ପୃଷ୍ଠା:Malunira Fula O Anyanya Galpa.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ତା'ପରେ ଚତୁର୍ଥ ବ୍ୟକ୍ତିର ପାଳି ପଡ଼ିଲା । ସେ ପାଚେରି ଉପରକୁ ଉଠି ଦେଖିଲା, ଭିତରେ ଏକ ସୁନ୍ଦର ଉଦ୍ୟାନ ଓ ତାର ଅପୂର୍ବ ଶୋଭା । ବହୁତ ଫୁଲଫଳ ଭର୍ତ୍ତି ହୋଇଚି । ସେ ତଳକୁ ଓହ୍ଲାଇଗଲା ଓ ଅନ୍ୟ ପାଞ୍ଚଜଣଙ୍କୁ ଡାକି ଦେଖିଥିବା ବଗିଚାର କଥା ସେମାନଙ୍କୁ କହିଲା । ସମସ୍ତେ ମିଶି ତାହା ଉପଭୋଗ କରିବାପାଇଁ ବାହାରିଲେ ।

ପ୍ରଥମ ତିନି ଜଣ ବ୍ୟକ୍ତି ହେଲେ ସାଧାରଣ ସ୍ତରର । ସେମାନେ କେବଳ ନିଜର ଆନନ୍ଦ ପାଇଁ ଥାନ୍ତି । କିନ୍ତୁ ଚତୁର୍ଥ ବ୍ୟକ୍ତିଟି ଅସାଧାରଣ । ସମସ୍ତଙ୍କ ତୃପ୍ତିରେ ହିଁ ତାର ତୃପ୍ତି ।

ଚାରି ରକମର ମାଛ

ଜାଲରେ ମାଛ ଧରୁଥିବା ବେଳେ ଦେଖିବ, କେତେକ ମାଛ ଜାଲରେ ପଡ଼ିରହନ୍ତି । ପଳାଇବାପାଇଁ ଚେଷ୍ଟା କରନ୍ତି ନାହିଁ । କେତେକ ମାଛ ଜାଲରେ ପଡ଼ି ଫଡ଼ ପଡ଼, ଛଟ ପଟ ହୁଅନ୍ତି । କିନ୍ତୁ ପଳାଇ ପାରନ୍ତି ନାହିଁ । ଆଉ ଏକ ଜାତୀୟ ମାଛ ଅଛନ୍ତି, ଯେଉଁମାନେ ଜାଲ ଛିଣ୍ଡାଇ ପଳାଇ ଯା'ନ୍ତି । ବାକି ଦି'ଚାରିଟା ମାଛ ଏତେ ଚାଲାକ ଯେ ଜାଲରେ ପଡ଼ନ୍ତି ନାହିଁ । ସେହିପରି ସମସ୍ତ ଜୀବ ସମାନ ହେଲେ ହେଁ ଅବସ୍ଥା ଭେଦରେ ସେମାନେ ଚାରି ରକମର । ବଦ୍ଧ ଜୀବ, ମୁମୂର୍ଷୁ ଜୀବ, ମୁକ୍ତ ଜୀବ ଓ ନିତ୍ୟ ଜୀବ ।