କ ସମେତ ବୁଦ୍ଧିଜୀବୀ, ପ୍ରତିଷ୍ଠିତ ବ୍ୟକ୍ତି ତଥା ବିଦେଶାଗତ ଅତିଥିଗଣ ନବଉତ୍କଳର ଅନ୍ୟତମ ପ୍ରବୀଣ ବିନ୍ଦାଣୀ ମହାରାଜଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଏକ ଗୌରବ ବୋଲି ମନେ କରୁଥିଲେ ଶେଷ ପର୍ଯ୍ୟନ୍ତ । ସମସ୍ଥାନରୁ ତାରିଖ ଏବଂ ସମୟ ନିର୍ଦ୍ଧାରଣ କରିବାକୁ ହେଉଥିଲା । ସେଥିପାଇଁ ମହାରାଜାଙ୍କ ଦରବାର ହଲ୍ ସୁସଜ୍ଜିତ ହେଉଥିଲା । ଅତି ପରିଚିତଙ୍କ ଠାରୁ ଅପରିଚିତ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସେଇ ଏକା ନିୟମ । ସେଇ ନିୟମରେ ମଧ୍ୟ ବନ୍ଧା ମହାରାଜା କୃଷ୍ଣଚନ୍ଦ୍ରଙ୍କ ଆର୍ଥିକ ସହାୟତା ଲାଭ କରି ଉଚ୍ଚ ଶିକ୍ଷିତ ହୋଇ ଜିଲ୍ଲା କଲେକ୍ଟର ରୂପେ ଯୋଗ ଦେଇଥିବା ଗୋପୀନାଥ ମଧ୍ୟ । ଏକଦା ମହାରାଜାଙ୍କର ପ୍ରଜା ଥିବା ଗୋପୀନାଥ ଗଂଜାମର କଲେକ୍ଟର ହେବା ପରେ ପରେ ସାମାଜିକ ଅବସ୍ଥାର ଠିକ୍ ପରିବର୍ତ୍ତନ ହୋଇଥିଲା । ମହାରାଜା ପାଲଟି ଯାଇଥିଲେ ତାଙ୍କରି ପ୍ରଜା ଭାରତର ସାମ୍ବିଧାନିକ ଅର୍ଥରେ । ତଥାପି ପାରଳା ଗଜପତିଙ୍କୁ ସାକ୍ଷାତ ଟିକିଏ କରିବା ପାଇଁ ବ୍ୟଗ୍ର ଗୋପୀନାଥଙ୍କର ସେଇ ସମସ୍ଥାନକୁ ଦଉଡ଼ । ସମୟ ନିର୍ଦ୍ଧାରଣ କର । ଦରବାର ହଲ ନିକଟରେ ଘଣ୍ଟାକଣ୍ଟାକୁ ଅପେକ୍ଷାକର । ହଲ୍‌ର ମଞ୍ଚ ଉପରକୁ ଉଠିବା ପୂର୍ବରୁ ପାଦର ଜୋତା ଓହ୍ଲାଅ...

ଅତିଥି ପୂର୍ବ ନିର୍ଦ୍ଧାରିତ ସମୟରେ ହିଁ ପହଞ୍ଚିବାକୁ ହେବ । ଅତି ବେଶିରେ ପାଞ୍ଚରୁ ଦଶମିନିଟ୍ ଡେରି କ୍ଷମଣୀୟ । ତା ପରେ ଦରବାର ହଲ୍‌ର ଦୁଆର ବନ୍ଦ । ସେଥିପାଇଁ ପୁଣିଥରେ ଖୋଲାଯିବା ସମ୍ଭବ ନୁହେଁ । ସେ ଯିଏ ହୁଅନ୍ତୁ ନା କାହିଁକି- ହୁଅନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଡ: ହରେକୃଷ୍ଣ ମହତାବ୍ ଅଥବା ଦେଶର ସ୍ୱନାମଧନ୍ୟ ଚିକିତ୍ସକ ଡକ୍ଟର ଆକୁଳାନନ୍ଦ ଷଡ଼ଙ୍ଗୀ ।

[[ଫାଇଲ:|428px|page=154]]