ପୃଷ୍ଠା:Chha mana atha guntha.pdf/୧୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୋପୀ ସାହୁ ସେହିଦିନଠାରୁ ଆଉ ଦୋକାନକୁ ଯାଇନାହିଁ, କାର୍ତ୍ତିକ ତିନିଦିନିଆ ଲଗାଣରେ ଘର ପଡ଼ିଗଲା, ସେ ବାଟଟା ମଧ୍ୟ ପଡ଼ିଗଲା । ଚାନ୍ଦିଆ ବେହେରା ଅଧକୋଶେ ତଳକୁ ହରିପୁର ପାଖରେ ନାଆ ପକାଇଲାଣି । ରାତି ତ ରାତି, ଦିନରେ ମଧ୍ୟ ଭୟରେ ସେଠାକୁ କେହି ଯା'ନ୍ତି ନାହିଁ । ସେହି ବରଗଛରେ ଗୋଟାଏ ବଡ ପେତୁଣୀ ବସି ଡାଳ ଦୋହଲାଏ, ମଧ୍ୟ ସେହି ପେତୁଣୀଟା ଖରାବେଳେ ନଦୀ ବାଲି ଉଡ଼ାଇ ଖେଳୁଥିବାର ଅନେକ ଲୋକ ଦେଖିଲେଣି । ଗୋପାଳପୁର ତୋଠର ଆଉ ନାମ ନାହିଁ, ଲୋକେ କହନ୍ତି ପେତୁଣୀପଦା ।