ପୃଷ୍ଠା:Aama Gangadhara.pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ

ପୃଥିବୀରେ ତିିନି ଶ୍ରେଣୀର ମନୁଷ୍ୟ ଦେଖାଯାଆନ୍ତି- ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ । ଶିକ୍ଷିତ ବ୍ୟକ୍ତି ମନୁଷ୍ୟ ପଦବାଚ୍ୟ । ଶିକ୍ଷିତ ବ୍ୟକ୍ତି ସତ୍‍କର୍ମରେ ନିରତ ଥାଇ ସତ୍‍ସଙ୍ଗରେ ଓ ସଦାଳାପରେ ପବିତ୍ର ଭାବରେ ଜୀବନଯାତ୍ରା ନିର୍ବାହ କରନ୍ତି; ଅତୀତ କାଳର ଘଟନାବଳୀ, ଦେଶ ବିଦେଶର ରୀତିନୀତି ଓ ଜଗତର ନିୟମମାନ ଅବଗତ ହୋଇ ସ୍ୱଦେଶ ସହିତ ଜଗତର ଉନ୍ନତି ଚେଷ୍ଟାରେ ସତତ ଚିନ୍ତିତ ଥାଆନ୍ତି । ତାଙ୍କ ଚକ୍ଷୁରେ ପୁଣ୍ୟପଥର ଆପାତ କଷ୍ଟଦାୟକ ଦୂରତ୍ୱ ଏବଂ ଦୂରସ୍ଥିତ ସୁରମ୍ୟ ସୋପାନ ବିଶିଷ୍ଟ ମନୋହର ସୁଖମନ୍ଦିର ଆଉ ପାପପଥର ନିକଟସ୍ଥ କୋମଳ ସୁଖଶଯ୍ୟା ଓ ତଦନ୍ତରାଳସ୍ଥ ଯନ୍ତ୍ରଣା କଣ୍ଟକପୂର୍ଣ୍ଣ ଦୁଃଖାରଣ୍ୟ ଦୃଶ୍ୟ ହେଉଥାଏ । ସେ ସ୍ୱର୍ଗୀୟ ବୀରମାନଙ୍କର ଥରେ ଭୟଙ୍କର ସଂହାର ରୂପ, ଥରେ ଦୟାମଧୁର ମୋହନମୂର୍ତ୍ତିି ସନ୍ଦର୍ଶନ କରି ବିସ୍ମୟ-ସମ୍ବଳିତ ଭକ୍ତିରସରେ ଅଭିଷିକ୍ତ ହେଉଥାନ୍ତି । ଭାରତୀଙ୍କର ବୀଣା ଝଙ୍କାର ମିଶ୍ରିତ ଅମିୟ ସଂଗୀତ ଶ୍ରବଣ କରି ଆତ୍ମାକୁ ପବିତ୍ର ଓ ହୃଦୟକୁ ଆନନ୍ଦପୂର୍ଣ୍ଣ କରୁଥାନ୍ତି । ମଙ୍ଗଳମୟ ପରମେଶ୍ୱରଙ୍କ ମଙ୍ଗଳାଭିପ୍ରାୟ ଓ ପ୍ରକୃତ ଧର୍ମତତ୍ତ୍ୱ ଅବଗତ ହୋଇ ପବିତ୍ର ଧର୍ମ ଅବଲମ୍ବରେ ଜଗଦୀଶ୍ୱରଙ୍କ ପ୍ରସାଦ ଲାଭ କରି ପୁଲକିତ ହେଉଥାନ୍ତି । ତାହାଙ୍କ ହୃଦୟ ଶ୍ରଦ୍ଧା, ଭକ୍ତି, ଦୟା, କ୍ଷମାଦି ଦେବକନ୍ୟାଗଣର ବିହାରଭୂମି । ତାଙ୍କ ମତରେ ଶିକ୍ଷା ବିଦ୍ୟାଳୟରେ ଶେଷ ହୁଏ ନାହିଁ; ଶିକ୍ଷା ମନୁଷ୍ୟର ଜୀବନବ୍ୟାପୀ ମହାବ୍ରତ । ଜଗତ ଶିକ୍ଷାଳୟ ଓ ପ୍ରକୃତି ନିତ୍ୟ ପଠନୀୟ ବିରାଟ ଗ୍ରନ୍ଥ । ପୃଥିବୀ ଅପେକ୍ଷା ଲକ୍ଷଗୁଣାଧିକ ଅଚିନ୍ତ୍ୟନୀୟ ବେଗଗାମୀ ଗ୍ରହାଦିଠାରୁ ବାଳଭାନୁ- କିରଣୋଦ୍ଭାସିତ ପରମାଣୁ ପର୍ଯ୍ୟନ୍ତ ଆଲୋଚନାର ବିଷୟ । ମାନବର ପୂର୍ଣ୍ଣ ପରମାୟୁ ବିଂଶାଧିକ ଶତବର୍ଷ ଶିକ୍ଷାର ପ୍ରତୁଳ ସମୟ ନୁହେଁ, ଆଜୀବନ ଯାହା କିଛି ଶିକ୍ଷା ଓ ଜ୍ଞାନଲାଭ ହୋଇପାରେ ତହିଁରେ ହିଁ ଜୀବନର ସାର୍ଥକତା ସାଧନ କରିବା ମାନବର ପ୍ରଧାନ କର୍ତ୍ତବ୍ୟ । ସାହିତ୍ୟ-ସେବା ତାଙ୍କର ପ୍ରିୟ ବ୍ରତ ।

ସାହିତ୍ୟାନୁରାଗ ଈଶ୍ୱରଦତ୍ତ ପଦାର୍ଥ ଓ ଛାୟାତୁଲ୍ୟ ଜୀବନର ଚିର ସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଞ୍ଛନୀୟ; କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନ କରି ବ୍ୟକ୍ତିବିଶେଷକୁ ତାହା ପ୍ରଦାନ କରିଥାନ୍ତି । ଶିକ୍ଷିତ ମଧ୍ୟରୁ ପ୍ରକୃତ ଜ୍ଞାନୀ ଅତି ଅଳ୍ପ । ଜ୍ଞାନୀ ଜ୍ଞାନକୁ କୋହିନୂର ଅପେକ୍ଷା ଅଧିକ ମୂଲ୍ୟବାନ ବୋଧ କରନ୍ତି । ସେ ଜ୍ଞାନାଲୋକରେ ଜଗତ ଆଲୋକମୟ ଦେଖନ୍ତି । ଜଳଦାଚ୍ଛନ୍ନ ତମୋମୟୀ ରଜନୀର ଅସୂଚିଭେଦ୍ୟ ତିମିରରାଶି ତାଙ୍କର ଦୃଷ୍ଟି ରୋଧ କରିପାରେ ନାହିଁ; ବରଂ ବିଚିତ୍ର ବିଚିତ୍ର ଦୃଶ୍ୟ ତାଙ୍କ ସମକ୍ଷରେ ଉପସ୍ଥିତ କରି ଚିତ୍ତରଞ୍ଜନ କରେ । ଜ୍ଞାନୀ ଜ୍ଞାନରଥରେ ଆରୋହଣ କରି ନିମିଷେ ମଧ୍ୟରେ ବ୍ରହ୍ମାଣ୍ଡ ପର୍ଯ୍ୟଟନରେ ସମର୍ଥ ହୁଅନ୍ତି । ତାଙ୍କ ହୃଦୟତୁଲ୍ୟ ଉଚ୍ଚ, ସାଗରତୁଲ୍ୟ ପ୍ରଶସ୍ତ ଓ ଗଭୀର । ତହିଁରେ ବହୁମୂଲ୍ୟ ରତ୍ନରାଜି ପୂର୍ଣ୍ଣ ହୋଇଥାନ୍ତି । ସେହି ରତ୍ନନିଚୟ ଯେ ଯେତେ ସଂଗ୍ରହ କରିପାରେ, ସେ ତାହା ଦେବାକୁ ପ୍ରସ୍ତୁତ; କିନ୍ତୁ ସଂଗ୍ରାହକ ଅତି ଦୁର୍ଲ୍ଲଭ । ଜ୍ଞାନୀ ସ୍ୱ-ଗୁଣ-ପ୍ରକାଶରେ