ପୃଷ୍ଠା:Malunira Fula O Anyanya Galpa.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସମସ୍ତେ ମିଶି ଜଟିଳର ମୁହଁରେ, ଆଖିରେ ପାଣି ଛିଞ୍ଚିଲେ । ଦୁଇ ଜଣ ତାକୁ ପଙ୍ଖାରେ ବିଞ୍ଚିବାକୁ ଲାଗିଲେ । କିଛି ସମୟ ପରେ ଜଟିଳ ଆଖି ଖୋଲିଲା ।

ଗୁରୁ ଆଦରରେ ତାକୁ କୋଳ କରି କେତେ ବାପ ଧନ କହି ପଚାରିଲେ, ""ଆଚ୍ଛା, ଜଟ, ଏ ଦହି ତୁ କେଉଁଠାରୁ ପାଇଲୁ ?

""ମୋର ମଧୁସୂଦନ ଭାଇଙ୍କଠାରୁ ।

""ତୋର ମଧୁସୂଦନ ଭାଇ ? ସେ କେଉଁଠି ଥା'ନ୍ତି ?

""ଆଜ୍ଞା, ସେହି ବଣରେ ଥା'ନ୍ତି ।

""ଆଚ୍ଛା, ତୋର ମଧୁସୂଦନ ଭାଇଙ୍କ ସହିତ ଥରେ ମୋର ଦେଖା କରାଇ ପାରିବୁ ?

""କାହିଁକି ପାରିବି ନାହିଁ ? ଆସନ୍ତୁ ମୋ ସାଙ୍ଗରେ ।

ଛାତ୍ରମାନଙ୍କ ସଙ୍ଗେ ଗୁରୁ ଜଟିଳର ପଛେ ପଛେ ଚାଲିଲେ । ବଣକୁ ଯାଇ ଜଟିଳ ବଡ଼ ପାଟିରେ ମଧୁସୂଦନ ଭାଇ ବୋଲି ଡାକିବାକୁ ଲାଗିଲା । କିନ୍ତୁ ଆଜି ମଧୁସୂଦନ ଭାଇଙ୍କର ଦେଖା ନାହିଁ । ଜଟିଳର ମହାଚିନ୍ତା ହେଲା । କାନ୍ଦି କାନ୍ଦି ପୁଣି ସେ ଡାକିବାକୁ ଲାଗିଲା । ସେତେବେଳେ ଯାଇ ଦୂରରୁ ମଧୁସୂଦନ ଭାଇଙ୍କର କଥା ଶୁଣାଗଲା, ""ଜଟିଳ, ଆଜି ମୁଁ ଆସି ପାରିବି ନାହିଁ, ତୁ ସରଳ ବିଶ୍ୱାସରେ ମୋତେ ପାଇଥିଲୁ । ତୋର ଗୁରୁଙ୍କର ଓ ଅନ୍ୟମାନଙ୍କର ସେ ବିଶ୍ୱାସ ନାହିଁ । ତେଣୁ ସେମାନେ ମୋତେ ଦେଖିପାରିବେ ନାହିଁ । ସେମାନେ ଚାଲିଗଲେ ମୁଁ ତୋ' ପାଖକୁ ଚାଲି ଆସିବି ଯେ !

ଈଶ୍ୱର-ପ୍ରେମ

ଈଶ୍ୱରଙ୍କୁ ଯେ ପ୍ରକୃତରେ ପ୍ରେମକରେ, ସେ ତାଙ୍କଠାରୁ କିଛି ହେଲେ ଚାହେଁ ନାହିଁ । ସେ କେବଳ ନିର୍ମଳ ପ୍ରେମପାଇଁ ପ୍ରାର୍ଥନା କରେ । ସେ କୌଣସି କ୍ଷମତା ବା ଅଲୌକିକ ଶକ୍ତି ଆଶା କରେ ନାହିଁ ।

ଅଲୌକିକ ଶକ୍ତି ହାସଲ କରିଥିବା ଜଣେ ବ୍ୟକ୍ତି ସମୁଦ୍ର କୂଳରେ ବସିଥିଲା । ଏହି ସମୟରେ ଗୋଟିଏ ଝଡ଼ ଆସିଲା । ପବନଟା ତାକୁ ଅସ୍ୱସ୍ତିକର ବୋଧହେବାରୁ ସେ କହିଲା, ""ଝଡ଼ ବନ୍ଦ ହୋଇଯାଉ । ତା'ର କଥା ଅପୂର୍ଣ୍ଣ ରହିଲା ନାହିଁ । ସେହି ସମୟରେ ସମୁଦ୍ରରେ ଗୋଟିଏ ଜାହାଜ ଯାଉଥିଲା । ହଠାତ୍ ପବନ ବନ୍ଦ ହୋଇଯିବାରୁ ଜାହାଜଟି ଓଲଟିଯାଇ ବୁଡ଼ିଗଲା । ଯାତ୍ରୀମାନେ ପ୍ରାଣ ହରାଇଲେ ଏବଂ ସେମାନଙ୍କର ମୃତ୍ୟୁର କାରଣ ହୋଇଥିବା ଏହି ଲୋକଠାରେ ପାପ ଲାଗିଲା । ଏହି ପାପ ଯୋଗୁଁ ସେ ତା'ର ଅଲୌକିକ ଶକ୍ତି ହରାଇବସିଲା ଏବଂ ନରକଗାମୀ ହେଲା ।

ଏକଦା ଜଣେ ସାଧୁ ଏହିପରି ଅଦ୍ଭୁତ ଶକ୍ତି ଲାଭ କରିଥିଲେ । ଏଥିପାଇଁ ସେ ଭାରି ଗର୍ବ ଅନୁଭବ କରୁଥିଲେ । କିନ୍ତୁ ସେ ଜଣେ ଉତ୍ତମ ଲୋକ ଥିଲେ ଏବଂ କଠୋର ସାଧନା ମଧ୍ୟ କରୁଥିଲେ ।