ପୃଷ୍ଠା:Malunira Fula O Anyanya Galpa.pdf/୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରାହ୍ମଣୀ ମନକୁ ବୁଝାଇବାକୁ ଚାହିଲେ । କିନ୍ତୁ ମାଆର ମନ କ'ଣ ସହଜରେ ବୁଝେ ? କୁମ୍ଭାର ଏକ ସୁନ୍ଦର ପ୍ରତିମା ଗଢ଼ିଦେଲା । ପୂଜାପାଇଁ ଆଉ ଗୋଟିଏ ଦିନ ବାକି । କିନ୍ତୁ ଗୋଟିଏ ବିପଦ ପଡ଼ିଗଲା । ବ୍ରାହ୍ମଣୀ ଅସୁସ୍ଥ ହୋଇପଡ଼ିଲେ । ଘରେ ପିଲାପିଲି କେହି ନାହାନ୍ତି । ବ୍ରାହ୍ମଣୀ କହିଲେ, "ଆହେ, ତୁମେ ଥରେ ହେଲେ ମୋ ସର୍ବମଙ୍ଗଳା ଘରକୁ ଟିକିଏ ଯାଅନା !" ବାଧ୍ୟ ହୋଇ ବ୍ରାହ୍ମଣଙ୍କୁ ଝିଅ ଘରକୁ ଯିବାକୁ ପଡ଼ିଲା । କିନ୍ତୁ ସେମାନେ ଝିଅକୁ ପଠାଇଲେ ନାହିଁ ।

ଦୁଃଖରେ ବ୍ରାହ୍ମଣ ଜମିଦାର ଘରଠାରୁ ଅଳ୍ପ ଦୂର ଫେରି ଆସିଛନ୍ତି କି ନାହିଁ, ଶୁଣିଲେ ପଛରୁ କିଏ ଯେପରି ତାଙ୍କୁ ଡାକୁଛି, "ବାପା, ବାପା, ମୁଁ ଆସୁଛି ଯେ, ମୋତେ ନେଇ ଯାଅ ।" କଥାଗୁଡ଼ାକ ଯେପରି ସର୍ବମଙ୍ଗଳାର । ଚମକି ପଡ଼ି ସେ ପଛକୁ ଚାହିଁଲା ବେଳକୁ ସତରେ ସର୍ବମଙ୍ଗଳା । ବ୍ରାହ୍ମଣ କହିଲେ, "ୟା କ'ଣ ସମ୍ଭବ ମାଆ ? ତୁ ଚାଲି ଆସିଲୁ ଯେ, ତୋ ଶାଶୂ କ'ଣ କହିବେ ?"

ସର୍ବମଙ୍ଗଳା କହିଲା, "ସେ କଥା ତୁମକୁ ଚିନ୍ତା କରିବାକୁ ପଡ଼ିବ ନାହିଁ, ବାପା । ମୁଁ ସବୁ ଠିକ୍ କରିଦେଇ ଆସିଛି ।"

ଝିଅକୁ ଦେଖି ମାଆର ଦେହ ବହୁତ ଭଲ ହୋଇଗଲା । ସର୍ବମଙ୍ଗଳାଯୋଗୁଁ ସାରା ଘର ଯେପରି ଆନନ୍ଦରେ ପୂରି ଉଠୁଛି । ଝିଅ ପୂର୍ବାପେକ୍ଷା ଆହୁରି ଉଜ୍ଜ୍ୱଳ ଓ ଆହୁରି ସୁନ୍ଦର ଦେଖାଯାଉଛି । ମାଆ ବାପା ଦେଖି ତାଙ୍କ ଛାତି ଫୁଲି ଉଠୁଛି । ଆହା, ଝିଅ ବଡ଼ଘରର ବୋହୂ ହୋଇଛି । ତଥାପି ଯେମିତି ଥିଲା ସେମିତି । କପାଳରେ ସିନ୍ଦୂର, ହାତରେ ଅକ୍ଷୟ ସୂତ୍ର ।

ପୂଜାର ଦି'ଦିନ ଅତି ସୁନ୍ଦର ଭାବରେ କଟିଗଲା । ତୃତୀୟ ଦିନ ସର୍ବମଙ୍ଗଳା ବାପାଙ୍କୁ ପଚାରିଲା, "ବାପା, ସାଇର ଲୋକଙ୍କୁ ଖାଇବାକୁ ଦେବାକୁ ହେବ ।" ବ୍ରାହ୍ମଣ ହସି ହସି କହିଲେ, "ଖାଇବାକୁ ତ ଦେବାକୁ ହେବ, କିନ୍ତୁ କ'ଣ ଖାଇବାକୁ ଦେବା ? ତୋର ବାପାର କ'ଣ ସେ କ୍ଷମତା ଅଛି, ମାଆ ?"

ସର୍ବମଙ୍ଗଳା ଉତ୍ତର ଦେଲା, "ନା, ବାପା, ତୁମେ ଘରକୁ ପୂଜା ଆଣିଛ । ସାଇର ସମସ୍ତଙ୍କୁ ଖାଇବାକୁ ନ ଦେଲେ କ'ଣ ମାନିବ ?"

ଏହି କଥା କହି ସର୍ବମଙ୍ଗଳା ସାଇକୁ ଚାଲିଗଲା । ବ୍ରାହ୍ମଣ ମନେ ମନେ ହସିଲେ । ବଡ଼ ଘରକୁ ଯାଇ ଝିଅର ଆଖି ବଡ଼ ହୋଇଯାଇଛି ।

ବ୍ରାହ୍ମଣ ସ୍ନାନ ସାରି ପୂଜାରେ ବସିଲେ । ସର୍ବମଙ୍ଗଳା ତାଙ୍କୁ ସାହାଯ୍ୟ କରିବାରେ ଲାଗିଲା । ଠାକୁର ପ୍ରତିମା ଜୀବନ୍ତ ଦେଖା ଯାଉଛନ୍ତି । ଦେବୀଙ୍କର ଜ୍ୟୋତିରେ ସମସ୍ତ ଘର ଆଲୋକିତ ହୋଇଉଠୁଛି । ଦି'ପହର ବେଳେ ସାଇର ଲୋକେ ଦଳ ଦଳ ହୋଇ ପହଞ୍ଚିଗଲେ । ସର୍ବମଙ୍ଗଳା ସମସ୍ତଙ୍କୁ ଫଳାହାରର ନିମନ୍ତ୍ରଣ କରି ଆସିଛି ।

ବ୍ରାହ୍ମଣ କହିଲେ, "ଦେଖୁଛ, ପାଗଳୀ ଝିଅର କାଣ୍ଡ !"

ବ୍ରାହ୍ମଣୀ ଭାବିଲେ ସେହି କଥା ତ । କିନ୍ତୁ ଏବେ କ'ଣ ହେବ ? ସର୍ବମଙ୍ଗଳା କହିଲା, "ତୁମେ କିଛି ଚିନ୍ତା କର ନାହିଁ । ମୁଁ ସମସ୍ତଙ୍କୁ ଡାକି ଆଣିଛି । ମାଆର ପ୍ରସାଦ ଖୁଆଇବି ।"

ବ୍ରାହ୍ମଣ ସମସ୍ତଙ୍କୁ ଆଦର ଯତ୍ନ କରି ବସାଇଲେ । ତା ପରେ ଠାକୁର ଘରକୁ ଯାଇ ଏକ