ପୃଷ୍ଠା:Aama Madhusudan.pdf/୧୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭାଷା ସଂଗ୍ରାମ ଓ ନୂତନ ଓଡ଼ିଶାର
ଶତାବ୍ଦୀ ସମାରୋହ

ସମଗ୍ର ଭାରତରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ରୂପରେ ଯେଉଁ ମାନ୍ୟତା ଲାଭ କରିଛି ତାହାର ପଶ୍ଚାତରେ ରହିଛି ବହୁ ସଂଗ୍ରାମର ଗାଥା । ଓଡ଼ିଶା ମାଟିରେ ବିଦେଶୀ ଉପନିବେଶବାଦୀ ଚକ୍ରାନ୍ତରେ ଓଡ଼ିଆ ଭାଷା ବିପର୍ଯ୍ୟସ୍ତ ହୋଇଥିଲା । ଏଥିପାଇଁ ବହୁବାର ଯେଉଁ ଓଡ଼ିଆ ଭାଷାସୁରକ୍ଷା ସଂଗ୍ରାମ ସଂଚାଳିତ ହୋଇଥିଲା ତାହା ପ୍ରକୃତରେ ଥିଲା ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଏକ ଆହ୍ୱାନ । ଏହି ପର୍ଯ୍ୟାୟରେ ୧୮୬୭ ସାଲରୁ ୧୮୭୦ ସାଲ ମଧ୍ୟରେ ରାଜେନ୍ଦ୍ର ଲାଲ ମିତ୍ର, ଉମାଚରଣ ହାଲ୍‍ଦାର, ଅଧ୍ୟାପକ ରାଜକୃଷ୍ଣ ମୁଖୋପାଧ୍ୟାୟ କଟକରେ ଏବଂ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟ ବାଲେଶ୍ୱରରେ ଓଡ଼ିଆ ଭାଷା ଉପରେ ଆକ୍ରମଣର ଯେଉଁ ଅଭିଯାନ ଆରମ୍ଭ କରିଥିଲେ, ତା' ବିରୋଧରେ ସଂଗ୍ରାମର ମୁଖ୍ୟ ସେନାପତି ଦ୍ୱୟ ଥିଲେ ଗୌରୀଶଙ୍କର ଆଉ ଫକୀରମୋହନ । ମାତ୍ର ଏହି ବିକ୍ଷୁବ୍ଧ ଅବସ୍ଥାର ପରିସମାପ୍ତି ଘଟିଥିଲା ଭାଷାବିତ୍‍ କଲେକ୍ଟର ବିମ୍‍ସ ସାହେବ ଓ ଓଡ଼ିଆ ପ୍ରାଣ କମିଶନର ରେଭେନ୍‍ସା ସାହେବଙ୍କ ଦୃଢ଼ ପଦକ୍ଷେପ ଫଳରେ । ତେବେ ଭାଷା ସଂଗ୍ରାମର ଯେଉଁ ତୁରନ୍ତ ଓ ତୁମୁଳ ଯୁଦ୍ଧଟି ଯୁଝାଯାଇଥିଲା ପଶ୍ଚିମାଞ୍ଚଳର ମାଟିରେ, ତାହାର ପଟାନ୍ତର ନାହିଁ ।

ସମ୍ବଲପୁର ଅଂଚଳ ଖାସ୍‍ ବି୍ରଟିଶ ଶାସନକୁ ଆସିଲା ୧୮୪୯ ସାଲରେ । ଏବଂ କାଳକ୍ରମେ ଏହି ଜିଲ୍ଲାଟି ଓଡ଼ିଶା ଡିଭିଜନକୁ ଆସିଥିଲା ୧୮୬୦ ସାଲରେ । ମାତ୍ର ବର୍ଷକ ପରେ ୧୮୬୧ ସାଲରେ ଏହା ନୂତନ ଭାବରେ ଗଠିତ ମଧ୍ୟପ୍ରଦେଶର ଶାସନାଧୀନ ହୋଇଥିଲେ ମଧ୍ୟ ଜନଗଣଙ୍କର ବଳିଷ୍ଠ ଆବେଦନ ଫଳରେ, ଏ ଜିଲ୍ଲାର ଏକମାତ୍ର ସରକାରୀ ଭାଷାଥିଲା "ଓଡ଼ିଆ' । ଏଣେ ମଧ୍ୟପ୍ରଦେଶର ଅନ୍ୟ ସମସ୍ତ ଜିଲ୍ଲାରେ ପ୍ରାଶାସନିକ ଭାଷା ଥିଲା ହିନ୍ଦୀ । ସମ୍ବଲପୁର ସହର