ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବର୍ଷ ସାରା ଲକ୍ଷୟ କଲେ ଦେଖିବା ଯେ ତାରାଗୁଡିକ ପ୍ରତିଦିନ ୪ ମିନିଟ ଆଗୁଆ ଉଦୟ (ବା ଅସ୍ତ) ହେଉଛନ୍ତି । ପ୍ରତି ମାସରେ ଏହା ହେବ ୨ ଘଣ୍ଟା ବା ୬ ମାସରେ ୧୨ ଘଣ୍ଟା । ତେଣୁ ଆଜି ଯେଉଁ ତାରାଟିକୁ ଆମେ ସନ୍ଧ୍ୟାବେଳେ ପୂର୍ବ ଦିଗ୍ବଳୟ ପାଖରେ ଦେଖିବା ୬ ମାସ ପରେ ସେ ପଶ୍ଚିମ ଦିଗ୍ବଳୟ ପାଖରେ ଦିଶିବ । ଆଉ ଠିକ୍ ବର୍ଷକ ପରେ ସେ ତାରାଟି ସଞ୍ଜ ବୁଡ଼ୁ ବୁଡ଼ୁ ପୁର୍ବ ଦିଗରେ ଦେଖାଯିବ । କାରଣ ଏ ଭିତରେ ପୃଥିବୀ ସୂର୍ଯ୍ୟ ଚାରିପଟେ ଗୋଟିଏ ଘେରା ପୂରା କରି ସାରିଥିବ ।
ଏଥିରୁ ବୁଝି ହେଉଥିବ କାହିଁକି ଅଲଗା ମାସରେ ଆକାଶରେ ନୂଆ ତାରା ଦିଶନ୍ତି । ଆଜି ଯିଏ ସନ୍ଧ୍ୟା ବେଳେ ଆସୁଛି, ମାସେ ପରେ କାହିଁକି ୨ ଘଣ୍ଟା ଆଗୁଆ ଦେଖାଯାଉଛି । ଆଉ ବର୍ଷେ ପରେ କାହିଁକି ପୁଣି ସେହି ଏକା ତାରାଗୁଡିକ ଆସୁଛି ।
ତାରାଙ୍କର ଏହି ପ୍ରତୀତ ଗତିକୁ ମଣିଷ ଆଦିମ କାଳକୁ ଲକ୍ଷ କରି ଆସୁଛି । ତାରାଙ୍କ ଉଦୟ ଅସ୍ତକୁ ଦେଖି ସମୟ ମାପିଛି, ଋତୁ ଚକ୍ର ଚିହ୍ନିଛି । ଏହାକୁ କାମରେ ଲଗାଇ ତ।'ର ପାଞ୍ଜି ବା କ୍ୟାଲେଣ୍ଡର ମଧ୍ୟ ତିଆରି କରିଛି ।