ପୃଷ୍ଠା:Asha Tara Dekhiba.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଋତୁ ନେଇ ଆକାଶର ତାରା

ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ଫଳରେ ତା’ର ଋତୁ ବଦଳେ । ଏଭଳି ବୁଲିବା ସମୟରେ ସୂର୍ଯ୍ୟ ଦିଗରେ ରହୁଥିବା ତାରାମାନଙ୍କୁ ଆମେ ଦେଖି ପାରିବା ନାହିଁ । ଋତୁ ନେଇ ସୂର୍ଯ୍ୟ ଅଲଗା ଅଲଗା ତାରାଙ୍କ ଦିଗରେ ରହେ । ତେଣୁ ଆମକୁ ଦେଖା ଯାଉଥିବା ତାରାମାନେ ମଧ୍ୟ ଅଲଗା ହୁଅନ୍ତି । ପରପୃଷ୍ଠାଗୁଡିକରେ ସାରା ବର୍ଷରେ ତାରାମାନଙ୍କର ଅବସ୍ଥିତି ୬ଟି ମାନଚିତ୍ରରେ ଦେଖା ଯାଇଛି । ମୁଖ୍ୟ ସାରଣୀ (ପୃଷ୍ଠା ୪୮ ରୁ ୫୩)ର କ୍ରମସଂଖ୍ୟା ଅନୁସାରେ ତାରାମଣ୍ଡଳଗୁଡିକ ଏଥିରେ ଚିହ୍ନଟ ହୋଇଛନ୍ତି । ପ୍ରତି ଋତୁର ମୁଖ୍ୟ ମଣ୍ଡଳଗୁଡିକର ବର୍ଣ୍ଣନା ଓ ଚିତ୍ର ମଧ୍ୟ ପରେ ପରେ ଦିଆ ଯାଇଛି । ଏଥିରେ ତାରା ଓ ଅନ୍ୟ ଆଗ୍ରହଜନକ ବସ୍ତୁର କ୍ରମ, ନାମ, ଦୀପ୍ତି, ସ୍ଥାନ ଆଦି ସୂଚାଇ ଦିଆ ଯାଇଛି ।

ପ୍ରତି ମାନଚିତ୍ର ପ୍ରାୟ ଦୁଇ ମାସ (ବା ଏକ ଋତୁ) ଧରି ସନ୍ଧ୍ୟା ସମୟରେ କାମ ଦେବ । କିନ୍ତୁ ତାର ଦେଖିବାର ନିୟମ ବୁଝିଲେ (ପୃଷ୍ଠା ୩୫) ବର୍ଷର ଅନ୍ୟ ସମୟରେ ମଧ୍ୟ ଏହା କାମରେ ଲାଗି ପାରିବ । ତାରାମାନେ ୧୫ ଦିନକୁ ୧ ଘଣ୍ଟା କରି ପୂର୍ବମାସ ଗୁଡ଼ିକରେ ଡେରିରେ ଓ ପର ମାସ ଗୁଡିକରେ ଆଗୁଆ ଦେଖାଯିବେ । ତେଣୁ ମାନଚିତ୍ରର ବ୍ୟବହାର ପାଇଁ :

ଜାନୁଆରୀ ୧ ରାତି ୭ = ଜାନୁଆରୀ ୧୫ ରାତି ୯ =

ଡ଼ିସେମ୍ବର ୧୫ ରାତି ୧୧ = ନଭେମ୍ବର ୧୫ ରାତି ୧ =

ଅକ୍ଟୋବର ୧୫ ରାତି ୩ = ସେପ୍ଟେମ୍ବର ୧୫ ସକାଳ ୫ ।

ଆକାଶର ମାନଚିତ୍ରଗୁଡିକୁ ମୁଣ୍ଡ ଉପରେ ଓଲଟାଇ ଧରି ଦେଖିବାକୁ ହେବ ଯେପରି ଦିଗଗୁଡିକ ଠିକ ରହିବ । ଏହି ଅବସ୍ଥାରେ ଏହା ମୁଣ୍ଡ ଉପରେ ଆକାଶର ତାରାମାନଙ୍କ ଅବସ୍ଥିତ ସୂଚାଇବ । ପ୍ରତି ମାନଚିତ୍ର ପାଇଁ ଉପଯୋଗୀ ସମୟ ତା’ର ପାଖରେ ଦିଆ ଯାଇଛି । ତାରା ଦେଖିବା ଆଗରୁ ମାନଚିତ୍ରକୁ ଭଲ ଭାବରେ ଦେଖି ନେବା ଉଚିତ । ଅନ୍ଧାରରେ ଆକାଶ ଦେଖୁଥିବା ବେଳେ ମାନଚିତ୍ର ଦେଖିବା ପାଇଁ ଲାଲ ଆଲୁଅ ବ୍ୟବହାର କରିବା ଦରକାର (ପୃଷ୍ଠା ୧୧) ।