ପୃଷ୍ଠା:Asha Tara Dekhiba.pdf/୧୦୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୂର୍ଯ୍ୟ ଓ ପ୍ରତି ଗ୍ରହର ସ୍ଥାନ (କେଉଁ ତାରା ମଣ୍ଡଳ) ଜାଣିହେବ । ସୂର୍ଯ୍ୟଗ୍ରହ ଲମ୍ବନରୁ (ସୂର୍ଯ୍ୟର ଦ୍ରାଘିମା ବିଯୁକ୍ତ ଗ୍ରହର ଦ୍ରାଘିମା) ଗ୍ରହର ଉଦୟଅସ୍ତ ସମୟ ମଧ୍ୟ ଜାଣିହେବ । ଗ୍ରହ ଯଦି ସୂର୍ଯ୍ୟର ପୂର୍ବକୁ ରହିବ (ଗ୍ରହର ଦ୍ରାଘିମା ଅଧିକ ହେବ, ତେଣୁ ଗ୍ରହର ଲମ୍ବନ ଋଣାମୁକ ହେବ) ତେବେ ସୂର୍ଯ୍ୟ ଅସ୍ତ ପରେ ଆମେ ତାକୁ ଦେଖି ପାରିବା । ଗ୍ରହଟି ସୂର୍ଯ୍ୟର ପଶ୍ଚିମରେ ରହିଲେ ଠିକ୍ ଏହାର ଓଲଟା ହେବ ।

ସୂର୍ଯ୍ୟ ସହିତ ସଂଯୋଗର ଠିକ୍ ପୂର୍ବରୁ ଓ ପରେ ଗ୍ରହଗୁଡିକ ସୂର୍ଯ୍ୟର ଅତି ପାଖରେ ରହନ୍ତି । ତେଣୁ ସୂର୍ଯ୍ୟର ଜ୍ୟୋତିରେ ଏମାନଙ୍କୁ ଦେଖି ହୁଏ ନାହିଁ । ସଂଯୋଗ ପୂର୍ବରୁ ସୂର୍ଯ୍ୟର ଜ୍ୟୋତିରେ ଲୁଚିଯିବା ଅବସ୍ଥାକୁ ଗ୍ରାହ ଜ୍ୟୋତି ପ୍ରବେଶ ବା ହେଲି ଆକାଲ ସେଟିଙ୍ଗ କୁହାଯାଏ । ସଂଯୋଗ ପରେ ସୌରଜ୍ୟୋତିରୁ ବାହାରି ପ୍ରଥମେ ଦେଖା ଯିବାକୁ ଜ୍ୟୋତି ନିର୍ଗମ ବ। ହେଲିଆକାଲ୍ ରାଇଜିଙ୍ଗ କୁହାଯାଏ । ସୂର୍ଯ୍ୟ ପାଖରେ ଏଭଳି ଅଦୃଶ୍ୟ ଅବସ୍ଥାକୁ ସଂଯୋଗ ବିଲୋପ (କମ୍ବସ୍‌ଚନ୍) କୁହାଯାଏ ।

ବିଯୋଗ (ଅପୋଜିସନ୍) ଅବସ୍ଥାରେ ସୂର୍ଯ୍ୟ ଓ ଗ୍ରହ ପୃଥିବୀର ଦୁଇ ବିପରୀତ ଦିଗରେ ରୁହନ୍ତି । ତେଣୁ ସୂର୍ଯ୍ୟ ଅସ୍ତ ବେଳକୁ ଗ୍ରହ ଉଦୟ ହୁଏ ଓ ରାତି ସାରା ଆକାଶରେ ଦେଖଯାଏ । ଗ୍ରହଟିକୁ ଦେଖିବା ପାଇଁ ଏହା ସବୁଠାରୁ ଭଲ ସମୟ । ଗ୍ରହମାନଙ୍କର ନିଜର ଗତି ସହିତ ପୃଥିବୀର ଗତି ମିଶିବା ଫଳରେ ତାରାମାନଙ୍କ ଭିତରେ ତାଙ୍କର ସ୍ଥାନ ବଦଳାଟା ଅନିୟମିତ ମନେ ହୁଏ । ଏହି କାରଣରୁ ଗ୍ରହମାନେ ବେଳେ ବେଳେ ପଛୁଆ (ପୂର୍ବରୁ ପଶ୍ଚିମକୁ ) ଚାଲିଲା ଭଳି ଜଣା ପଡେ । ସ୍ୱାଭାବିକ ପଶ୍ଚିମରୁ ପୂର୍ବ ଗତିକୁ ମାର୍ଗ (ଡାଇରେକ୍ଟ) ଗତି ଏବଂ ପଛୁଆ ଗତିକୁ ବକ୍ର (ରେଟ୍ରୋଗ୍ରେଡ୍) ଗତି କୁହଯାଏ । ପ୍ରତି ବର୍ଷ ପାଞ୍ଜି ବା ଆକାଶ କାଲେଣ୍ଡରରୁ ଏ ସବୁର ସଠିକ ସମୟ ଜାଣିହେବ ।