ପୃଷ୍ଠା:Aama Madhusudan.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏ ସମସ୍ତ ଥିଲା ଜାତୀୟ ଗୌରବ ମଧୁସୂଦନ ଦାସଙ୍କ ଶହେ ଚଉବନତମ ଜୟନ୍ତୀ ଅବସରରେ ଏପ୍ରିଲ୍‍ ୨୮ତାରିଖରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ "ଆଇନଜୀବୀ" ଦିବସ ରୂପେ ପାଳିତ ସମାରୋହମାନଙ୍କରେ ବହୁ ଅଧିବକ୍ତା ତଥା ସମ୍ମାନାସ୍ପଦ ଅତିଥିଗଣଙ୍କର ମୂଲ୍ୟବାନ ବକ୍ତବ୍ୟ ।
ଭାରତର ପ୍ରଖ୍ୟାତ ଜାତୀୟବାଦୀ ନେତା ରୂପେ ମଧୁସୂଦନ ଦାସଙ୍କର ଜଣେ ବିଶିଷ୍ଟ ଆଇନଜ୍ଞ ତଥା ଦେଶବତ୍ସଳ ନାୟକ ରୂପେ ସର୍ବଶ୍ରେଷ୍ଠ ଅବଦାନ ଥିଲା । ପରାଧୀନ ଭାରତରେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶାର ଗଠନ ବଳିଷ୍ଠ ଜନଜାଗରଣ ତଥା ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ । ଏହି ପ୍ରକି୍ରୟା ରିସ୍‍ଲେ ସର୍କୁଲାର (୧୯୦୩) ଠାରୁ ଆରମ୍ଭ ହୋଇ ଭାରତ ଆଇନ (୧୯୩୫) ପର୍ଯ୍ୟନ୍ତ ସୁଦୀର୍ଘ ବତିଶି ବର୍ଷକାଳ ପରିବ୍ୟାପ୍ତ ରହିଥିଲା । ପରାଧୀନ ଭାରତରେ ଓଡ଼ିଶା ପ୍ରଦେଶ ଗଠିତ ହୋଇନଥିଲେ ଏହାର ଗଠନର ସଂଭାବନା ସ୍ୱାଧୀନ ଭାରତରେ ସୁଦୂର ପରାହତ ହୋଇଥାନ୍ତା ।
ମାତ୍ର ସମଗ୍ର ଭାରତରେ ଆଇନ୍‍ଜୀବୀ ଗୋଷ୍ଠୀଙ୍କ ପାଇଁ ମଧୁସୂଦନ ଦାସଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା, ଭାରତୀୟ ନାରୀଙ୍କୁ ଆଇନ୍‍ଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ପ୍ରଦାନ ।
ଇଂଲଣ୍ଡରେ ଏହି ଅଧିକାର ୧୯୧୮ ବେଳକୁ ମହିଳାମାନଙ୍କୁ ପ୍ରାପ୍ତ ହୋଇଥିଲା । ମାତ୍ର ୧୯୨୧ ସାଲରେ ମଧୁସୂଦନଙ୍କ ପାଳିତାକନ୍ୟା ସୁଧାଂଶୁବାଳା ହାଜରା, କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍‍ରେ ସ୍ନାତକ ଉପାଧି ଲାଭ କରିବା ପରେ ୧୯୨୨ ରେ ପାଟନା ହାଇକୋର୍ଟରେ ଆଇନ୍‍ଜୀବୀ ବୃତ୍ତିଗ୍ରହଣଲାଗି ଜଣେ ମହିଳା ଭାବରେ ଆବେଦନ କଲେ । ମାତ୍ର ଏହା ନାମଞ୍ଜୁର ହୋଇଯାଇଥିଲା । ଏହା ପରେ ଏହି ଆବେଦନ ପ୍ରିଭି କାଉନ୍‍ସିଲ୍‍ରେ ଉପସ୍ଥାପିତ ହୋଇଥିଲା । ମଧୁବାବୁଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ଭାରତୀୟ ବ୍ୟବସ୍ଥାପକ ସଭାରେ ୧୯୨୩ ସାଲ ସେପ୍ଟମ୍ବର ମାସରେ ଭାରତୀୟ ଆଇନଜୀବୀ ବୃତ୍ତି ସଂଶୋଧିତ ହୋଇ ନାରୀମାନଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଥିଲା । ଫଳରେ ମଂତ୍ରିତ୍ୱ ତ୍ୟାଗ କରିଥିବା ଏହି ମଧୁସୂଦନ ଦାସଙ୍କର ଜଣେ ଜୁନିଅର (ଆର୍ଟିକଲଡ଼୍‍ କ୍ଲର୍କ) ଭାବରେ ସୁଧାଂଶୁବାଳା ଓକିଲ ରୂପେ ପାଟନାରେ ୧୨.୧୨.୧୯୨୩ରେ ଗୃହୀତ ହୋଇଥିଲେ । ଆଉ ୨୩.୧.୧୯୨୪ରେ ସୁଧାଂଶୁବାଳା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ କଳା ଗାଉନ୍‍ ପିନ୍ଧି ମଧୁସୂଦନ ଦାସଙ୍କ ସହିତ ପାଟନା ହାଇକୋର୍ଟରେ ଅବତୀର୍ଣ୍ଣ ହେବାର ଯୁଗାନ୍ତକାରୀ ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରକୃତରେ ଏହା ହିଁ ଥିଲା ଆଇନଜୀବୀ ଦିବସ ପାଳନର ତାତ୍ପର୍ଯ୍ୟ ।
ମଧୁସୂଦନ ଦାସଙ୍କ ଶତବାର୍ଷିକୀ ପାଳନ କରିବାକୁ ଭୁଲିଯାଇଥିବା ଓଡ଼ିଆମାନଙ୍କୁ ତାହାଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ, ୧୯୯୭ରୁ ୧୯୯୯ ସାଲ ମଧ୍ୟରେ ପାଳନ କରିବାପାଇଁ ଯେଉଁ ସଶ୍ରଦ୍ଧ ନିବେଦନ କରାଯାଇଥିଲା, ସେଥିରେ ବହୁ କ୍ଷେତ୍ରରେ ଅନାଗ୍ରହତା ଓ ସ୍ତବ୍ଧ ନୀରବତା ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ବହୁ ସମ୍ମାନାସ୍ପଦ ଆଇନଜୀବୀ ପରିଷଦ ପକ୍ଷରୁ ଯେଉଁ ସ୍ୱତଃସ୍ଫୂର୍ତ୍ତ ତତ୍ପରତା ଓ ଉଚ୍ଛ୍ୱସିତ ଉଦ୍‍ବେଳନ ପ୍ରକାଶ ପାଇଲା, ତାହା କେବଳ ତାତ୍ପର୍ଯ୍ୟପୂର୍ଣ୍ଣ ନଥିଲା