ନୀଳଚକ୍ରେ ହେ

ଉଇକିପାଠାଗାର‌ରୁ
ନୀଳଚକ୍ରେ ହେ
ଲେଖକ/କବି: ଗୌରଚରଣ ଅଧିକାରୀ

ନୀଳଚକ୍ରେ ହେ

ନୀଳଚକ୍ରେ ହେ ଦେଖ ଉଡୁଛି ବାନା
ପତିତ ପାବନ ନାମଟି ଯାର ନାଁ ।

ଆସ ଆସ ବୋଲି ପାତକୀମାନଙ୍କୁ ଡାକୁଅଛ ପରା ସଙ୍ଗାତ ଅନା ।
ନେତ ଧ୍ୱଜାବର ଉଡ଼ି ଫର ଫର ଉଡ଼ାଇ ଦେଉଛି ଭବ ଯାତନା । ୧।

ପଞ୍ଚ କୋଶୀ ଯାଏଁ ଜନେ ଦେଖାଯାଏ ଦର୍ଶନେ କଳ୍ମଶ ହୁଅଇ ଚୂନା ।
ଚଉଦ ବ୍ରହ୍ମାଣ୍ଡ କରତାଙ୍କ ଲୀଳା ଶଙ୍ଖ ନାଭି କ୍ଷେତ୍ରେ ବିଚିତ୍ର ସିନା । ୨।

ସଳଖ ସୁନ୍ଦର ବଡ଼ ଦାଣ୍ଡ ଶୋଭା ମର୍ତ୍ତ୍ୟ ମଣ୍ଡଳରେ କାହିଁ ଅଛି ନା ।
ଶରଧା ବାଲିରୁ ସ୍ୱର୍ଗ ଦ୍ୱାର ଯାଏଁ ଗହଳ ଚହଳ ନୁହେଁ କଳନା । ୩।

ପାପ ଛଡ଼ା ପୁରେ ବାସ କରିବାକୁ ଯାହାକୁ ତାହାକୁ ନୁହଁଇ ମନା ।
ଆଚାଣ୍ଡାଳ ବିପ୍ର ପତ୍ରକେ ଭୁଞ୍ଜିବା ବଡ଼ ଆଚମ୍ବିତ ଲାଗଇ କିନା । ୪।

ଗୌର ଦ୍ୱିଜ ଭଣି ଶ୍ରୀକ୍ଷେତ୍ରେ ରହଣି ପାଇଁ କରୁଥାଇ ସଦା ଭାବନା ।
ସତେ ହେବ ସାହା ବଳିଆର ବାହା ସମ୍ପୂର୍ଣ୍ଣ କରିବି ମନ କାମନା । ୫।