ପୃଷ୍ଠା:Malunira Fula O Anyanya Galpa.pdf/୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
କୂଅଖୋଳାଳି


ଜଣେ ଲୋକ କୂଅ ଖୋଳିବାକୁ ଯାଇ ଦୁଇହାତ ମାଟି ଉଠାଇଚି, ଆଉ ଜଣେ ଲୋକ ଆସି କହିଲା, "ଭାଇ ତୁ ମିଛରେ ପରିଶ୍ରମ କରୁଛୁ । ଏହାର ତଳେ ପାଣି ନାହିଁ । ଖାଲି ବାଲି ।"

ଲୋକଟି ତା'କଥା ଶୁଣି ସେ ଜାଗା ଛାଡ଼ି ଆଉ ଗୋଟଏ ଜାଗାରେ ମାଟି ତାଡ଼ିବା ଆରମ୍ଭ କଲା । ସେଠାକୁ ଆଉ ଜଣେ ଆସି କହିଲା, "ଏ ଭାଇ, ଏଠି କାହିଁକି ଖୋଳୁଚୁ ? ଖାଲି ପଥର । ଆଉ ଟିକିଏ ଦକ୍ଷିଣକୁ ଯାଇ ଖୋଳ । ସୁନ୍ଦର ପାଣି ପଡ଼ିବ ।"

ଲୋକଟି ସେଠି ଆଉ ନ ଖୋଳି ଆଉ ଏକ ସ୍ଥାନକୁ ଗଲା । ସେଠାରେ ମଧ୍ୟ ସେହିରି ବାଧା ଆସି ପହଞ୍ଚିଲା । ଶେଷରେ ସେ ଆଉ କୂଅ ଖୋଳି ପାରିଲା ନାହିଁ ।

ଧର୍ମ ପଥ ମଧ୍ୟ ସେହିପରି । ଆଜି ଯାହା ବିଶ୍ୱାସ, କାଲି ଅନ୍ୟର ଉପଦେଶରେ ଲୋକ ଛାଡ଼ି ଦେଉଚି । ବିପଦ କଷ୍ଟରେ ପଡ଼ି ବିଶ୍ୱାସ ହରାଇ ନାସ୍ତିକ ହୋଇ ପଡ଼ୁଚି ।

ଗୋଟାଏ ନା ଗୋଟାଏ ବିଶ୍ୱାସ ରଖି କାମ କରିବାକୁ ହେବ ।

ବାପ ଦୁଇଟି ଛୋଟ ପୁଅକୁ ଧରି ପଡ଼ିଆରେ ଚାଲିଚି । ଗୋଟିଏ ପିଲା କାଖ ହୋଇଚି । ଆଉ ଗୋଟିଏ ପିଲା ପଡ଼ିଯିବ ବୋଲି ବାପ ତାର ହାତଧରି ନେଉଚି । ଏଇ ସମୟରେ ଏକ ଚିଲ ଉଡ଼ିଗଲା । ତାକୁ ଦେଖି ପିଲା ଦୁଇଟି ହାତ ତାଳି ମାରି ଖୁସିରେ କହିବାକୁ ଲାଗିଲେ, ବାପା, ଦେଖ ଦେଖ କେମିତ ପକ୍ଷୀ । ମାତ୍ର ଯେଉଁ ପିଲାଟି ବାପର ହାତ ଧରିଥିଲା, ସେ ହାତ ଛାଡ଼ି ଦେବାରୁ ପଡ଼ିଗଲା । ମାତ୍ର ଯେ କାଖରେ ବସିଥିଲା ତାର କିଛି ହେଲା ନାହିଁ । ପ୍ରଥମଟି ମୁଁକାର (ଅହଂକାର) । ଦ୍ୱିତୀୟଟି ନିର୍ଭର ।