ପୃଷ୍ଠା:Malunira Fula O Anyanya Galpa.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁମର ମାୟାକୁ ଜୁହାର

ଥରେ ଦେବର୍ଷି ନାରଦ ବିଶ୍ୱନିୟନ୍ତା ଈଶ୍ୱରଙ୍କୁ ଅନୁନୟ କଲେ-- "ହେ ପ୍ରଭୁ, ତୁମର ମାୟା ମୋତେ ଦେଖାଅ, ଯାହା କି ଅସମ୍ଭବକୁ ସମ୍ଭବ କରିପାରେ ।"

ନାରଦଙ୍କର ଅନୁରୋଧ ଶୁଣି ଭଗବାନ ତାଙ୍କର ମାୟା ପ୍ରଦର୍ଶନ କରିବାପାଇଁ ସମ୍ମତି ଦେଲେ । ପରେ ନାରଦଙ୍କୁ ସଙ୍ଗରେ ନେଇ ସେ ଭ୍ରମଣ ଉଦ୍ଦେଶ୍ୟରେ ବାହାରି ଗଲେ । କିଛି ଦୂର ଯିବାପରେ ଭଗବାନଙ୍କୁ ଶୋଷ ହେଲା ଓ ସେ ଅତି କ୍ଳାନ୍ତି ଅନୁଭବ କଲେ । ତେଣୁ ସେ ବସିଯାଇ ନାରଦଙ୍କୁ କହିଲେ "ନାରଦ, ମୁଁ ତୃଷାର୍ତ୍ତ; ମୋ ପାଇଁ ଶୀଘ୍ର କେଉଁଠାରୁ ପାଣିମୁନ୍ଦାଏ ଆଣ ।" ସଙ୍ଗେ ସଙ୍ଗେ ନାରଦ ଜଳ ଅନ୍ୱେଷଣରେ ବାହାରି ଗଲେ ।

ନିକଟରେ ପାଣି ମିଳିଲା ନାହିଁ । ନାରଦ ବହୁତ ଦୂର ଚାଲିଯିବାପରେ ଗୋଟିଏ ନଦୀ ଦେଖିବାକୁ ପାଇଲେ । ନଦୀ ନିକଟରେ ପହଞ୍ଚି ଦେଖିଲେ, କୂଳରେ ଗୋଟିଏ ଅନିନ୍ଦ୍ୟ ସୁନ୍ଦରୀ ଯୁବତୀ ବସିଛି । ତା'ର ରୂପ ସମ୍ଭାରରେ ନାରଦ ମୋହଗ୍ରସ୍ତ ହୋଇପଡ଼ିଲେ । ତା' ନିକଟକୁ ନାରଦ ଯିବାରୁ ସେ ତାଙ୍କୁ ଅତି ମଧୁର ଭାଷାରେ ସମ୍ବୋଧନ କଲା । ଅନତି ବିଳମ୍ବେ ଦୁହେଁ ପରସ୍ପରକୁ ଭଲପାଇ ବସିଲେ ।

ଶେଷରେ ନାରଦ ସେ ଯୁବତୀକୁ ବିବାହ କରି ଜଣେ ଗୃହୀ ଭାବରେ ଜୀବନ ଯାପନ କରିବାକୁ ଲାଗିଲେ । ସମୟକ୍ରମେ ଅନେକ ସନ୍ତାନ ମଧ୍ୟ ଲାଭ ହେଲା । ସ୍ତ୍ରୀ ଓ ପିଲାମାନଙ୍କ ସହିତ ଏହିପରି ସୁଖରେ କିଛିକାଳ ବାସ କରିବାପରେ ସେ ଦେଶରେ ମଡ଼କ ଆସିଗଲା । ଲୋକେ