ପୃଷ୍ଠା:Malunira Fula O Anyanya Galpa.pdf/୩୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ରାହ୍ମଣ କହିଲେ, "ଏହାର ଉଦ୍ଦେଶ୍ୟ ହେଉଛି, ଯଦି ମୁଁ କେବେ ସାକ୍ଷାତ୍‌ର ସୁଯୋଗ ପାଏ, ଚାରି ଜଣ ବ୍ୟକ୍ତିଙ୍କୁ ଉପଯୁକ୍ତ ଶାସ୍ତି ଦେବି ।"

ଅର୍ଜୁନ କୌତୂହଳୀ ହୋଇ ପଚାରିଲେ, "ସେମାନେ କିଏ ?"

"ପ୍ରଥମ ଜଣକ ହେଉଚି ହତଭାଗା ନାରଦ, ବ୍ରାହ୍ମଣ କହିଲେ ।

"କାହିଁକି ? ସେ କି ଦୋଷ କରିଛନ୍ତି ?" ଅର୍ଜୁନ ପଚାରିଲେ ।

ବ୍ରାହ୍ମଣ ଉତ୍ତର ଦେଲେ, "କାହିଁକି ? ତା'ର ଆସ୍ଫର୍ଦ୍ଧା ଦେଖ, ସବୁବେଳେ ଗୀତବାଦ୍ୟ ଦ୍ୱାରା ମୋର ପ୍ରଭୁଙ୍କୁ ଅନିଦ୍ରା ରଖୁଚି । ଯାହାହେଲେ ବି ପ୍ରଭୁଙ୍କର ଆରାମ, ବିଶ୍ରାମ କ'ଣ ସେ ମୋଟେ ବିଚାର କରୁନି । ଦିନରେ ରାତିରେ, ସବୁ ସମୟରେ ସେ ପ୍ରାର୍ଥନା ଓ ମହିମା କୀର୍ତ୍ତନ କରି ପ୍ରଭୁଙ୍କୁ ଟିକେ ଶାନ୍ତିରେ ରଖେଇ ଦେଉନି ।"

ଅର୍ଜୁନ ଖୁବ୍ ଆଗ୍ରହୀ ହୋଇ ଉଠିଲେ ଓ ପଚାରିଲେ, "ତେବେ ଦ୍ୱିତୀୟ ବ୍ୟକ୍ତିଟି କିଏ ?"

ବ୍ରାହ୍ମଣ କହିଲେ, "ଦ୍ରୌପଦୀ । ସେ ସ୍ତ୍ରୀ ଲୋକଟାର ଅବିଚାର, ଔଦ୍ଧତ୍ୟ ଦେଖ । ସେ ଏପରି ଅବିବେକୀ ଯେ, ମୋର ପ୍ରଭୁ ମଣୋହିକୁ ଯାଉଥିବା ସମୟରେ ଡାକ ଛାଡ଼ିଲା । ସେ ଆଉ ଭୋଜନ କଲେ ନାର୍ହି । ପାଣ୍ଡବମାନଙ୍କୁ ଦୁର୍ବାସାଙ୍କର ଅଭିଶାପରୁ ରକ୍ଷା କରିବା ପାଇଁ କାମ୍ୟକ ବନକୁ ଧାଇଁଗଲେ । ପୁଣି ତା'ର ସାହସ ଏପରି ବଢ଼ିଗଲା ଯେ, ସେ ପ୍ରଭୁଙ୍କୁ ତା'ର ଅଇଁଠା ଖୁଆଇଲା ।"

ଅର୍ଜୁନ କହିଲେ, "ତୃତୀୟ ଜଣକ କିଏ ?"

"ସେ ହେଉଛି ନିଷ୍ଠୁର ପ୍ରହ୍ଲାଦ । ତା'ର ହୃଦୟ ଏପରି କଠିନ ଯେ, ସେ ପ୍ରଭୁଙ୍କ ଫୁଟନ୍ତା ତେଲ କଡ଼େଇରେ ପଶିବାପାଇଁ, ହାତୀର ପାଦତଳେ ଚକଟି ହେବାପାଇଁ ଏବଂ ଏକ କଠିନ ଖମ୍ବରୁ ବାହାରିବାପାଇଁ କହିବାକୁ କୁଣ୍ଠାବୋଧ କଲା ନାହିଁ", ବ୍ରାହ୍ମଣ କହିଲେ ।

"ଚତୁର୍ଥରେ କାହାର ପାଳି" ଅର୍ଜୁନ ପଚାରିଲେ ।

ବ୍ରାହ୍ମଣ କହିଲେ, "ଶେଷ ପାଳି ହେଉଚି ହତଭାଗା ଅର୍ଜୁନର ।"

ଅର୍ଜୁନ ପଚାରିଲେ, "କାହିଁକି ? ସେ କ'ଣ ଦୋଷ କରିଛି କି ?"

ବ୍ରାହ୍ମଣ କହିଲେ, "ତା'ର ସାହସକୁ ଦେଖ, ସେ ଦୁର୍ବୃତ୍ତ ମୋର ପ୍ରଭୁଙ୍କୁ କୁରୁକ୍ଷେତ୍ର ଯୁଦ୍ଧରେ ତା'ର ସାମାନ୍ୟ ସାରଥି ରୂପେ ବ୍ୟବହାର କଲା ! ସେଥିରେ ପୁଣି ସେ ଭାବୁଚି, ପ୍ରଭୁଙ୍କର ସେ ଶ୍ରେଷ୍ଠ ଭକ୍ତ ।"

ଦରିଦ୍ର ବ୍ରାହ୍ମଣର ଭକ୍ତି ଓ ପ୍ରେମର ଗଭୀରତା ଦେଖି ଅର୍ଜୁନ ବିସ୍ମିତ ଓ ଲଜ୍ଜିତ ହେଲେ । ସେହି ମୁହୂର୍ତ୍ତରୁ ତାଙ୍କର ଗର୍ବ ଉଭେଇଗଲା । ନିଜକୁ ଈଶ୍ୱରଙ୍କର ସବୁଠାରୁ ଶ୍ରେଷ୍ଠ ଭକ୍ତ ବୋଲି ଭାବିବାପାଇଁ ସେ ଲଜ୍ଜା ବୋଧ କଲେ ।