ପୃଷ୍ଠା:Malunira Fula O Anyanya Galpa.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଜଗା ଭାବିଲା,"ବେଶ୍ ତ । ଚାକରଗୁଡ଼ାକ ଏବେ କାମ ନ କରି ଫାଙ୍କି ଦେଉଛନ୍ତି । ଆଉ ଇଏ କହୁଛି, ସବୁବେଳେ କାମ ନ ପାଇଲେ ମୋ'ର ମୁଣ୍ଡ ମୋଡ଼ିଦେବ । ହଉ, ବାପଧନ, ଦେଖିବା କେତେ କାମ କରିବୁ ।"

ସେ ଭୂତକୁ କହିଲା, "ମୁଁ ତୋ' କଥାରେ ରାଜି ଅଛି ।"

ଜଗାକୁ ଭାରି ଭୋକ ଲାଗୁଥିଲା । ସାଧୁଙ୍କ ପାଖରେ ଯେତେଦିନ ଧରି ଥିଲା, ଭଲ ଖାଇବାକୁ ମିଳୁ ନ ଥିଲା । ସେ କହିଲା, "ଶୀଘ୍ର ମୋ' ପାଇଁ ଖୁବ୍ ଭଲ ଭଲ ଖାଇବା ଜିନିଷ ନେଇ ଆ । ଆଉ ଗିଲାସେ ଥଣ୍ଡା ସର୍ବତ । ଯେପରି ଡେରି ନ ହୁଏ ।"

"ଯେ ଆଜ୍ଞା' କହି ଭୂତ କେଉଁଆଡେ଼ ଅଦୃଶ୍ୟ ହୋଇଗଲା । ତା'ପରେ ଦୁଇ ତିନି ମିନିଟ ମଧ୍ୟରେ ଖୁବ୍ ଭଲ ଖାଇବା ଜିନିଷ ଗୋଟିଏ ଥାଳିରେ ଧରି ପହଞ୍ଚିଗଲା । ପୁଣି କେତେ ପ୍ରକାରର ଫଳ-ଅଙ୍ଗୁର, ବେଦନା, ଡାଳିମ୍ବ, କମଳା, ଆମ୍ବ ଏବଂ ଗିଲାସେ ଖୁବ୍ ମିଠା, ସୁଗନ୍ଧ ସର୍ବତ । ଜଗା ଦେଖି ଅବାକ୍ ।

ଏ ଗୁଡ଼ିକ ଜଗା ଆଗରେ ଥୋଇ ଦେଇ ଭୂତ ପଚାରିଲା, ""ଏବେ କ'ଣ କରିବି ? ଜଗା କହିଲା, ""ଆରେ ବାବା, ଖାଇ ପିଇ ଟିକିଏ ଥଣ୍ଡା ହୁଏ, ତା' ପରେ କାମର କଥା କହିବି ।"

ଭୂତ କହିଲା, ""ମୁଁ ସେ ସବୁ କଥା ଜାଣେନି । କାମ ଦେଇ ନ ପାରିବୁ ତ ମୁଣ୍ଡ ଦେ ।"

ମହା ବିପଦ । ଜଗା ନିହାତି ବୋକା ନ ଥିଲା । ସାଙ୍ଗେ ସାଙ୍ଗେ କହିଲା, "ଆଚ୍ଛା ହେଉ, ଖଣ୍ଡେ ପଙ୍ଖା ଧରି ଖାଇବା ଶେଷ ହେବା ପର୍ଯ୍ୟନ୍ତ ମୋତେ ବିଞ୍ଚୁ ଥା ।"

ଭୂତ ବିଞ୍ଚିବାକୁ ଆରମ୍ଭ କଲା । ବହୁ ପ୍ରକାରର ଖାଇବା ଜିନିଷ । ସେ ତା' ଜୀବନରେ ଦେଖି ନାହିଁ । ସବୁ ମନଭରି ଖାଇଲା ଓ ସର୍ବତ ପିଇଲା । ତା'ପରେ ବିଞ୍ଚିବା କାମ ଶେଷ ହେଲା ।

ଭୂତ ପାଖରେ ଠିଆ ହୋଇଚି । ଜଗା କହିଲା, "ଦୂରରେ ଯେଉଁ ପାହାଡ଼ଟା ଦେଖୁଚୁ, ତା'ଉପରେ ଏକ ବିରାଟ ନଗର ତିଆରି କର ।"

ଭୂତ କାମରେ ଲାଗିଗଲା । ଚାହୁଁ ଚାହୁଁ ଅଳ୍ପ ସମୟ ମଧ୍ୟରେ ଏତେ ବଡ଼ ପାହାଡ଼ଟା ଏକ ସୁନ୍ଦର ନଗରରେ ପରିଣତ ହୋଇଗଲା । ଜଗା ଠିଆ ହୋଇ ମଜା ଦେଖୁଥାଏ । ଭୂତ ପାଖରେ ଆସି ଠିଆ ହୋଇଗଲା । ପୁଣି ତା'ର ନୂଆ କାମ ଦରକାର ।

ଜଗା କହିଲା, "ଦେଖ୍, ନଗରର ଠିକ୍ ମଝିରେ ଏକ ମସ୍ତବଡ଼ ରାଜବାଟୀ ନିର୍ମାଣ କର, ବଗିଚା, ରାସ୍ତା-ଘାଟ ଖୁବ୍ ସୁନ୍ଦର କରିବୁ ଏବଂ ଭଣ୍ଡାର ଘରେ ଅଜସ୍ର ମଣି, ମୁକ୍ତା, ହୀରା, ନୀଳା, ସୁନା, ରୁପା ରଖିଦେବୁ । "

ଭୂତ ଚାଲିଗଲା । ଟିକିଏ ପରେ ଆସି କହିଲା, ସବୁ ହୋଇଯାଇଚି ।

ଜଗାର ଭାରି ଇଚ୍ଛା, ସବୁ ନିଜେ ଯାଇ ଦେଖିବ । ବିଶେଷତଃ ଧନଭଣ୍ଡାରଟା । ସେ କହିଲା, "ମୋତେ ଆକାଶ ମାର୍ଗରେ ରାଜବାଟୀର ଠିକ୍ ଧନଭଣ୍ଡାର ପାଖରେ ନେଇ ଠିଆକରି ଦେ ।"

ଜଗା ଭୂତ କାନ୍ଧରେ ଚଢ଼ିଗଲା । ସୁ କରି ଭୂତ ଚାଲିଚି । ତା'ପାଦ ଥରିବାକୁ ଲାଗିଲା ।