ପୃଷ୍ଠା:Malunira Fula O Anyanya Galpa.pdf/୬୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହାତରେ ପରିଶ୍ରମ କରି ଏ ଗଛଗୁଡ଼ିକୁ ଠିଆ କରେଇଚି ।" ଇନ୍ଦ୍ର କହିଲେ, " ବଗିଚା ଭିତର ରାସ୍ତାଟି ବି ଖୁବ୍ ସୁନ୍ଦର ହୋଇଚି । ଏ ରାସ୍ତାଟିକୁ କିଏ କରିଚି ?" ବ୍ରାହ୍ମଣ କହିଲେ, "ଆଜ୍ଞା, ଏ ସବୁ ମୁଁ ହିଁ କରିଚି ।" ବ୍ରାହ୍ମଣ ବେଶଧାରୀ ଇନ୍ଦ୍ର କହିଲେ, "ବେଶ୍ ବେଶ୍, ସବୁ ଆପଣ କରିଛନ୍ତି । କେବଳ ଗୋରୁଟା ମାରିବାବେଳେ ଇନ୍ଦ୍ର ଆସିଯାଇଥିଲେ !"

ଲୋକେ ନିଜର ଦୋଷକୁ ନ ଦେଖି ତାହା ଅନ୍ୟ ଉପରେ ଲଦି ଦେବାକୁ ବସନ୍ତି ।

ଦି ଭଉଣୀଙ୍କ ନାଚ

ଜଣେ ସ୍ତ୍ରୀ ଲୋକ ନିଜର ଭଉଣୀ ସାଙ୍ଗରେ ଦେଖା କରିବାକୁ ଗଲା । ସେତେବେଳେ ତା'ର ଭଉଣୀ ସୂତା କାଟୁଥିଲା । ବହୁ ପ୍ରକାର ରେଶମର ସୂତା । ନିଜ ଭଉଣୀ ଆସିଥିବା ଦେଖି ସେ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲା ଏବଂ ଖୁସି ହୋଇ କହିଲା, "ତୁ ଆସିଛୁ ଦେଖି ମୋର ଆନନ୍ଦ ଆଜି କହିଲେ ନ ସରେ । ଯାଇ ତୋ ପାଇଁ ଜଳଖିଆର ବ୍ୟବସ୍ଥା କରୁଚି ।"