ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏ କଥା ଶୁଣି ସମସ୍ତେ ଖୁସି ହୋଇଗଲେ । ମା' ଓ ସ୍ତ୍ରୀଙ୍କର କାନ୍ଦଣା ଏକାବେଳେ ବନ୍ଦ ହୋଇଗଲା । କବିରାଜ ଗୋଟିଏ ଔଷଧର ବଟିକା ବାହାର କରି କହିଲେ, "କିନ୍ତୁ ଗୋଟିଏ କଥା ଅଛି, ଜଣେ ଏହାକୁ ପ୍ରଥମେ ଖାଇବ । ତା'ପରେ ରୋଗୀକୁ ଖାଇବାକୁ ଦିଆଯିବ । ଔଷଧର ଏହି ନିୟମ । ଯେ ତାକୁ ପ୍ରଥମେ ଖାଇବ, ସେ କିନ୍ତୁ ମରିଯିବ । ମୁଁ ଦେଖୁଚି, ଲୋକଟିର ବହୁ ଆତ୍ମୀୟ ସ୍ୱଜନ ଅଛନ୍ତି । ଖାଇବାକୁ ଜଣେ କେହି ବାହାରିବ ନାହିଁ!"
କବିରାଜଙ୍କ କଥା ଶୁଣି ସମସ୍ତେ ଚୁପ୍, କାହା ମୁହଁରୁ କଥା ବାହାରୁ ନାହିଁ । କେହି ଆଗେଇ ନ ଆସିବାର ଦେଖି କବିରାଜ କହିଲେ, "ଡେରି କର ନାହିଁ । ବେଶୀ ଡେରି ହେଲେ ଔଷଧର କିଛି ଫଳ ହେବ ନାହିଁ । କିଏ ଖାଇବ, ଶୀଘ୍ର ବାହାର ।"
ତେବେ ସୁଦ୍ଧା କେହି ଆସିବାର ନ ଦେଖି କବିରାଜ ମା' ପାଖକୁ ଯାଇ ତା' ହାତରେ ଔଷଧଟି ଦେଲେ । କବିରାଜ କହିଲେ, "ମା' ଆଉ କାନ୍ଦ ନାହିଁ । ଏ ଔଷଧଟି ଖାଇ ଦିଅ । ତା'ହେଲେ ପୁଅ ତୁମର ଉଠି ବସିବ ।"