ପୃଷ୍ଠା:Chha mana atha guntha.pdf/୧୫୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଉଦ୍ଦେଶ୍ୟରେ ବାହାରି ଯାଇଥାଏ, ତେବେ ଆମ୍ଭେମାନେ କାହାର ଚରିତ୍ର ବିପକ୍ଷରେ କୌଣସି ମନ୍ତବ୍ୟ ପ୍ରକାଶ କରିବାଦ୍ୱାରା ସାଧୁ ଏବଂ ସାଧ୍ୱୀଙ୍କର ନିନ୍ଦାଜନିତ ମହାପାତକ ଅର୍ଜନ କରିବାକୁ ଅନିଚ୍ଛୁକ । କେବଳ ଗୋଟାଏ କଥା ଶୁଣିବାବେଳୁଁ ମନଟା କିପରି ଗୁଡ଼େଇପୁଡ଼େଇ ହେଉଛି । ମରୁଆ ସାନ ବୋହୂଙ୍କର ଭାରି ବିଶ୍ୱାସୀ ଥିଲା, ସବୁବେଳେ ତାଙ୍କରି ପାଖରେ ଥାଏ । ମରୁଆ ସହିତ ସାନବୋହୂଙ୍କ ବାକ୍‌ସରେ ଥିବା ଅଳଙ୍କାରଗୁଡ଼ିକ ମଧ୍ୟ ମିଳୁନାହିଁ, ବାପଘରୁ ଏବଂ ଶାଶୁଘରୁ ବିଭା ସମୟରେ ମୁହଁଚାହାଁଣି ନଗଦ ଟଙ୍କା ପାଇଥିଲେ, ତାହା ମଧ୍ୟ ବାକ୍‌ସରେ ଥିଲା । ବାକ୍‌ସ ମେଲା ହୋଇ ପଡ଼ିଛି - ପଦାର୍ଥ କିଛି ନାହିଁ । ସମସ୍ତେ ମାଲ ସହିତ ମରୁଆର ସମ୍ପର୍କ ରଖି କଥା କହୁଛନ୍ତି । ସାନ ବୋହୂତ ସାଫ୍ ଡକା ପାଡୁଛନ୍ତି । ସମସ୍ତେ ଡକା ପଡ଼ି ତୁନି ହେଲେ, ମରୁଆକୁ ଖୋଜିବାକୁ କିଏ ଯାଉଛି ? ଯେଉଁ ଦୁଆରେ ଦିନ ନାହିଁ, ରାତି ନାହିଁ, ଲୋକେ ଯିବାଆସିବା ଗହଳି ଲାଗିଥିଲା, ସେ ଦୁଆରେ ଦୁବ ମାଡ଼ିଗଲାଣି ।

ସାରକଥା କେତୋଟା ମାସ ମଧ୍ୟରେ ସମ୍ପତ୍ତି, ଗୌରବ, ଆଧିପତ୍ୟ ସବୁ ଛାରଖାର ହୋଇଗଲାଣି । <poem> "ନିର୍ଜଗାମ ଯଦା ଲକ୍ଷ୍ମୀ ଗଜଭୁକ୍ତକପିତ୍ ଥବତ୍ ।"