ପୃଷ୍ଠା:Chha mana atha guntha.pdf/୧୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଲୁକ ଛଡ଼ାଇନେଇ ଜଣେ ଓକିଲକୁ ଦେଲେ । ସେ ଓକିଲ ଆସନ୍ତା ମକର ସଂକ୍ରାନ୍ତି ଦିନ ଦୁଇଶ ପାଇକ ଘେନି ପାଞ୍ଚଟା ଘୋଡ଼ା, ଦୁଇଟା ସବାରିରେ ଚଢ଼ି ଗାଁ ଦଖଲ କରିବାକୁ ଆସିବ । ପ୍ରଜାମାନେ ଶୁଣି କହିଲେ, "ଘୋଡ଼ାରେ ତୋତେ ଚୋର ନେବ, ନା ସେଠି ଦାନାପାଣି ଏଠି ଦାନାପାଣି । ଯେ ରାଜା ହେବ, ତା'ର ପ୍ରଜା ହେବୁଁ, ଆପଣା ଗଣ୍ତାକ କିଏ ଛାଡ଼ିବ ?" ମାତ୍ର ଦୁଶ୍‌ମନ୍ ପକ୍ଷିଆ ଲୋକମାନେ ଭାରିଖୁସି । ଆପଣା ଅସୁଲ ତ ଥାଉ, ଡରରେ ଲାଜରେ ମଙ୍ଗରାଜଙ୍କ ପାଇକ ଗାଁରେ ଛିଡ଼ାହୋଇପାରୁ ନାହାନ୍ତି । ବେଗଡ଼ା ଲୋକେ ପାଇକମାନଙ୍କୁ ଦେଖିଲେ ଗଛ ପତ୍ରକୁ ଲଗାଇ ଦୁଇପଦ କଥା ଶୁଣାଇଦିଅନ୍ତି ।